୧୮ ଦିନ ଆଗରୁ ୧୮ ପଦକ ଦାବିଦାର

ନୂଆଦିଲ୍ଲୀ, ୪ା୭: ଟୋକିଓ ଅଲିମ୍ପିକ୍ସକୁ ଆଉ ମାତ୍ର ୧୮ ଦିନ ବାକି ରହିଛି। ଭାରତୀୟ ଖେଳାଳିମାନେ ସଂଯୋଗ ବଶତଃ ୧୮ଟି ଖେଳରେ ଯୋଗ୍ୟତା ଅର୍ଜନ କରିଛନ୍ତି। ସେଥିପାଇଁ ଭାରତର ପ୍ରମୁଖ ୧୮ ପଦକ ଦାବିଦାରଙ୍କ ବିଷୟରେ ପାଠକଙ୍କୁ ଜଣାଇବା ସମୟର ଆବଶ୍ୟକତା ପାଲଟିଯାଇଛି। ଆସନ୍ତୁ ୧୩୫ କୋଟି ଭାରତୀୟଙ୍କ ନଜରରେ ରହିବାକୁ ଯାଉଥିବା ଏହି ୧୮ ଅଲିମ୍ପିଆନ୍‌ଙ୍କ ବିଷୟରେ ସବୁକିଛି ଜାଣିବା।

ଦୀପିକା କୁମାରୀ (ତୀରନ୍ଦାଜି)
ବିଶ୍ବର ଏକ ନମ୍ବର ମହିଳା ତୀରନ୍ଦାଜ ଦୀପିକା କୁମାରୀ ଟୋକିଓ ଅଲିମ୍ପିକ୍ସର ବ୍ୟକ୍ତିଗତ ରିକର୍ଭ ଓ ପତି ଅତନୁ ଦାସଙ୍କ ସହ ମିଶ୍ରିତ ଯୁଗଳରେ ଅଂଶଗ୍ରହଣ କରିବେ। ପ୍ୟାରିସ ବିଶ୍ବକପ୍‌ରେ ସେ କରିଥିବା ପ୍ରଦର୍ଶନକୁ ଯଦି ବିଚାରକୁ ନିଆଯାଏ, ତାହାଲେ ଟୋକିଓରେ ଦୀପିକା ଅନ୍ୟୂନ ଗୋଟିଏ ପଦକ ଜିତିବାର ଯଥେଷ୍ଟ ସମ୍ଭାବନା ରହିଛି। ରିଓ ଅଲିମ୍ପିକ୍ସରେ ସେ ଆଶାଜନକ ପ୍ରଦର୍ଶନ କରିପାରିନଥିଲା ବେଳେ ସଂପ୍ରତି ବହୁତ ଭଲ ଫର୍ମରେ ଥିବାରୁ ଟୋକିଓରେ ସେହି ନିରାଶା ଦୂର କରିବେ ବୋଲି ଆଶା କରାଯାଉଛି।

ଅତନୁ ଦାସ (ତୀରନ୍ଦାଜି)
ଗୁଏଟମାଲା ସିଟିରେ ଚଳିତବର୍ଷ ଆୟୋଜିତ ବିଶ୍ବକପ୍‌ରେ ଦୀପିକାଙ୍କ ପତି ଅତନୁ ଦାସ ପୁରୁଷ ବ୍ୟକ୍ତିଗତ ରିକର୍ଭରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ତେବେ ସେ ଦୀପିକାଙ୍କ ସହ ମିଶି ମିଶ୍ରିତ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିବେ ବୋଲି ଆଶା କରାଯାଉଛି। ଉଭୟ ଦୀପିକା ଏବଂ ଅତନୁ ମଧ୍ୟ ଏଥିଲାଗି ଜୋରଦାର ଅଭ୍ୟାସ ଜାରି ରଖିଛନ୍ତି। ଏହି ଅନନ୍ୟ ସଫଳତା ହାସଲ କଲେ ପତି-ପତ୍ନୀ ଭାବେ ଅଲିମ୍ପିକ୍ସ ପଦକ ଜିତିବାରେ ଏହି ଦୁଇ ଜଣ ପ୍ରଥମ ଭାରତୀୟ କ୍ରୀଡ଼ାବିତ୍‌ ହେବେ।

