ଅହମଦାବାଦ: ୭୩ ଦିନ ଓ ୭୪ ମ୍ୟାଚ୍‌ର ଜବରଦସ୍ତ ଲଢ଼େଇ ପରେ ଆଇପିଏଲ୍‌କୁ ମିଳିଛି ନୂଆ ବିଜେତା। ଅସୀମିତ ରୋମାଞ୍ଚ, ଅପୂର୍ବ ଉତ୍କଣ୍ଠା ତଥା ଘଡ଼ିଘଡ଼ିକେ ମୋଡ଼ ବଦଳାଉଥିବା ଫାଇନାଲ୍‌ରେ ପଞ୍ଜାବ କିଙ୍ଗ୍ସକୁ ୬ ରନ୍‌ରେ ହରାଇ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ପୂରଣ କରିଛି ବହୁ ପ୍ରତୀକ୍ଷିତ ଅଧୁରା ସ୍ବପ୍ନ। ପ୍ରଥମ ଥର ହୋଇଛି ବିଜେତା। ୧୮ ବର୍ଷ ପରେ ବି ଆଇପିଏଲ୍‌ର ଆକର୍ଷଣୀୟ ଟ୍ରଫି ତୋଳି ଧରିବାର ଗୌରବ ଅର୍ଜନ କରିଛି। ତା’ ସହିତ ଅଷ୍ଟାଦଶ ସଂସ୍କରଣରେ ୧୮ ନମ୍ବର ଜର୍ସି ପିନ୍ଧୁଥିବା ବରିଷ୍ଠ ଖେଳାଳି ତଥା କିଂବଦନ୍ତି ତାରକା ବିରାଟ କୋହଲିଙ୍କୁ ବହୁ ପ୍ରତୀକ୍ଷିତ ବିଜୟ ଭେଟି ଦେଇଛି ଆର୍‌ସିବି। 

Advertisment

ଅଧୁରା ରହିଲା ପ୍ରୀତିଙ୍କ ସ୍ବପ୍ନ, ୬ ରନ୍‌ରେ ହାରିଲା ପଞ୍ଜାବ କିଙ୍ଗ୍‌ସ

ଏହି ଅପୂର୍ବ ସଂଯୋଗରେ ନିଜ ଖେଳ ଜୀବନର ପ୍ରଥମ ଆଇପିଏଲ୍ ଟ୍ରଫି ଜିତିଥିବା କୋହଲି ମଧ୍ୟ ପୂରା ଭାବବିହ୍ବଳ ହୋଇ ଖୁସିରେ କାନ୍ଦି ପକାଇଛନ୍ତି। ପୁଣି ଆର୍‌ସିବି ଆଇପିଏଲ୍‌ରେ ବିଜେତା ହୋଇଥିବା ରାଜସ୍ଥାନ ରୟାଲ୍‌ସ, ଡେକାନ୍ ଚାର୍ଜର୍ସ, ଚେନ୍ନାଇ ସୁପରକିଙ୍ଗ୍ସ, କୋଲକାତା ନାଇଟ୍ ରାଇଡର୍ସ, ମୁମ୍ବାଇ ଇଣ୍ଡିଆନ୍ସ, ସନ୍‌ରାଇଜର୍ସ ହାଇଦ୍ରାବାଦ ଓ ଗୁଜରାଟ ଟାଇଟନ୍ସଙ୍କ ଭଳି ଦଳଙ୍କ କ୍ଲବ୍‌ରେ ସାମିଲ ହୋଇଛି। ଅନ୍ୟପକ୍ଷରେ ପୂରା ଲିଗ୍‌ରେ ପରାକ୍ରମୀ କ୍ରିକେଟ୍ ଖେଳିଥିବା ପଞ୍ଜାବ ଅନ୍ତିମ ଲଢ଼େଇରେ ଝୁଣ୍ଟିବା ପରେ ତା’ର ସ୍ବପ୍ନ ଚୂର୍‌ମାର୍‌ ହୋଇଯାଇଛି। ବଳିଷ୍ଠ ନେତୃତ୍ବରେ ପଞ୍ଜାବକୁ ଫାଇନାଲ୍‌ରେ ପହଞ୍ଚାଇଥିବା ଅଧିନାୟକ ଶ୍ରେୟସ୍ ଆୟର ଶେଷ ଲଢ଼େଇରେ ଝୁଣ୍ଟିବା ପଞ୍ଜାବ ପାଇଁ କାଳ ହୋଇଛି। ଆରସିବିର ଅଭ୍ୟୁଦୟ କିନ୍ତୁ ଆଇପିଏଲ୍ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ିଛି।

ଅହମଦାବାଦର ମୋଟେରାସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଉଭୟ ଦଳ ପାଇଁ ଥିଲା ସୁଯୋଗ ଓ ସମ୍ଭାବନା। ଆର୍‌ସିବି ଶେଷ କିଛି ଓଭରରେ ଘୋର ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୪୫ ରନ୍‌ରେ ୫ ୱିକେଟ୍ ହରାଇବା ଦଳର ପ୍ରଶଂସକଙ୍କୁ ଆଶଙ୍କାରେ ପକାଇଥିଲା। ହେଲେ ଆର୍‌ସିବି ବୋଲର ଭିନ୍ନ ଯୋଜନାରେ ଥିଲେ। ସ୍ପିନ୍ ଅଲରାଉଣ୍ଡର୍ କ୍ରୁନାଲ ପାଣ୍ଡ୍ୟାଙ୍କ ଚକ୍ରବ୍ୟୂହରେ ଫସି ପଞ୍ଜାବ ୯୮ ରନ୍‌ରେ ୪ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ପଞ୍ଜାବକୁ ସବୁଠୁ ବଡ଼ ଝଟ୍‌କା କିନ୍ତୁ ରୋମାରିଓ ସେଫର୍ଡ ଦେଇଥିଲେ। ଚମତ୍କାର ଫର୍ମରେ ଥିବା ଆୟରଙ୍କୁ ୧ ରନ୍‌ରେ ଅଟକାଇ ଆର୍‌ସିବି ପଲାକୁ ଭାରି କରି ଦେଇଥିଲେ। ଭୁବନେଶ୍ବର କୁମାର ଗୋଟିଏ ଓଭରରେ ଦୁଇଟି ୱିକେଟ୍ ନେବା ପରେ ଆର୍‌ସିବି ବିଜୟ ପକ୍କା ହୋଇଯାଇଥିଲା। ୧୯୧ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛ‌ା କରିଥିବା ପଞ୍ଜାବ ୧୮୪/୭ ରନ୍‌ରେ ଅଟକି ନୈରାଶ୍ୟଜନକ ଭାବେ ଉପବିଜେତାରେ ସନ୍ତୁଷ୍ଟ ରହିଥିଲା। ୨୦୧୭ ମସିହା ପରଠାରୁ କ୍ବାଲିଫାୟର-୧ ଜିତି ଫାଇନାଲ୍ ଜିତିବା ଧାରା ବି ଅତୁଟ ରହିଥିଲା। ତେବେ ପ୍ରତିଯୋଗିତାରେ ସର୍ବାଧିକ ରନ୍ କରି ଏବଂ ସର୍ବାଧିକ ୱିକେଟ୍ ଦଖଲ କରି ଗୁଜରାଟ ଟାଇଟନ୍ସର ସାଇ ସୁଦର୍ଶନ, ପ୍ରସିଦ୍ଧ କ୍ରିଷ୍ଣା ଯଥାକ୍ରମେ ନାରଙ୍ଗୀ ଓ ବାଇଗଣୀ ଟୋପି ଜିତିଥିଲେ।