୧୯ ବର୍ଷରୁ କମ୍‌ ମହିଳା ଦିନିକିଆ: ବିଜୟ ସହ ଓଡ଼ିଶାର ଅଭିଯାନ ଶେଷ

କଟକ: ଗୁଆହାଟୀରେ ଚାଲିଥିବା ୧୯ ବର୍ଷରୁ କମ୍‌ ମହିଳା ଦିନିକିଆ କ୍ରିକେଟ୍‌ର ଲିଗ୍‌ ପର୍ଯ୍ୟାୟ ଗୁରୁବାର ଶେଷ ହୋଇଛି। ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଓଡ଼ିଶା ୬ ଵିକେଟ୍‌ରେ କେରଳକୁ ପରାସ୍ତ କରି ଅଭିଯାନ ଶେଷ କରିଛି। ଫଳରେ ପ୍ରତିଯୋଗିତାରେ ଓଡ଼ିଶା ୩ ବିଜୟ ସହ ମୋଟ ୧୨ ପଏଣ୍ଟ ପାଇ ଏଲିଟ୍‌ ଗ୍ରୁପ୍‌ ଏ’ର ଷଷ୍ଠ ସ୍ଥାନରେ ରହିଛି। ହରିଆଣା, ଆସାମ ଓ କେରଳକୁ ଓଡ଼ିଶା ହରାଇଥିଲା ବେଳେ ବେଙ୍ଗଲ, ପଞ୍ଜାବ, ମୁମ୍ବାଇ, ମହାରାଷ୍ଟ୍ର, ରାଜସ୍ଥାନଠୁ ପରାଜିତ ହୋଇଥିଲା। ଶେଷ ଲିଗ୍‌ ମ୍ୟାଚ୍‌ରେ କେରଳ ୯୬ ରନ୍‌ରେ ସମସ୍ତ ଵିକେଟ ହରାଇଥିଲା। ଆଲିନା ସୁରେନ୍ଦ୍ରନ୍‌ ସର୍ବାଧକ ୧୮ ରନ୍‌ କରିଥିଲେ। ଓଡ଼ିଶା ପକ୍ଷରୁ ତନ୍ମୟୀ ବେହେରା, ରାଣୀ କୁମାରୀ ପ୍ରସାଦ ଓ ଜିଏମ୍‌ ଅଳକାନନ୍ଦା ୨ ଲେଖାଏଁ ଵିକେଟ୍‌ ନେଇଥିଲେ। ୯୭ ରନ୍‌ର ଲକ୍ଷ୍ୟକୁ ପିଛା କରି ଓଡ଼ିଶା ୩୩.୧ ଓଭରରେ ୪ ଵିକେଟ୍‌ ହରାଇ ମ୍ୟାଚ୍‌ ଜିତିଥିଲା। ପ୍ରଥମ ଓଭରରେ ତନ୍ମୟୀ ବେହେରା ଖାତା ଖୋଲିନପାରି ଆଉଟ ହୋଇଥିଲା ବେଳେ ଶୁଭ୍ର ନିର୍ଝରିଣୀ ସ୍ବାଇଁ ୧୪, କୁସୁମ ତିରିଆ ୧୧, ଅଙ୍କିତା ଗିରି ୨ ରନ୍‌ କରିଥିଲେ। ଅଲିପ୍ସା ବିଶ୍ବାଳ (୩୦*) ଓ ସ୍ବର୍ଣ୍ଣଲତା ନାୟକ (୧୮*) ଶେଷ ପର୍ଯ୍ୟନ୍ତ ବ୍ୟାଟି˚ କରି ଦଳକୁ ଜିତାଇଥିଲେ।

ସମ୍ବନ୍ଧିତ ଖବର