ନୀରଜ ଚୋପ୍ରା (ଜାଭେଲିନ୍)
ପ୍ରାକ୍ ଅଲିମ୍ପିକ୍ସ ପ୍ରତିଯୋଗିତାରେ ଯୁବ ଜାଭେଲିନ୍ ତାରକା ନୀରଜ ଚୋପ୍ରା ଚମତ୍କାର ପ୍ରଦର୍ଶନ କରିଆସୁଛନ୍ତି। ଚଳିତବର୍ଷ ପତିଆଲା‌ରେ ସେ ନିଜ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ (୮୮.୦୭ ମିଟର) ଦେଇଛନ୍ତି। ଏହା ମଧ୍ୟ ମୋଟ ଉପରେ ଚଳିତ ଋତୁର ଚତୁର୍ଥ ଶ୍ରେଷ୍ଠ ପ୍ରଦର୍ଶନ। ଯଦି ସେ ନିଜ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନଠାରୁ ଆଉ ଟିକିଏ ଭଲ କରିପାରନ୍ତି, ତାହେଲେ ଆଥଲେଟିକ୍ସରୁ ପଦକ ଜିତିବାରେ ସ୍ବାଧୀନ ଭାରତର ସେ ପ୍ରଥମ କ୍ରୀଡ଼ା‌ବିତ୍ ହେବେ।

ମୁରଲୀ ଶ୍ରୀଶଙ୍କରନ୍ (ଲମ୍ବଡିଆଁ)
ଟୋକିଓ ଅଲିମ୍ପିକ୍ସରେ ମୁରଲୀ ଶ୍ରୀଶଙ୍କରନ୍ ଲମ୍ବଡିଆଁରେ ଭାରତର ପ୍ରତିନିଧିତ୍ବ କରିବେ। ପତିଆଲାରେ ଆୟୋଜିତ ଫେଡେରେସନ୍‌ କପ୍‌ରେ ୮.୨୬ ମିଟର ଦୂରତାକୁ ଡେଇଁ ଟୋକିଓ ଅଲିମ୍ପିକ୍ସ ଲାଗି ସେ ଯୋଗ୍ୟତା ଅର୍ଜନ କରିଥିଲେ। ଏହା ମଧ୍ୟ ନୂଆ ଜାତୀୟ କୀର୍ତ୍ତିମାନ ଥିଲା। ଲମ୍ବଡିଆଁରେ ଚଳିତ ଋତୁରେ ବିଶ୍ବର ଏହା ଏକାଦଶ ଶ୍ରେଷ୍ଠ ସଫଳତା। ଚଳତି ଋତୁର ତୃତୀୟ ଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୮.୩୯ ମିଟର। ଟିକିଏ ଚେଷ୍ଟା କଲେ ମୁରଲୀ ପୋଡିୟମ୍ ଫିନିସ୍ ପାଇପାରିବେ।

କମଲପ୍ରୀତ କୌର (ଦୌଡ଼କୁଦ)
କମଲପ୍ରୀତ କୌର ଡିସକସ୍‌ ଥ୍ରୋ’ରେ ଭାରତର ପ୍ରତିନିଧିତ୍ବ କରିବେ। ଫେଡେରେସନ୍ କପ୍‌ରେ ନୂଆ ଜାତୀୟ କୀର୍ତ୍ତିମାନ ସହ ସେ ଟୋକିଓ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ହାସଲ କରିଛନ୍ତି। ତାଙ୍କ ୭୭.୬୯ ମିଟର ସଫଳତା ଚଳିତ ଋତୁର ଷଷ୍ଠ ଶ୍ରେଷ୍ଠ ପ୍ରଦର୍ଶନ। ସେ ମଧ୍ୟ ପଦକ ଜିତିବାର ଯଥେଷ୍ଟ ସମ୍ଭାବନା ରହିଛି।

ଅମିତ ପଙ୍ଘଲ (ମୁଷ୍ଟିଯୁଦ୍ଧ)
୫୨ କିଲୋଗ୍ରାମ ମୁଷ୍ଟିଯୁଦ୍ଧରେ ଭାରତର ପ୍ରତିନିଧିତ୍ବ କରିବେ ଅମିତ ପଙ୍ଘଲ। ଏହି ବର୍ଗରେ ବିଶ୍ବର ଏକ ନମ୍ବର ମୁଷ୍ଟିଯୋଦ୍ଧା ଭାବେ ସେ ଅଲିମ୍ପିକ୍ସ ଖେଳିବେ। ୨୫ ବର୍ଷୀୟ ଅମିତ ଏସୀୟ କ୍ରୀଡ଼ା‌ରେ ସ୍ବର୍ଣ୍ଣ ପଦକ ଜିତିଥିଲା ବେଳେ ବିଶ୍ବ ଚାମ୍ପିଅନସିପ୍‌ରେ ରୌପ୍ୟ ପଦକ ପାଇଛନ୍ତି।

ବିକାଶ କୃଷ୍ଣନ୍ (ମୁଷ୍ଟିଯୁଦ୍ଧ)
୬୯ କିଲୋଗ୍ରାମ ମୁଷ୍ଟିଯୁଦ୍ଧ‌ରେ ଖେଳିବେ ବିକାଶ କୃଷ୍ଣନ୍। ଏସୀୟ କ୍ରୀଡ଼ାରେ ୩ ଏବଂ ରାଜ୍ୟ‌ଗୋଷ୍ଠୀ କ୍ରୀଡ଼ା ଓ ବିଶ୍ବ ଚାମ୍ପିଅନସିପ୍‌ରେ ଗୋଟିଏ ଲେଖାଏଁ ପଦକ ଜିତି ସାରିଥିବାରୁ ଭାରତୀୟ କ୍ରୀଡ଼ାପ୍ରେମୀ ତାଙ୍କଠାରୁ ଏଥର ଏକ ପଦକର ଆଶା ନିଶ୍ଚିତ ଭାବେ ରଖିବେ। ୨୦୧୨ ଓ ୨୦୧୬ ଅଲିମ୍ପିକ୍ସରେ ଖେଳି ସାରିଥିବା‌ ବିକାଶଙ୍କର ଏହା ତୃତୀୟ ଅଲିମ୍ପିକ୍ସ ହେବ।

ବଜରଙ୍ଗ ପୁନିଆ (କୁସ୍ତି)
୬୫ କିଲୋଗ୍ରାମ ଫ୍ରି-ଷ୍ଟାଇଲ୍ କୁସ୍ତିରେ ଭାରତର ଅନ୍ୟତମ ପଦକ ଦାବିଦାର ହେଉଛନ୍ତି ବଜରଙ୍ଗ ପୁନିଆ। ୨୦୧୯ ବିଶ୍ବ ଚାମ୍ପିଅନସିପ୍‌ରେ କାଂସ୍ୟ ଏବଂ ଚଳିତ ବର୍ଷର ଏସୀୟ ଚାମ୍ପିଅନସିପ୍‌ରେ ରୌପ୍ୟ ପଦକ ଜିତିଥିବା ବଜରଙ୍ଗ ଏଥର ଅଲିମ୍ପିକ୍ସରେ ଖାତା ଖୋଲିବେ ବୋଲି ଆଶା କରାଯାଉଛି।

