୮୮ ଖେଳାଳିଙ୍କୁ ୧୯.୬ ଲକ୍ଷ ପ୍ରୋତ୍ସାହନ

Advertisment
୮୮ ଖେଳାଳିଙ୍କୁ ୧୯.୬ ଲକ୍ଷ ପ୍ରୋତ୍ସାହନ

ଭୁବନେଶ୍ବର: କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ଠାରେ ‌ମଙ୍ଗଳବାର ଆୟୋଜିତ ଏକ ଉତ୍ସବରେ ନିକଟ ଅତୀତରେ ବିଭିନ୍ନ କ୍ରୀଡ଼ାରେ ଚମତ୍କାର ପ୍ରଦର୍ଶନ କରି ରାଜ୍ୟ ପାଇଁ ଗୌରବ ଆଣିଥିବା ୮୮ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି। ଏହି ଉତ୍ସବରେ ଓଡ଼ିଶା ହକି ବିକାଶ ପରିଷଦ ସିଇଓ ଦୀପଙ୍କର ମହାପାତ୍ର ଅତିଥି ଭାବେ ଯୋଗ ଦେଇ ଖେଳାଳିମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଅର୍ଥରାଶି ପ୍ରଦାନ କରିଥିଲେ। ଦଳଗତ ଓ ବ୍ୟକ୍ତିଗତ ଇଭେଣ୍ଟ୍‌ର ବିଭିନ୍ନ କ୍ରୀଡ଼ା ସହ ପାରା କ୍ରୀଡ଼ା ଓ ଦୃଷ୍ଟିବାଧିତ କ୍ରୀଡ଼ାରେ ଚମତ୍କାର ‌ପ୍ରଦର୍ଶନ ଦେଇଥିବା ଖେଳାଳିମାନେ ଏଥିରେ ସାମିଲ ହୋଇଥିଲେ। ଏହି ୮୮ ଖେଳାଳିଙ୍କୁ ମୋଟ ୧୯,୬୫,୦୦୦ ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯାଇଛି।

କନିଷ୍ଠ ଜାତୀୟ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବା ବାଳିକା ଦଳ ଏବଂ ଜାତୀୟ ଦୃଷ୍ଟିବାଧିତ ମହିଳା କ୍ରିକେଟ୍‌ ପ୍ରତିଯୋଗିତା ବିଜେତା ଓଡ଼ିଶା ଦଳର ସମସ୍ତ ଖେଳାଳିଙ୍କୁ ୨୦ହଜାର ଟଙ୍କା ଲେଖାଏଁ ମିଳିଛି। ଜାତୀୟ ପାରା ଦୌଡ଼କୁଦ ପ୍ରତିଯୋଗିତାରେ ୪ ଲେଖାଏଁ ସ୍ବର୍ଣ୍ଣ ଓ ରୌପ୍ୟ ଜିତିଥିବା ଓଡ଼ିଶାର ୮ ଖେଳାଳିଙ୍କୁ ମୋଟ ୩,୨୦,୦୦୦ ଟଙ୍କା ମିଳିଛି। ଓଡ଼ିଶାରେ ଆୟୋଜିତ ଜାତୀୟ ବରିଷ୍ଠ ଜିମ୍ନାଷ୍ଟିକ୍ସରେ ଓଡ଼ିଶାର ଶ୍ରେଷ୍ଠ ୧୫ ପ୍ରଦର୍ଶନକାରୀଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଛି। ଜାତୀୟ ଭାରୋତ୍ତୋଳନରେ ଓଡ଼ିଶାର ପଦକ ବିଜେତାମାନଙ୍କୁ ୪୦ ହଜାର (ସ୍ବର୍ଣ୍ଣ), ‌୨୭ ହଜାର (ରୌପ୍ୟ) ଓ ୧୭ ହଜାର (କାଂସ୍ୟ) ଟଙ୍କା ମିଳିଛି। ପ୍ରୋତ୍ସାହନ ରାଶି ପାଇଥିବା ତାରକା ଖେଳାଳିମାନଙ୍କ ମଧ୍ୟରେ ରହିଛନ୍ତି ଜୟନ୍ତୀ ବେହେରା, ସୁଚିତ୍ରା ପରିଡ଼ା, ପଙ୍କଜ ଭୁଏ (ପାରା ଆଥ୍‌ଲେଟ୍‌), ଜ୍ୟେତ୍ସ୍ନା ଶବର, ମୀନା ସାନ୍ତା (ଭାରୋତ୍ତୋଳକ), ତପନ ମହାନ୍ତି, ରାକେଶ କୁମାର ପାତ୍ର, ମହମ୍ମଦ ଆନସ (ଜିମ୍ନାଷ୍ଟ), ବାପି ହାଁସ୍‌ଦା ଓ ସବିତା ଟପ୍ପୋ (ଆଥ୍‌ଲେଟ୍‌)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe