ବିଶ୍ୱ ଯୁଦ୍ଧ ପାଇଁ ଫିଫା ବିଶ୍ୱକପ୍ର ଦୁଇଟି ସଂସ୍କରଣ (୧୯୪୨ ଏବଂ ୧୯୪୬) ପ୍ରଭାବିତ ହେବାର ୧୨ ବର୍ଷ ପରେ ପୁଣି ଏହି ଫୁଟ୍ବଲ୍ ମହୋତ୍ସବ ଆରମ୍ଭ ହୋଇଥିଲା। ଏଥର ବ୍ରାଜିଲ ହୋଇଥିଲା ଆୟୋଜକ। ଭୁପୃଷ୍ଠର ବୃହତମ ଫୁଟ୍ବଲ ଷ୍ଟାଡିୟମ ନିର୍ମାଣ କରିଥିଲା ବ୍ରାଜିଲ। କିନ୍ତୁ ହାତ ପାହାନ୍ତାରୁ ଖସି ଯାଇଥିଲା ଟ୍ରଫି। ରିଓ ଡି ଜେନିରୋର ମାରାକାନା ଷ୍ଟାଡିୟମ୍ରେ ଖେଳାଯାଇଥିବା ଚୂଡାନ୍ତ ପର୍ଯ୍ୟାୟ ଲିଗ୍ରେ ବ୍ରାଜିଲ୍କୁ ମାତ୍ର ଅମୀମାଂସିତ ଆବଶ୍ୟକ ହେଉଥିଲା। କିନ୍ତୁ ୨ ଲକ୍ଷ ୫ ହଜାର ଘରୋଇ ଦର୍ଶକଙ୍କୁ ହୃଦୟ ବିଦାରକ ଦୁଃଖ ଦେଇ ଉରୁୁଗୁଏ ୨-୧ ଗୋଲ୍ରେ ବାଜି ମାରି ନେଇଥିଲା। ସ୍ୱିଡେନ୍ ଓ ସ୍ପେନ୍କୁ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡିଥିଲା। ପ୍ରଥମ ପଦାର୍ପଣକାରୀ ଦଳ ଇଂଲଣ୍ଡ ବିପକ୍ଷରେ ଆମେରିକାର ବିଜୟ କିନ୍ତୁ ଢେର ଚର୍ଚ୍ଚା ସୃଷ୍ଟି କରିଥିଲା। ଇଟାଲୀ ପରେ ଦ୍ଵିତୀୟ ଦଳ ଭାବେ କିନ୍ତୁ ଉରୁଗୁଏ ଦୁଇ ଥର ବିଜେତା ହୋଇଥିଲା। ବ୍ରାଜିଲର ଆଡେମିର ୮ ଗୋଲ୍ ସହିତ ସ୍ୱର୍ଣ୍ଣ ଜୋତାର ବିଜେତା ହୋଇଥିଲେ। ନୂଆ ଢାଞ୍ଚାରେ ଏହି ବିଶ୍ୱକପ୍ ଖେଳାଯାଇଥିଲା। ମାତ୍ର ୧୩ଟି ଦଳ ଆସିଥିଲେ। ଦୁଇଟି ଗ୍ରୁପ୍ରେ ୪ଟି ଲେଖାଏଁ ଦଳ, ତୃତୀୟ ଗ୍ରୁପ୍ରେ ୩ଟି ଏବଂ ଚତୁର୍ଥ ଗୁ୍ରପ୍ରେ ମାତ୍ର ଦୁଇଟି ଦଳ ଖେଳିଥିଲେ। ପୂର୍ବ ୟୁରୋପୀୟ ଦେଶଗୁଡିକ ଓହରିଯିବା, ଖାଲିପାଦରେ ଖେଳିବାକୁ ନେଇ ଭାରତ ଓ ତୁର୍କିକୁ ଫିଫା ମନା କରିଦେବାରୁ ଦଳ ସଂଖ୍ୟା ୧୩ରେ ସୀମିତ ରହିଥିଲା। ୩ ମହାଦେଶରୁ ଆସିଥିବା ଏହି ଦଳ ଗୁଡ଼ିକ ୬ଟି ପଡ଼ିଆରେ ଖେଳିଥିଲେ। ମୋଟ ୨୨ ମ୍ୟାଚ୍ରୁ ୮୮ ଗୋଲ୍ ସ୍କୋର୍ ହୋଇଥିଲା। ଏହି ବିଶ୍ୱ କପ୍ରେ ଇଂଲଣ୍ଡକୁ ଆମେରିକା ହରାଇବା ଏବଂ ସ୍ୱିଡେନ୍ ଆମେଚର୍ ଦଳ ଇଟାଲିକୁ ହରାଇବା ଭଳି ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଥିଲା। ମିନି ଲିଗ୍ ପଦ୍ଧତିରେ ଖେଳାଯାଇଥିବା ଏହି ବିଶ୍ୱକପ୍ରେ ବିଜେତା ଦଳ ନିର୍ଣୟ ହୋଇଥିଲା। କିନ୍ତୁ ଶେଷ ପର୍ଯ୍ୟାୟରେ ବ୍ରାଜିଲ୍, ସ୍ୱିଡେନ୍, ସ୍ପେନ୍ ଓ ଉରୁଗୁଏ ପ୍ରବେଶ କରିଥିଲେ।