ଦୀପକ ପୁନିଆ (କୁସ୍ତି)
ଦୀପକ ପୁନିଆ ୮୬ କିଲୋଗ୍ରାମ ଫ୍ରିଷ୍ଟାଇଲ୍ କୁସ୍ତିରେ ଭାରତର ପ୍ରତିନିଧିତ୍ବ କରିବେ। ୨୦୧୯ କନିଷ୍ଠ ଓ ବରିଷ୍ଠ ବିଶ୍ବ ଚାମ୍ପିଅନସିପ୍‌ରେ ସେ ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିଥିଲେ। ଟୋକିଓରୁ ସେ ମଧ୍ୟ ଏକ ପଦକ ନେଇ ଆସିବେ ବୋଲି ଆଶା କରାଯାଉଛି।

ଭିନେଶ ଫୋଗଟ (କୁସ୍ତି)
ମହିଳା ୫୩ କିଲୋଗ୍ରାମ କୁସ୍ତି ଆଖଡ଼ାରେ ଏଥର ଭିନେଶ ଫୋଗଟ ଭାରତ ପାଇଁ ଏକ ପଦକ ଜିତିବାର ଯଥେଷ୍ଟ ସମ୍ଭାବନା ରହିଛି। ବିଶ୍ବ ଚାମ୍ପିଅନସିପ୍, ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଏସୀୟ କ୍ରୀଡ଼ାରେ ପଦକ ଜିତି ସାରିଥିବା ଭିନେଶ ଆହତ ଯୋଗୁଁ ୨୦୧୬ ରିଓ ଅଲିମ୍ପିକ୍ସରୁ ବଞ୍ଚିତ ହୋଇଥିଲେ। ଏଥର ଟୋକିଓରେ ସେ ସେହି ଦୁଃଖ ଦୂର କରିବାର ସର୍ବାଧିକ ସମ୍ଭାବନା ରହିଛି।

ମୀରାବାଇ ଚାନୁ (ଭାରୋ‌ତ୍ତୋଳନ)
ମହିଳା ଭାରୋତ୍ତୋଳନରେ ମୀରାବାଇ ଚାନୁ ଏକମାତ୍ର ଭାରତୀୟ ଭାବେ ୪୯ କିଲୋଗ୍ରାମ ବର୍ଗରେ ଖେଳିବେ। ତାସକେଣ୍ଟଠାରେ ଆୟୋଜିତ ଏସିଆନ୍ ଭାରୋତ୍ତୋଳନରେ ସେ ନୂଆ ବିଶ୍ବ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ତାଙ୍କଠାରୁ ପଦକ ଆଶା କଲେ କିଛି ଭୁଲ ‌ହେବ ନାହିଁ।

ପିଭି ସିନ୍ଧୁ (ବ୍ୟାଡମିଣ୍ଟନ୍)
ରିଓ ଅଲିମ୍ପିକ୍ସରେ ଭାରତର ସଫଳତମ ମହିଳା ତାରକା ଥିଲେ ପିଭି ସିନ୍ଧୁ। ପ୍ରଥମ ଭାରତୀୟ ଭାବେ ସେ ବ୍ୟାଡମିଣ୍ଟନ୍‌ରୁ ରୌପ୍ୟ ପଦକ ପାଇଥିଲେ। ଅବଶ୍ୟ ଗତ ଅଲିମ୍ପିକ୍ସ ଅପେକ୍ଷା ଏଥର ସେ କଠିନ ଗ୍ରୁପ୍‌ରେ ଅଛନ୍ତି। ତଥାପି ସେ ପଦକ ଜିତିବାର ଯଥେଷ୍ଟ ସମ୍ଭାବନା ରହିଛି। ସାଇନା ନେହୱାଲ ଯୋଗ୍ୟତାରୁ ବଞ୍ଚିତ ହେବା ପରେ ମହିଳା ବ୍ୟାଡମିଣ୍ଟନ୍‌ ଏକକରେ ସେ ଏକମାତ୍ର ଭାରତୀୟ ଭାବେ ଖେଳିବେ।

ସାତ୍ତ୍ବିକ ସାଇରାଜ ରାଙ୍କିରେଡ୍ଡୀ, ଚିରାଗ ସେଟ୍ଟୀ (ବ୍ୟାଡମିଣ୍ଟନ୍)
ସାତ୍ତ୍ବିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ପୁରୁଷ ଯୁଗଳ ବ୍ୟାଡମିଣ୍ଟନ୍‌ରେ ଭାରତର ପ୍ରତିନିଧିତ୍ବ କରିବେ। ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ, ୨୦୧୯ ଫ୍ରେଞ୍ଚ ଓପନ୍‌ରେ ରୌପ୍ୟ ଓ ୨୦୧୯ ଥାଇଲାଣ୍ଡ ଓପନ୍‌ରେ ସ୍ବର୍ଣ୍ଣ ପଦକ ଜିତିଥିବାରୁ ଅଲିମ୍ପିକ୍ସରେ ମଧ୍ୟ ଏହି ଦୁଇ ଯୁବ ଯୋଡ଼ି ପଦକ ଅମଳ କରିବେ ବୋଲି ଆଶା କରାଯାଉଛି।

ଏଲାଭେନିଲ ଭାଲାରିଭାନ୍ (ବନ୍ଧୁକଚାଳନା)
ଏଲାଭେନିଲ ଭାଲାରିଭାନ୍ ମହିଳା ୧୦ ମିଟର ଏୟାର ରାଇଫଲ୍ ଓ ୧୦ ମିଟର ଏୟାର ରାଇଫଲ୍ ମିଶ୍ରିତ ଦଳଗତରେ ଖେଳିବେ। ଏକମାତ୍ର ଭାରତୀୟ ଭାବେ କୌଣସି କୋଟାରେ ସେ ଟୋକିଓ ଯାଇ ନାହାନ୍ତି। ୨୦୧୮ ବିଶ୍ବକପ୍‌ରେ ଏକାଧିକ ଥର ପଦକ ଜିତିଥିବାରୁ ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ସେ ସେହି ସଫଳତା ଦୋହରାଇବେ ବୋଲି ଆଶା କରାଯାଉଛି।

ଅଭିଷେକ ବର୍ମା (ବନ୍ଧୁକଚାଳନା)
ଅଭିଷେକ ବର୍ମା ୧୦ ମିଟର ପିସ୍ତଲ ଓ ୧୦ ମିଟର ଏୟାର ମିଶ୍ରିତ ଦଳଗତ ପିସ୍ତଲରେ ପଦକ ଜିତିବାକୁ ଚେଷ୍ଟା କରିବେ। ସଂପ୍ରତି ସେ ହେଉଛନ୍ତି ନିଜ ବର୍ଗରେ ବିଶ୍ବର ଏକ ନମ୍ବର ସୁଟର୍‌। ୩୧ ବର୍ଷୀୟ ଅଭିଷେକ ୨୦୦୮ରେ ବେଜିଂରେ ଅଭିନବ ବିନ୍ଦ୍ରା ହାସଲ କରିଥିବା ସଫଳତାକୁ ଦୋହରାଇ ପ୍ରଶଂସକଙ୍କୁ ଅନନ୍ୟ ଉପହାର ଦେବା ଲକ୍ଷ୍ୟରେ ରହିଛନ୍ତି।

ମନୁ ଭାକର (ବନ୍ଧୁକଚାଳନା)
ମନୁ ଭାକରଙ୍କୁ ୧୦ ମିଟର ଏୟାର ପିସ୍ତଲ, ୨୫ ମିଟର ଏୟାର ପିସ୍ତଲ ଓ ୧୦ ମିଟର ଏୟାର ପିସ୍ତଲ ମିଶ୍ରିତ ଦଳଗତରେ ଦେଖିବାକୁ ମିଳିବ। ଏହି ତିନିଟି ବର୍ଗରେ ସେ ବିଶ୍ବକପ୍‌ ପଦକ ଜିତି ସାରିଥିବାରୁ ଅଲିମ୍ପିକ୍ସରେ ମଧ୍ୟ ସଫଳତାର ନୂଆ ଫର୍ଦ୍ଦ ଯୋଡ଼ିବେ ବୋଲି ଆଶା କରାଯାଉଛି। ନିକଟରେ ଅନୁଷ୍ଠିତ ଆଇଏସ୍‌ଏସ୍‌ଏଫ୍ ବିଶ୍ବକପ୍‌ରେ ସୌରଭ ତିୱାରୀଙ୍କ ସହ ମିଶି ସେ ସ୍ବର୍ଣ୍ଣ ପଦକ ଜିତିଛନ୍ତି।

ସୌରଭ ତିୱାରୀ (ବନ୍ଧୁକଚାଳନା)
ସୌରଭ ତିୱାରୀ ୧୦ ମିଟର ଏୟାର ପିସ୍ତଲ ବ୍ୟକ୍ତିଗତ ଏବଂ ୧୦ ମିଟର ଏୟାର ପିସ୍ତଲ ମିଶ୍ରିତ ଦଳଗତରେ ଟୋକିଓ ଅଲିମ୍ପିକ୍ସ ଖେଳିବେ। ବିଶ୍ବକପ୍, ଯୁବ ଅଲିମ୍ପିକ୍ସ, ଏସୀୟ କ୍ରୀଡ଼ା ଭଳି ପ୍ରତିଯାଗିତାରେ ପଦକ ଜିତି ସାରିଥିବା ସୌରଭ ନିଜ ଉଜ୍ଜ୍ବଳ କ୍ରୀଡ଼ା ଜୀବନରେ ଅଲିମ୍ପିକ୍ସ ପଦକ ଯୋଡ଼ିବାକୁ ନିଶ୍ଚିତ ଭାବେ ଆପ୍ରାଣ ଉଦ୍ୟମ କରିବେ।

ଭାରତୀୟ ହକି ଦଳ
ବ୍ୟକ୍ତିଗତ ବର୍ଗ ଛଡ଼ା ଦଳଗତ ଭାବେ ଭାରତୀୟ ପୁରୁଷ ଓ ମହିଳା ହକି ଦଳଠାରୁ ମଧ୍ୟ ପଦକ ଆଶା କରାଯାଇପାରେ। ଭାରତୀୟ ପୁରୁଷ ଦଳ ସଂପ୍ରତି ବିଶ୍ବ ମାନ୍ୟତାର ଶୀର୍ଷ ୫ ଭିତରେ ଥିଲା ବେ‌ଳେ ମହିଳା ଦଳ ଶ୍ରେଷ୍ଠ ୧୦ ଭିତରେ ରହିଛି। ଉଭୟ ଦଳରେ ବହୁ ପ୍ରତିଭାବାନ ଖେଳାଳି ଅଛନ୍ତି। ହକିରୁ ମଧ୍ୟ ଭାରତ ସର୍ବାଧିକ ଅଲିମ୍ପିକ୍ସ ପଦକ ଜିତିଛି। ଏଥର ଭାରତୀୟ ପୁରୁଷ ହକି ଦଳରେ ଦୁଇ ଓଡ଼ିଆ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହି ଦାସଙ୍କୁ ଦେଖିବାକୁ ମିଳିବ। ମହିଳା ଦଳରେ ଦୀପଗ୍ରେସ୍ ଏକ୍କା ରହିବେ। ବୀରେନ୍ଦ୍ର ଓ ଦୀପଗ୍ରେସ୍ ଉପଅଧିନାୟକ ପଦ ପାଇଥିବାରୁ ଏଥରର ଅଲିମ୍ପିକ୍ସ ଓଡ଼ିଶା ହକି ପାଇଁ ସ୍ବତନ୍ତ୍ର ହେବାକୁ ଯାଉଛି।

ସମ୍ବନ୍ଧିତ ଖବର