୧୯୬୨ ମସିହାର ବିଶ୍ୱକପ୍ରେ ଭୂକମ୍ପ କାରଣରୁ ଚିଲିରେ ହଜାର ହଜାର କୋଠା ଭୁଶୁଡି ପଡ଼ିଥିଲା। ଏହି କାରଣରୁ ଫିଫା ବିଶ୍ୱକପ୍କୁ ସ୍ଥାନାନ୍ତର କରିବା କଥା ଚିନ୍ତା କରିଥିଲା। କିନ୍ତୁ ଚିଲି ସଭାପତି କାର୍ଲୋସ୍ ଡିଟ୍ବର୍ନ କହିଥିଲେ ‘ଆଉ ଆମର କିଛି ନ ଥିବାରୁ ଏବେ ବିଶ୍ୱକପ୍ ଏଠାରେ କରାଯିବ’। ତାଙ୍କ ସ୍ୱପ୍ନ ପୂରଣ ହୋଇଥିଲା। ଇଟାଲି ପରେ ଦ୍ୱିତୀୟ ଦଳ ଭାବେ ବ୍ରାଜିଲ୍ ମୁକୁଟ ବଜାୟ ରଖିଥିଲା। ମେକ୍ସିକୋ ବିପକ୍ଷରେ ଉଦ୍ଘାଟନୀ ମ୍ୟାଚ୍ ଖେଳି ଯୁଗଳ ଗୋଲ୍ ଦେଇ ଦଳକୁ ବିଜୟୀ କରାଇଥିବା ପେଲେ ଆହତ କାରଣରୁ ବିଶ୍ୱକପ୍ର ଅବଶିଷ୍ଟ ଭାଗରୁ ବାଦ୍ ପଡ଼ିଥିଲେ। ପେଲେ ଆଘାତପ୍ରାପ୍ତ ହୋଇଥିଲେ ବି ଗାରିଞ୍ଛାଙ୍କ ଉନ୍ନତ ପ୍ରଦର୍ଶନ ବ୍ରାଜିଲ ପାଇଁ ଯଥେଷ୍ଟ ହୋଇଥିଲା। ପେଲେଙ୍କ ଅଭାବକୁ ଅନୁଭବ ହେବାକୁ ଦେଇ ନ ଥିଲେ ଗାରିଞ୍ଛା। ବ୍ରାଜିଲକୁ କ୍ରମାଗତ ଦ୍ଵିତୀୟ ଥର ବିଶ୍ୱକପ୍ ବିଜେତା କରାଇବା ସହ ମିଳିତ ଅଗ୍ରଣୀ ସ୍କୋରର ହୋଇଥିଲେ ସେ। ଫାଇନାଲରେ ବ୍ରାଜିଲ୍ ୩-୧ ଗୋଲ୍ରେ ଚେକୋସ୍ଲୋଭାକିଆକୁ ପରାସ୍ତ କରିଥିବା ବେଳେ ତୃତୀୟ ସ୍ଥାନ ପ୍ଲେ ଅଫ୍ରେ ଆୟୋଜକ ଚିଲି ୧-୦ ଗୋଲ୍ରେ ଯୁଗୋସ୍ଲାଭିଆକୁ ହରାଇଥିଲା। ତେବେ ଆୟୋଜକ ଚିଲି ଏବଂ ଇଟାଲୀ ମଧ୍ୟରେ ଖେଳାଯାଇଥିବା ମାରାତ୍ମକ ‘ବ୍ୟାଟଲ୍ ଅଫ ସାଣ୍ଟିଆଗୋ’ ଖରାପ ପରମ୍ପରା ରଖିଥିଲା। ୨ ଜଣ ଇଟାଲୀୟ ଖେଳାଳିଙ୍କୁ ଲାଲ୍ କାର୍ଡ କାରଣରୁ ପଡ଼ିଆ ବାହାରକୁ ଯିବାକୁ ପଡ଼ିଥିବା ବେଳେ ଜଣଙ୍କ ନାକ ଫାଟିଥିଲା। ସେହିଭଳି ୪-୩-୩ ଫର୍ମାଟ୍ର ଖେଳ ଏହି ବିଶ୍ୱକପ୍ର ଅନ୍ୟତମ ପ୍ରମୁଖ ଚର୍ଚ୍ଚାରେ ରହିଥିଲା। ଯୁବ ଖେଳାଳି ପୁରସ୍କାର ପାଇଥିବା ହଙ୍ଗେରିର ଫ୍ଲୋରିଆନ୍ ଆଲବର୍ଟଙ୍କ ସହ ବ୍ରାଜିଲର ଭାଭା, ଗାରିଞ୍ଛା, ଚିଲିର ଲିଓନେଲ ସାଞ୍ଚେଜ୍, ଯୁଗୋସ୍ଲାଭିଆର ଡ୍ରାଜେନ୍ ଜର୍କୋଭିକ୍, ଉରୁଗୁଏର ଭାଲେଣ୍ଟିନ୍ ଇଭାନୋଭ ମିଳିତ ଭାବେ ଗୋଲ୍ଡେନ୍ ଜୋତାର ସମ୍ମାନ ପାଇଥିଲେ। ଲିଟିଲ ବାର୍ଡ ନାମରେ ପରିଚିତ ୨୫ ବର୍ଷୀୟ ଗାରିଞ୍ଛା କିନ୍ତୁ ଥିଲେ ବିଶ୍ୱକପ୍ର ନାୟକ। ପ୍ରଥମ ଥର ପାଇଁ ଏହି ସଂସ୍କରଣରେ ଗୋଲ୍ ହାରାହାରିକୁ ଲାଗୁ କରାଯାଇଥିଲା। ପଏଣ୍ଟ୍ ସମାନ ରହିଲେ ହାରହାରି ଗୋଲ୍ ନିର୍ଣ୍ଣାୟକ ହେଉଥିଲା। ଏହି ସଂସ୍କରଣଠାରୁ ମଧ୍ୟ ଗୋଲ୍ ହାରାହାରି ପ୍ରଥମ ଥର ୩ରୁ ତଳକୁ ଆସିଥିଲା, ସେବେଠାରୁ ଏହା ଜାରି ରହିଛି।
୧୯୬୨: ଚିଲିରେ ବି ଚମକିଲା ବ୍ରାଜିଲ୍
/sambad/media/post_attachments/wp-content/uploads/2018/05/6-logo-1962-chile.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)