ଆଇପିଏଲ୍‌-୨୦୨୦: ଚେନ୍ନାଇ ସୁପର କିଙ୍ଗସ୍‌ ଆଗରେ ୧୭୯ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗସ୍‌ ଇଲେଭେନ୍‌ ପଂଜାବ

ଦୁବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣର ଅଷ୍ଟାଦଶ ମ୍ୟାଚ୍‌ରେ କିଙ୍ଗସ୍‌ ଇଲେଭେନ୍‌ ପଂଜାବ ଓ ଚେନ୍ନାଇ ସୁପର କିଙ୍ଗସ୍‌ ମଧ୍ୟରେ ମୁକାବିଲା ହେଉଛି। ଚେନ୍ନାଇ ଟିମ୍‌ ଆଗରେ ପଂଜାବ ୧୭୯ ରନ୍‌ ବିଜୟ ଲକ୍ଷ୍ୟ ରଖିଛି।

ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ରବିବାର ଖେଳାଯାଉଥିବା ଏହି ମ୍ୟାଚ୍‌ରେ କିଙ୍ଗସ୍‌ ଇଲେଭେନ୍‌ ପଂଜାବ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପଂଜାବ ୨୦ ଓଭରରେ ୪ଟି ଓ୍ଵିକେଟ୍‌ ହରାଇ ୧୭୮ ରନ୍‌ ସଂଗ୍ରହ କରିଥିଲା। ଏଥିରେ ଅଧିନାୟକ କେ.ଏଲ୍‌. ରାହୁଲଙ୍କ ବ୍ୟାଟ୍‌ରୁ ୬୩ ରନ୍‌ ମିଳିଥିଲା। ରାହୁଲ ୫୨ଟି ବଲ୍‌ ଖେଳି ୭ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ସେ ଦଳର ଚତୁର୍ଥ ଓ୍ଵିକେଟ୍‌ ଭାବେ ଆଉଟ୍‌ ହୋଇଥିଲେ। କିନ୍ତୁ ଏହା ପୂର୍ବରୁ ସେ ୬୧ ରନ୍‌ କରିସାରିଥିଲେ। ସାର୍ଦ୍ଦୁଲ ଠାକୁରଙ୍କ ବଲ ମହେନ୍ଦ୍ର ସିଂହ ଧୋନିଙ୍କୁ କ୍ୟାଚ୍‌ ଦେଇ ରାହୁଲ ଆଉଟ୍‌ ହୋଇଥିଲେ।

ପଂଜାବ ଟିମ୍‌ ୨ୟ ଓ୍ଵିକେଟ୍‌ ଭାବେ ୯୪ ରନ୍‌ରେ ମନ୍ଦୀପ ସିଂହ (୨୭ ରନ୍‌, ୧୬ ବଲ୍‌, ୨ ଛକା)ଙ୍କୁ ହରାଇଥିଲା। ସେ ରବୀନ୍ଦ୍ର ଜାଦେଜାଙ୍କ ବଲ ଅମ୍ବାତି ରାୟଡୁଙ୍କୁ କ୍ୟାଚ୍‌ ଦେଇଥିଲେ। ଓପନର ମୟଙ୍କ ଅଗ୍ରଓ୍ଵାଲ ୧୯ଟି ବଲ ଖେଳି ୨୬ ରନ୍‌ କରିଥିଲେ ଏବଂ ସେ ପ୍ରଥମ ଓ୍ଵିକେଟ୍‌ ଭାବେ ପାଭଲିଅନ ଫେରିଥିଲେ। ଚେନ୍ନାଇ ଟିମ୍‌ର ୩ୟ ଶିକାର ହୋଇଥିଲେ ନିକୋଲାସ ପୂରନ (୩୩ ରନ୍‌, ୧୭ ବଲ, ୧ ଚୌକା, ୩ ଛକା) । ପୂରନ ସାର୍ଦ୍ଦୁଲ ଠାକୁରଙ୍କ ବଲ୍‌ ରବୀନ୍ଦ୍ର ଜାଦେଜାଙ୍କ ହାତକୁ ଦେଇ ଆଉଟ୍‌ ହେବା ବେଳକୁ ପଂଜାବ ୧୫୨ ରନ୍‌ ସଂଗ୍ରହ କରିସାରିଥିଲା। ଗ୍ଲେନ୍‌ ମ୍ୟାକ୍ସୱେଲ ଅପରାଜିତ ୧୧ ରନ୍‌ ଓ ସରଫରାଜ ଖାନ ଅପରାଜିତ ୧୪ ରନ୍‌ କରିଥିଲେ।

ସମ୍ବନ୍ଧିତ ଖବର