ଦୁବାଇ : ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଆଜି ଖେଳାଯାଇଥିବା ଏସିଆ କପ ଗ୍ରୁପ-ବିର ଏକ ମ୍ୟାଚରେ ଶ୍ରୀଲଙ୍କା ଆଗରେ ୧୮୪ ରନର ବିଜୟ ଲକ୍ଷ୍ୟ ରଖିଛି ବାଂଲାଦେଶ । ଉଭୟ ଦଳ ପାଇଁ ଏହି ମ୍ୟାଚ ଗୁରୁତ୍ବପୂର୍ଣ୍ଣ ହୋଇଥିବାବେଳେ ବାଂଲାଦେଶର ବ୍ୟାଟ୍ସମ୍ୟାନମାନେ ଏକ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇଛନ୍ତି ।

Advertisment

ଏହି ମ୍ୟାଚରେ ଶ୍ରୀଲଙ୍କା ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୮୩ ରନ କରିଥିଲା । ବାଲାଂଦେଶ ପକ୍ଷରୁ ମେହଦି ହସନ ମିରାଜ ୩୮ ରନ କରିଥିବାବେଳେ ସାକିବଲ ହସଲ ୨୪ରନ କରିଥିଲେ । ସେହିପରି ଆଫିଫ ହୁସେନ ୩୯ ରନ କରିଥିବାବେଳେ ମହମ୍ମଦୁଲ୍ଲା ଓ ମୋସାଦେକ ହୁସେନ ଯଥାକ୍ରମେ ୨୭ ଓ ୨୪ ରନ କରିଥିଲେ ।

ଶ୍ରୀଲଙ୍କା ପକ୍ଷରୁ ଓ୍ବାନିଣ୍ଡୁ ହସରଙ୍ଗା ଓ ଚାମିକା କରୁଣାରତ୍ନେ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ସେହିପରି ଦିଲସାନ ମଧୁଶଙ୍କା,ମହିସ ଥିକସଙ୍କା ଓ ଅସିଥା ଫର୍ଣ୍ଣାଣ୍ଡୋ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ଏସିଆ କପ୍ ଗ୍ରୁପ-ବିରେ ସ୍ଥିତି ଏବେ ରୋଚକ ସ୍ତରରେ ପହଞ୍ଚିଯାଇଛି । ଉଭୟ ଶ୍ରୀଲଙ୍କା ଓ ବାଂଲାଦେଶ ନିଜ ନିଜର ପ୍ରଥମ ମ୍ୟାଚରେ ଆଫଗାନିସ୍ତାନଠାରୁ ପରାସ୍ତ ହୋଇଛନ୍ତି । ଏହି ଦୁଇଟି ମ୍ୟାଚ ଜିତି ଆଫଗାନିସ୍ତାନ ସୁପର-୪ରେ ପ୍ରବେଶ କରିସାରିଛି । ଗ୍ରୁପ-ଏରୁ ଭାରତ ମଧ୍ୟ ୨ଟି ମ୍ୟାଚ ଜିତି ସୁପର-୪ରେ ପ୍ରବେଶ କରିସାରିଛି ।