ପ୍ରଥମ ଟି୨୦ : ଇଣ୍ଡିଜ୍ ଆଗରେ ୧୯୧ ରନର ବିଜୟ ଲକ୍ଷ୍ୟ ରଖିଲା ଟିମ ଇଣ୍ଡିଆ

ତ୍ରିନିଦାଦ : ତ୍ରିନିଦାଦର ବ୍ରାଏନ ଲାରା ଷ୍ଟାଡିୟମଠାରେ ଖେଳାଯାଉଥିବା ପ୍ରଥମ ଟି-୨୦ରେ ଓ୍ବେଷ୍ଟ ଇଣ୍ଡିଜ ଆଗରେ ୧୯୧ ରନର ବିଜୟ ଲକ୍ଷ୍ୟ ରଖିଛି ଭାରତ ।
ଏହି ମ୍ୟାଚରେ ଓ୍ବେଷ୍ଟ ଇଣ୍ଡିଜ ଦଳ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୯୦ ରନ କରିଥିଲା । ଭାରତ ପକ୍ଷରୁ ରୋହିତ ଶର୍ମା ୬୪ ରନ କରିଥିବାବେଳେ ସୂର୍ଯ୍ୟକୁମାର ଯାଦବ ୨୪ ରନ କରିଥିଲେ । କିନ୍ତୁ ଏକ ଭଲ ଓପନିଂ ପାର୍ଟନରସିପ ପରେ ଭାରତ ଅଳ୍ପ ରନ ବ୍ୟବଧାନରେ ଶ୍ରେୟସ ଆୟର, ଋଷଭ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଓ୍ବିକେଟ ହରାଇଥିଲା । ତେବେ ଅଭିଜ୍ଞ ବ୍ୟାଟ୍ସମ୍ୟାନ ଦିନେଶ କାର୍ତ୍ତିକଙ୍କ ଲଢୁଆ ବ୍ୟାଟିଂ ଫଳରେ ଭାରତ ୧୯୦ରନର ଏକ ବିଶାଳ ସ୍କୋର ଛିଡ଼ା କରିପାରିଥିଲା । ଉଭୟ ରବୀନ୍ଦ୍ର ଜାଦେଜା ଓ ରବିଚନ୍ଦ୍ର ଅଶ୍ବୀନ ଉପଯୋଗୀ ଇନିଂସ ଖେଳି କାର୍ତ୍ତିକଙ୍କୁ ସହଯୋଗ କରିଥିଲେ । ଜାଦେଜା ୧୬ ରନ ଓ ଅଶ୍ବୀନ ୧୩ ରନ କରିଥିଲେ ।

ଓ୍ବେଷ୍ଟ ଇଣ୍ଡିଜ ଗସ୍ତରେ ଭାରତୀୟ କ୍ରିକେଟ ଦଳ ୫ଟି ଟି-୨୦ ମ୍ୟାଚ ଖେଳିବ । ୨ୟ ଟି-୨୦ ଆସନ୍ତା ୧ ତାରିଖ ସୋମବାରଦିନ ଖେଳାଯିବ । ଏହା ପୂର୍ବରୁ ହୋଇଥିବା ୩ଟିକିଆ ଦିନିକିଆ ସିରିଜକୁ ଭାରତ ୩-୦ରେ ଜିତିନେଇଥିଲା ।

ସମ୍ବନ୍ଧିତ ଖବର