ଦ୍ଵିତୀୟ ଟି୨୦: ଭାରତ ଆଗରେ ୧୮୪ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଶ୍ରୀଲଙ୍କା

ଧର୍ମଶାଳା: ହିମାଚଳ ପ୍ରଦେଶର ଧର୍ମଶାଳାରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ଵିତୀୟ ଟି୨୦ ମ୍ୟାଚ ଜାରି ରହିଛି। ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ଟି ଓ୍ଵିକେଟ୍ ହରାଇ ୧୮୩ ରନ୍ କରିଛି। ଶ୍ରୀଲଙ୍କାର ଓପନିଂ ବ୍ୟାଟର୍ ପାଥୁମ୍ ନିଶାଙ୍କ ଓ ଧନୁଷ୍କା ଗୁଣତିଳକ ପ୍ରଥମ ଓ୍ଵିକେଟରେ ୮.୪ ଓଭରରେ ୬୭ ରନ୍ ଯୋଡିଥିଲେ। ଗୁଣତିଳକ ୨୯ଟି ବଲରେ ୪ଟି ଚୌକା ଓ ୨ଟି ଛକା ସହ ୨୯ ରନ୍ କରିଥିଲେ। ଏହାପରେ ଚରିଥ୍ ଅଶଲଙ୍କା ୫ଟି ବଲ୍ ଖେଳି ୨ ରନରେ ଆଉଟ୍ ହୋଇଥିଲେ। ଶ୍ରୀଲଙ୍କାର ମଧ୍ୟକ୍ରମର ବ୍ୟାଟର୍ କାମିଲ୍ ମିଶାରା ଓ ଅଧିନାୟକ ଦିନେଶ ଚନ୍ଦିମାଲ ମଧ୍ୟ ସେଭଳି କୌଣସି ଉଲ୍ଲେଖନୀୟ ରନର ଅବଦାନ ନ କରି ଯଥାକ୍ରମେ ୧ ଓ ୯ ରନରେ ଆଉଟ୍ ହୋଇଯାଇଥିଲେ।

ପାଥୁମ୍ ନିଶାଙ୍କ ଶ୍ରୀଲଙ୍କା ତରଫରୁ ଭଲ ଖେଳି ୫୩ଟି ବଲରେ ୧୧ଟି ଚୌକା ସହ ସର୍ବାଧିକ ୭୫ ରନ୍ କରି ଆଉଟ୍ ହୋଇଥିଲେ। ତେବେ ଶ୍ରୀଲଙ୍କା ତରଫରୁ ସବୁଠାରୁ ଆକର୍ଷଣୀୟ ଓ ବିସ୍ଫୋରକ ବ୍ୟାଟିଂ କରିଥିଲେ ଦଶୁନ୍ ଶନକା। ସେ ମାତ୍ର ୧୯ଟି ବଲ୍ ଖେଳି ୫ଟି ଛକା ଓ ୨ଟି ଚୌକା ସହ ୪୭ ରନ୍ କରି ଅପରାଜିତ ରହିଥିଲେ।
ଭାରତ ପକ୍ଷରୁ ସମସ୍ତ ୫ ଜଣ ବୋଲର୍ ଯଥା ଭୁବନେଶ୍ଵର୍ କୁମାର, ଜସପ୍ରୀତ୍ ବୁମରା, ହର୍ଷଲ୍ ପଟେଲ, ୟୁଜବେନ୍ଦ୍ର ଚହଲ ଓ ରବୀନ୍ଦ୍ର ଜାଦେଜା ଗୋଟିଏ ଲେଖାଏଁ ଓ୍ଵିକେଟ୍ ଅକ୍ତିଆର କରିଥିଲେ।

ସମ୍ବନ୍ଧିତ ଖବର