ଟି-୨୦ ବିଶ୍ବକପ୍ : ଦକ୍ଷିଣ ଆଫ୍ରିକା ଆଗରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା ପାକିସ୍ତାନ

ସିଡନି : ଅଷ୍ଟ୍ରେଲିଆର ସିଡନି କ୍ରିକେଟ ଗ୍ରାଉଣ୍ଡଠାରେ ଖେଳାଯାଉଥିବା ଟି-୨୦ ବିଶ୍ବକପରେ ଦକ୍ଷିଣ ଆଫ୍ରିକା ଆଗରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଛି ପାକିସ୍ତାନ ।

ପାକିସ୍ତାନ ପାଇଁ ଏହି ମ୍ୟାଚ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଥିବାବେଳେ ପାକିସ୍ତାନ ବ୍ୟାଟ୍ସମ୍ୟାନମାନେ ଲଢୁଆ ବ୍ୟାଟିଂ କରି ଏକ ବଡ଼ ସ୍କୋର ଛିଡ଼ା କରିପାରିଛନ୍ତି ।

ଏହି ମ୍ୟାଚରେ ପାକିସ୍ତାନ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ମାତ୍ର ଆରମ୍ଭରୁ ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନ ବାବର ଆଜମ, ମହମ୍ମଦ ରିଜଓ୍ବାନଙ୍କ ଓ୍ବିକେଟ୍ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଏପରିକି ଦଳ ୪୩ ରନରେ ୪ଟି ଓ୍ବିକେଟ୍ ହରାଇ ଏକ ବଡ଼ ସଂକଟରେ ପଡ଼ିଯାଇଥିଲା । ମାତ୍ର ଇଫତିଖାର ମହମ୍ମଦ, ସଦାବା ଖାଁ ଓ ମହମ୍ମଦ ନଓ୍ବାଜ୍ ଲଢୁଆ ବ୍ୟାଟିଂ କରି ଦଳକୁ ବିପର୍ଯ୍ୟୟରୁ ରକ୍ଷା କରିବା ସହ ଏକ ବଡ଼ ସ୍କୋର ଛିଡ଼ା କରିଥିଲେ । ତେବେ ଶେଷ ବେଳକୁ ଦଳ ପୁଣି କେତୋଟି ଓ୍ବିକେଟ୍ ଅଳ୍ପରନ ବ୍ୟବଧାନରେ ହରାଇଥିଲା । ଶେଷକୁ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ବିକେଟ୍ ହରାଇ ୧୮୫ ରନ କରିଥିଲା ।

ଦକ୍ଷିଣ ଆଫ୍ରିକା ପକ୍ଷରୁ ଆନରିଚ୍ ନୋରଜି ୪ଟି ଓ୍ବିକେଟ ନେଇଥିବାବେଳେ ଓ୍ବାଇନ ପାରନେଲ, କାସିଗୋ ରବାଡା, ଲୁଙ୍ଗି ଏନଗିଡି ଓ ତବରେଜ୍ ସାମସି ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର