ପ୍ରଥମ ଦିନିକିଆ: ଭାରତ ଆଗରେ ୧୭୭ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ୱେଷ୍ଟଇଣ୍ଡିଜ୍‌, ଯୁଜବେନ୍ଦ୍ର ଚହଲଙ୍କୁ ସର୍ବାଧିକ ୪ ୱିକେଟ୍‌

ଅହମଦାବାଦ୍‌: ଗୁଜରାଟ ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଓ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲା ଜାରି ରହିଛି। ଭାରତ ଟସ୍ ଜିତି ପ୍ରଥମେ ଓ୍ଵେଷ୍ଟଇଣ୍ଡିଜକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଓ୍ଵେଷ୍ଟଇଣ୍ଡିଜ ବ୍ୟାଟିଂ ଆରମ୍ଭ କରି ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଭାରତୀୟ ବୋଲର ମାନେ ପ୍ରଶଂସୀନୟ ବୋଲିଂ କରିଛନ୍ତି। ୱେଷ୍ଟଇଣ୍ଡିଜ୍‌କୁ ୧୭୬ ରନ୍‌ରେ ଅଟକାଇ ଦେଇଛନ୍ତି। ଯୁବ ବୋଲର ଯୁଜବେନ୍ଦ୍ର ଚହଲ ୱେଷ୍ଟଇଣ୍ଡିଜର ୪ ଜଣ ଖେଳାଳିଙ୍କୁ ପାଭଲିଅନ୍‌ ପଠାଇଥିଲେ। ୱାସିଂଟନ ସୁନ୍ଦରଙ୍କୁ ୩ଟି ଓ ପ୍ରସିଦ୍ଧ କ୍ରିଷ୍ଣା ୨ଟି ୱିକେଟ୍‌ ନେଇଥିଲେ। ସେହିପରି ମହମ୍ମଦ ସିରାଜଙ୍କୁ ଗୋଟିଏ ୱିକେଟ୍‌ ମିଳିଥିଲା।

ୱେଷ୍ଟଇଣ୍ଡିଜ୍‌ ଦଳୀୟ ସ୍କୋର ୧୩ରେ ପ୍ରଥମ ବ୍ୟାଟର୍ ଭାବେ ସାଇ ହୋପ୍ ୧୦ଟି ବଲ୍‌ ଖେଳି ୮ ରନ କରି ମହମ୍ମଦ ସିରାଜଙ୍କ ଦ୍ବାରା ଆଉଟ୍ ହୋଇଥିଲେ। ଏହାପର ବ୍ରାଣ୍ଡନ୍ କିଙ୍ଗ୍ ଓ ଡାରେନ୍ ବ୍ରାଭୋ ଓ୍ଵେଷ୍ଟଇଣ୍ଡିଜର ସ୍କୋରକୁ ୪୪ ରନ୍‌ ପର୍ଯନ୍ତ ପହଞ୍ଚାଇଥିଲେ।

ତେବେ ଦଳର ସ୍କୋର ୪୪ ରନ୍‌ରେ ବ୍ରାଣ୍ଡନ୍ କିଙ୍ଗ୍ ଆଉଟ୍ ହୋଇଥିବା ବେଳେ ୪୫ ରନରେ ଡାରେନ୍ ବ୍ରାଭୋ ଆଉଟ୍ ହୋଇଥିଲେ। ୪୫ ରନରେ ୩ଟି ଓ୍ଵିକେଟ୍ ହରାଇବା ପରେ ଦଳର ମଧ୍ୟକ୍ରମର ଖେଳାଳିମାନେ ସ୍ଥିତି ସୁଧାରିବେ ବୋଲି ଆଶା କରାଯାଉଥିଲା। କିନ୍ତୁ ଏମାନେ ମଧ୍ୟ ଓ୍ଵେଷ୍ଟଇଣ୍ଡିଜକୁ ନିରାଶ କରିଥିଲେ। ଅତିଥି ଦଳ ସ୍କୋର୍ ୭୧  ରନ୍‌ ହୋଇଥିବା ବେଳେ ବିସ୍ଫୋରକ ବ୍ୟାଟର୍ ନିକୋଲାସ୍ ପୂରନଙ୍କ ଓ୍ଵିକେଟ୍ ହରାଇଥିଲା। ପୂରନ ମାତ୍ର ୧୮ ରନ କରି ଯୁଜବେନ୍ଦ୍ର ଚହଲଙ୍କ ବଲରେ ଏଲବିଡବ୍ଲୁ ଆଉଟ୍ ହୋଇଥିଲେ। ଏହାର ପରବର୍ତ୍ତୀ ବଲରେ ହିଁ ଆଉ ଜଣେ ବିସ୍ଫୋରକ ବ୍ୟାଟର୍ ତଥା ଓ୍ଵେଷ୍ଟଇଣ୍ଡିଜର ଅଧିନାୟକ କିରନ ପୋଲାର୍ଡ ଯୁଜବେନ୍ଦ୍ରଙ୍କ ଦ୍ଵାରା ବୋଲ୍ଡ ଆଉଟ୍ ହୋଇଥିଲେ। ଚହଲଙ୍କ ପାଖରେ ହ୍ୟାଟ୍ରିକ୍ ଓ୍ଵିକେଟ୍ ନେବାର ସୁଯୋଗ ଥିଲା କିନ୍ତୁ ସେ ଆଉଜଣେ ବ୍ୟାଟରଙ୍କୁ ଆଉଟ୍ କରି ପାରି ନଥିଲେ। ତେବେ ଶାମାରା ବ୍ରୁକ୍ସଙ୍କୁ ୧୨ ରନରେ ଆଉଟ କରି ସେ ବ୍ୟକ୍ତିଗତ ଭାବେ ୩ଟି ଓ୍ଵିକେଟ ହାସଲ କରିଥିଲେ। ଅକିଲ ହୋସେନ ଓ୍ଵେଷ୍ଟଇଣ୍ଡିଜର ସପ୍ତମ ଖେଳାଳି ଭାବେ କୌଣସି ରନ୍‌ ନ କରି ଦଳର ସ୍କୋର ୭୯ ହୋଇଥିବା ବେଳେ ଦୃତ ବୋଲର ପ୍ରସିଦ୍ଧ କ୍ରିଷ୍ଣାଙ୍କ ବୋଲରେ ଆଉଟ୍ ହୋଇଥିଲେ।

ଅତିଥି ଦଳର ୭୯ ରନ୍‌ରେ ୭ଟି ଓ୍ଵିକେଟର ପତନ ପରେ ଦଳ ୧୦୦ ରନ ଭିତରେ ଆଉଟ୍ ହୋଇଯିବ ଭଳି ଲାଗୁଥିଲା। କିନ୍ତୁ ଜସନ୍‌ ହୋଲ୍ଡର୍ ଓ ଫାବିଆନ୍ ଆଲେନ୍ ଭଲ ବ୍ୟାଟିଂ କରି ଅଷ୍ଟମ ଓ୍ଵିକେଟରେ ୭୮ ରନର ପାର୍ଟନରସିପ୍ କରିଥିଲେ। ୧୫୭ ସ୍କୋରରେ ଆଲେନ୍ ୪୩ ବଲରୁ ୨୯ ରନ କରି ଓ୍ଵାଶିଂଟନ ସୁନ୍ଦରଙ୍କ ବଲରେ ତାଙ୍କ ଦ୍ଵାରା ହିଁ କ୍ୟାଚ୍ ଆଉଟ୍ ହୋଇଥିଲେ। ଏହାପରେ ଆଉ ୧୯ ରନ୍ ଯୋଡି ଓ୍ଵେଷ୍ଟଇଣ୍ଡିଜ ୪୩.୫ ଓଭରରେ ୧୭୬ ରନ କରି ଅଲଆଉଟ ହୋଇଯାଇଥିଲା। ଓ୍ଵେଷ୍ଟ ଇଣ୍ଡିଜ ପକ୍ଷରୁ ହୋଲ୍ଡର୍ ୭୧ଟି ବଲ୍ ଖେଳି ୪ଟି ଛକା ସହ ୫୭ ରନ କରି ପ୍ରସିଦ୍ଧ କ୍ରିଷ୍ଣାଙ୍କ ବଲରେ ଋଷଭ୍ ପନ୍ତଙ୍କ ଦ୍ଵାରା ନବମ ବ୍ୟାଟର୍ ଭାବେ ଆଉଟ୍ ହୋଇଥିଲେ।

ସମ୍ବନ୍ଧିତ ଖବର