କୋହଲିଙ୍କ ପାଇଁ କମ୍ପିଲା ବାରବାଟୀ, ଅଭ୍ୟାସ ଦେଖିଲେ ୧୮,୦୦୦ ଦର୍ଶକ

କଟକ: ରବିବାର ଖେଳାଯିବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ ମ୍ୟାଚ୍ ଲାଗି ଶନିବାର ଦୁଇ ଦଳ ବାରବାଟୀରେ ଅଭ୍ୟାସ କରିଥିଲେ। ସକାଳେ ଭାରତୀୟ ଦଳ ଯାଇଥିଲା ବେଳେ ଅପରାହ୍‌ଣରେ ୱେଷ୍ଟଇଣ୍ଡିଜ୍ ଖେଳାଳିମାନେ ପଡ଼ିଆ ଓ ପିଚ୍ ପରଖିଥିଲେ। ଭାରତୀୟ ଦଳକୁ ଦେଖିବା ଲାଗି ଷ୍ଟାଡିୟମରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଏପରିକି ୧୮ରୁ ୨୦ ହଜାର ଦର୍ଶକଙ୍କ ଉପସ୍ଥିତି ପାଇଁ ମ୍ୟାଚ୍ ଦିନର ଭ୍ରମ ସୃଷ୍ଟି ହୋଇଥିଲା। ଭାରତୀୟ ଦଳରେ ‌ଲୋକେଶ ରାହୁଲ, ୟୁଜବେନ୍ଦ୍ର ଚହଲ ଏବଂ ମହମ୍ମଦ ସାମିଙ୍କ ଭଳି ୫ ଜଣ ଖେଳାଳି କିନ୍ତୁ ଅଭ୍ୟାସ ପାଇଁ ଆସି ନଥିଲେ। ଭାରତୀୟ ଦଳର ନେଟ୍ ବେଳେ ‌ଓଡ଼ିଶା ରଣଜୀ ଦଳର ଦୁଇ ତାରକା ବିପ୍ଳବ ସାମନ୍ତରାୟ ଏବଂ ଗୋବିନ୍ଦ ପୋଦ୍ଦାର ମଧ୍ୟ ଉପସ୍ଥିତ ଥିଲେ। ସେହିଭଳି ମାଷ୍ଟର ବ୍ଲାଷ୍ଟର ସଚିନ ତନ୍ଦୁଲକରଙ୍କର ସବୁଠାରୁ ବଡ଼ ପ୍ରଶଂସକ ସୁଧୀର ଗୌତମ ତ୍ରିରଙ୍ଗା ହଲାଇ ଭାରତୀୟ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ବିରାଟ କୋହଲିଙ୍କ ଓଡ଼ିଆ ପ୍ରଶଂସକ ପିଣ୍ଟୁ ବେହେରା ମଧ୍ୟ ଷ୍ଟାଡିୟମରେ ରହି ଭାରତୀୟ ଖେଳାଳିଙ୍କ ଅଭ୍ୟାସ ଦେଖିଥିଲେ।

କୋହଲିଙ୍କ ପାଇଁ ବାରବାଟୀ କମ୍ପିଲା
ବାରବାଟୀରେ ବିରାଟ କୋହଲିଙ୍କ ଟିକେ ଝଲକ ପାଇବାକୁ ଦର୍ଶକ ପୂରା ପାଗଳ। ତେଣୁ ଯେତେବେଳେ ଅଭ୍ୟାସ ପାଇଁ କୋହଲି ପଡ଼ିଆ ଭିତରକୁ ପ୍ରବେଶ କଲେ, ସେତେବେଳେ ଦର୍ଶକଙ୍କ ରୋମାଞ୍ଚ ବଢ଼ିଯାଇଥିଲା। ବିରାଟ ବିରାଟ ଡାକରେ ଷ୍ଟାଡିୟମ କମ୍ପୁଥିଲା। କୋହଲି ଆସୁଆସୁ ପ୍ରଥମେ କିଛି ସମୟ ଅଭ୍ୟାସ କଲେ ଓ ଏହାପରେ ନେଟ୍ସରେ ପହଞ୍ଚିଯାଇଥିଲେ। ସେଠାରେ ଓଡ଼ିଶାର ବିଭିନ୍ନ ବୟସ ବର୍ଗରୁ ଆସିଥିବା ବୋଲରମାନେ କୋହଲିଙ୍କୁ ବଲ୍‌ ପକାଇଥିଲେ। ପାଖାପାଖି ୨୦ ମିନଟ୍‌ ପର୍ଯ୍ୟନ୍ତ ବୋଲରଙ୍କୁ ସାମ୍‌ନା କରିବା ପରେ ସେ ଅନ୍ୟପଟ ନେଟ୍ସକୁ ଆସିଥିଲେ। ସେଠାରେ ଟ୍ରେନରମାନେ କୋହଲିଙ୍କୁ ବ୍ୟାଟି˚ ଅଭ୍ୟାସ କରାଇଥିଲେ। ତେବେ ଏଠାରେ କୋହଲି ଯେଉଁଆଡେ ବୁଲୁଥିଲେ ନେଟ୍ସ ପାଖରେ ଗଦା ହୋଇଥିବା ତାଙ୍କର ପ୍ରଶ˚ସକମାନେ ମଧ୍ୟ ସେହିଆଡେ ବୁଲୁଥିଲେ। ପରିସ୍ଥିତି ଏମିତି ହୋଇଥିଲା ଯେ ପୁଲିସ୍‌କୁ ହସ୍ତକ୍ଷେପ କରିବାକୁ ପଡିଥିଲା। ଦର୍ଶକମାନଙ୍କୁ ଦୂରେଇବା ପରେ କୋହଲି ପୁଣି ନେଟ୍ସ କରିଥିଲେ। ପରେ କର୍ପୋରେଟ ବକ୍ସ ପାଖକୁ କୋହଲି କ୍ୟାଚ୍‌ ଅଭ୍ୟାସ କରିବାକୁ ଯାଇଥିବା ବେଳେ ୬ ନମ୍ବର ଗ୍ୟାଲେରିରୁ ଦର୍ଶକମାନେ ତାଙ୍କୁ ପ୍ରଶ˚ସା କରୁଥିବା ଦେଖାଯାଇଥିଲା।

