ଟି-୨୦ ବିଶ୍ୱକପ୍‌: ସ୍କଟଲାଣ୍ଡ ଆଗରେ ୧୯୦ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ପାକିସ୍ତାନ

ବାବାର ଆଜମ୍‌ଙ୍କ ଅର୍ଦ୍ଧଶତକ

ସାର୍‌ଜା: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ରେ ରବିବାର ୨ୟ ମ୍ୟାଚ୍‌ ପାକିସ୍ତାନ ଓ ସ୍କଟଲାଣ୍ଡ ମଧ୍ୟରେ ଖେଳାଯାଉଛି। ସାର୍‌ଜା କ୍ରିକେଟ ଷ୍ଟାଡିୟମ୍‌ରେ ପାକିସ୍ତାନ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ବାବର ଆଜମ୍‌ଙ୍କ ନେତୃତ୍ୱରେ ଟିମ୍‌ ୨୦ ଓଭରରେ ୪ଟି ଓ୍ଵିକେଟ୍‌ ହରାଇ ୧୮୯ରନ୍‌ କରିଛି। ଫଳରେ ସ୍କଟଲାଣ୍ଡକୁ ୧୯୦ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି।

ମହମ୍ମଦ ରିଜ୍‌ଓ୍ଵାନ୍‌ ଓ ବାବାର ଆଜମ୍‌ ପାକିସ୍ତାନର ଇନିଂସ ଆରମ୍ଭ କରିଥିଲେ। ଉଭୟ ବ୍ୟାଟ୍ସମ୍ୟାନ୍‌ ଆରମ୍ଭରୁ ଭଲ ଖେଳି ଥିଲେ। ଦୁଇ ଖେଳାଳି ପ୍ରଥମ ଓ୍ଵିକେଟ୍‌ ପାଇଁ ୩୫ ରନ୍‌ର ଭାଗିଦାରୀ ହୋଇ ପାରିଥିଲେ। ରିଜ୍‌ଓ୍ଵାନ୍‌ ୧୯ଟି ବଲ୍‌ର ସମ୍ମୁଖୀନ ହୋଇ ୧୫ ରନ୍‌ କରିଥିଲେ। ସେ ଆଉଟ୍‌ ହେବା ପରେ ଫାକର ଜମାନ୍‌ (୮ ରନ୍‌) ପଡ଼ିଆକୁ ପ୍ରବେଶ କରିଥିଲେ। ପାକିସ୍ତାନ ୫୯ ରନ୍‌ରେ ଜମାନ୍‌ଙ୍କୁ ହରାଇଥିଲା।

ସ୍କଟଲାଣ୍ଡର ୩ୟ ଓ୍ଵିକେଟର ଶିକାର ହୋଇଥିଲେ ମହମ୍ମଦ ହଫିଜ୍‌। ସେ ୧୯ଟି ବଲ ଖେଳି ୪ଟି ଚୌକା ଓ ଗୋଟିଏ ଛକା ବଳରେ ୩୧ ରନ୍‌ କରିଥିଲେ। ତେବେ ଦଳର ସ୍କୋର ବଢ଼ିବାରେ ମୁଖ୍ୟ ଭୂମିକା ତୁଲାଇଥିଲେ ବାବର ଆଜମ୍‌ (୪୭ ବଲ୍‌, ୬୬ ରନ୍‌, ୫ ଚୌକା, ୩ ଛକା) ଓ ସୋଏବ୍‌ ମଲିକ୍‌। ମାତ୍ର ୧୮ଟି ବଲ୍‌ର ସାମ୍ନା କରି ସୋଏବ୍‌ ଗୋଟିଏ ଚୌକା ଓ ୬ଟି ଛକା ବଳରେ ଅପରାଜିତ ୫୪ ରନ୍‌ ସଂଗ୍ରହ କରିଥିଲେ। ସେହପରି ଆସିଫ୍‌ ଅଲି ଅପରାଜିତ ୫ ରନ୍‌ କରିଥିଲେ। ସୂଚନାଯୋଗ୍ୟ ଆଜି ପ୍ରଥମ ମ୍ୟାଚ୍‌ରେ ଆଫାଗାନିସ୍ତାନକୁ ନ୍ୟୁଜିଲାଣ୍ଡ ୮ ଓ୍ଵିକେଟ୍‌ରେ ପରାସ୍ତ କରି ସେମିଫାଇନାଲକୁ ପ୍ରବେଶ କରିଛି।

ସମ୍ବନ୍ଧିତ ଖବର