ଆବୁଧାବି: ଆଇପିଏଲ୍-୧୩ର ଦ୍ଵିତୀୟ କ୍ୱାଲିଫାୟାରରେ ଦିଲ୍ଲୀ କ୍ୟାପିଟାଲ୍ସ ଆଜି ସନ୍ରାଇଜର୍ସ ହାଇଦ୍ରାବାଦକୁ ୧୯୦ ରନ୍ର ବିଜୟ ଲକ୍ଷ୍ୟ ଦେଇଛି। ଆବୁଧାବିର ଶେଖ୍ ଜୟେଦ୍ ଷ୍ଟାଡିୟମ୍ରେ ଖେଳାଯାଉଥିବା ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଦିଲ୍ଲୀ ଟିମ୍ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୩ଟି ଓ୍ଵିକେଟ୍ ହରାଇ ୧୮୯ ରନ୍ କରିଛି।
ଦିଲ୍ଲୀର ଇନିଂସ୍ ଆରମ୍ଭ କରିଥିଲେ ମାର୍କସ ଷ୍ଟୋଇନିସ୍ ଓ ଶିଖର ଧଓ୍ଵନ୍। ଉଭୟ ଓପନ୍ର ପ୍ରଥମ ଓ୍ଵିକେଟ୍ରେ ୮୬ ରନ୍ ସଂଗ୍ରହ କରିଥିଲେ। ମାର୍କସ୍ ଷ୍ଟୋଇନିସ୍ ୨୭ଟି ବଲ ଖେଳି ୩୮ ରନ୍ ଯୋଡ଼ିଥିଲେ। ଏଥିରେ ୫ଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା। ସ୍କୋର ୧୨୬ରେ ହାଇଦ୍ରାବାଦ୍ର ୩ୟ ଶିକାର ହୋଇଥିଲେ ଧଓ୍ଵନ୍। ଦିଲ୍ଲୀ ଟିମ୍ ୨ୟ ଓ୍ଵିକେଟ୍ ଭାବେ ଅଧିନାୟକ ଶ୍ରେୟସ ଆୟର (୨୧ ରନ୍, ୨୦ ବଲ୍, ଗୋଟିଏ ଚୌକା)ଙ୍କୁ ହରାଇଥିଲା। ଶିଖର ଧଓ୍ଵନ୍ ୫୦ଟି ବଲ ଖେଳି ଟିମ୍ ପାଇଁ ୭୮ ରନ୍ ଯୋଡ଼ିଥିଲେ। ଏଥିରେ ୬ଟି ଚୌକା ଓ ୨ଟି ଛକା ସାମିଲ ଥିଲା। ଧଓ୍ଵନ୍ ଆଉଟ୍ ହେବା ବେଳକୁ ସ୍କୋର ୧୭୮ ରନ୍ ହୋଇସାରିଥିଲା।
ଦିଲ୍ଲୀର ଅନ୍ୟତମ ବିସ୍ଫୋରଣ ବ୍ୟାଟ୍ସମ୍ୟାନ ସିମରନ୍ ହେଟମେୟର ଅପରାଜିତି ୪୨ ରନ୍ ସଂଗ୍ରହ କରିଥିଲେ। ସେ ୪ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ଋଷଭ ପନ୍ତ ଅପରାଜିତ ୨ ରନ୍ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/EmTtm4yUYAIWW4x.jpg)