ଅଭ୍ୟାସ ଉପଭୋଗ କଲେ ମୁଖ୍ୟ ବିଚାରପତି
ଭାରତୀୟ ଦଳର ଅଭ୍ୟାସ ସମୟରେ ବାରବାଟୀରେ ପହଞ୍ଚିଥିଲେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବଚାରପତି ଜଷ୍ଟିସ୍‌ କେ ଏସ୍‌ ଜାଭେରି। ତାଙ୍କ ସହ ଥିଲେ ଓଡ଼ିଶା ବାର‌୍‌ କାଉନସିଲ ଅଧ୍ୟକ୍ଷ ତଥା ଆଡଭୋକେଟ୍ ଜେନେରାଲ ଅଶୋକ କୁମାର ପରିଜା। ଉଭୟ ଭାରତୀୟ ଦଳର ଅଭ୍ୟାସ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଉପଭୋଗ କରିଥିଲେ। ଏପରିକି ପଡ଼ିଆରେ କେଦାର ଯାଦବ ଓ ଡ୍ରେସି˚ ରୁମ୍‌ ଭିତରେ ବିରାଟ କୋହଲି, ରବି ଶାସ୍ତ୍ରୀଙ୍କ ସହ ଫଟୋ ମଧ୍ୟ ଉଠାଇଥିଲେ। ପରେ କିଛି ସମୟ ପାଇଁ ଓସିଏ ସମ୍ପାଦକଙ୍କ ପ୍ରକୋଷ୍ଠରେ କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଥିଲେ।

ରେଫରିଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ
ମ୍ୟାଚ ରେଫରି ଡେଭିଡ୍‌ ବୁନ୍‌ଙ୍କ କାର‌୍‌ ଦୁର୍ଗଟଣାଗ୍ରସ୍ତ ହୋଇଛି। ଶନିବାର ବାରବାଟୀ ଷ୍ଟାଡିୟମରେ ସମସ୍ତ ବ୍ୟବସ୍ଥା ଅନୁଧ୍ୟାନ କରିବା ପରେ ସେ ଭୁବନେଶ୍ବର ଫେରୁଥିବା ବେଳେ ଯୋବ୍ରା ନିକଟରେ ତାଙ୍କ କାର‌୍‌ ଦୁର୍ଘଟଣାର ଶିକାର ହୋଇଥିଲା। ତାଙ୍କ ପଛରେ ଥିବା ଆଉ ଏକ ଇନୋଭା କାର୍ ମଧ୍ୟ ଏଥିରେ କ୍ଷତିଗ୍ରସ୍ତ ହୋଇଥିଲା। ତେବେ ଏଥିରେ ଡେଭିଡ୍‌ ସୁରକ୍ଷିତ ରହିଯାଇଥିଲା ବେଳେ ସେ ଯାଉଥିବା କାର‌୍‌ର ଆଗ ଓ ପଛ ଚେପା ହୋଇଯାଇଛି। ସୂଚନା ଅନୁଯାୟୀ, ଯୋବ୍ରାଠାରେ ଡେଭିଡ୍‌ଙ୍କ କାର‌୍‌ ଆଗରେ ପୁଲିସ୍‌ ପାଇଲଟ ଗାଡ଼ି ଯାଉଥିଲା। ହଠାତ୍‌ ପାଇଲଟ ଗାଡ଼ି ଆଗକୁ ଏକ ଗାଇ ଜୋର‌୍‌ରେ ଦୌଡ଼ି ଆସିଯିବାରୁ ଡ୍ରାଇଭର ବ୍ରେକ୍‌ ମାରିଦେଇଥିଲେ। ଯାହାଫଳରେ ପଛପଟୁ ଆସୁଥିବା ଡେଭିଡ୍‌ଙ୍କ କାର‌୍‌ ପାଇଲଟ୍‌ ଗାଡ଼ି ସହିତ ଧକ୍କା ହୋଇଥିଲା। ଏହାଦ୍ବାରା ଡେଭିଡ୍‌ଙ୍କ କାର‌୍‌ ଆଗପଟ ଚେପା ହୋଇଯାଇଥିଲା। ତେବେ ଡେଭିଡ୍‌ ସୁରକ୍ଷିତ ଥିବା ଓସିଏ ପକ୍ଷରୁ କୁହାଯାଇଛି। ତୁରନ୍ତ ଆଉ ଏକ କାର‌୍‌ ଯୋଗେ ତାଙ୍କୁ ଭୁବନେଶ୍ବର ହୋଟେଲ୍‌କୁ ନିଆଯାଇଥିଲା।

ସମ୍ବନ୍ଧିତ ଖବର