ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୧୬ତମ ସଂସ୍କରଣର ୨୨ତମ ମ୍ୟାଚ୍ରେ ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ୍ ରାଇର୍ଡସ ମୁହାଁମୁହିଁ ହୋଇଛି। ମୁମ୍ବାଇର ୱାନ୍ଙ୍ଖେଡେ ଷ୍ଟାଡିୟମରେ ଟସ୍ ଜିଣି ମୁମ୍ବାଇ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ କୋଲକାତା ବ୍ୟାଟିଂ କରିଥିଲା। ନିତିଶ ରାଣାଙ୍କ ନେତୃତ୍ବରେ କୋଲକାତା ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍ ହରାଇ ୧୮୫ ରନ୍ କରିଛି। ଏଥିରେ ଭେଙ୍କଟେଶ ଆୟରଙ୍କ ଶତକ ସାମିଲ ରହିଛି। ମୁମ୍ବାଇକୁ ୧୮୬ ରନ୍ର ବିଜୟ ଲକ୍ଷ୍ୟ ମିଳିଛି।
କୋଲକାତାର ପାଳି ଆରମ୍ଭ କରିଥିଲେ ରହମାନୁଲ୍ଲା ଗୁରବାଜ ଓ ଏନ୍ ଜଗଦୀସନ। କ୍ୟାମରନ ଗ୍ରୀନ୍ ବଲ୍ ସାମ୍ନା କରିବାକୁ ବିଫଳ ହୋଇ ଜଗଦୀଶନ ଖାତା ନ ଖୋଲି ପାଭଲିଅନ ଫେରିଥିଲେ। ମାତ୍ର ୧୧ ରନ୍ର ସ୍କୋରରେ କୋଲକାତାକୁ ପ୍ରଥମ ଝଟକା ମିଳିଥିଲା। ରହମାନୁଲ୍ଲା ଓ ଭେଙ୍ଗଟେଶ ଆୟର ଦ୍ବିତୀୟ ୱିକେଟ୍ ପାଇଁ ୪୬ ରନ୍ ସଂଗ୍ରହ କରିଥିଲେ। ରହମାନୁଲ୍ଲା ବ୍ୟକ୍ତିଗତ ଭାବେ ୮ ରନ୍ ସଂଗ୍ରହ କରି ପାଭଲିଅନ ଫେରିଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିଲେ ଅଧିନାୟକ ନିତିଶ ରାଣା (୫ରନ୍)। ସାର୍ଦ୍ଦୁଲ ଠାରକୁ ୧୩ ରନ୍, ରିଙ୍କୁ ସିଂ ୧୮ ରନ୍ ଯୋଡ଼ିଥିଲେ। କୋଲକାତା ୧୨୩ ରନ୍ରେ ୪ ଜଣ ବ୍ୟାଟରଙ୍କୁ ହରାଇ ସାରିଥିଲା।
ତେବେ କୋଲକାତାକୁ ବଡ଼ ସ୍କୋର ଦେବାରେ ଭେଙ୍କଟେଶ ଆୟର ବଡ଼ ଭୂମିକା ତୁଲାଇଥିଲେ। ଆୟର ୫୧ଟି ବଲ୍ ଖେଳି ଶତକ (୧୦୪ ରନ୍) ହାସଲ କରିଥିଲେ। ଏଥିରେ ୬ଟି ଚୌକା ଓ ୯ଟି ଛକା ସାମିଲ ଥିଲା। ମୁମ୍ବାଇ ପାଇଁ ହ୍ରିତିକ ଶୋଖୀନ ସର୍ବାଧିକ ୨ଟି ୱିକେଟ ନେଇଥିଲେ। କେମରନ ଗ୍ରୀନ, ଡୁଆନ ଜନସେନ୍, ପିୟୁଷ ଚାୱଲା ଓ ରିଲେ ମେରଡିହିଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା।