୧୯୭୦: ମେକ୍ସିକୋରେ ବ୍ରାଜିଲ୍‌ ବିଜେତା:ପୋଲାଣ୍ଡରୁ ଆସିବ ଗୋଲ୍‌ପୋଷ୍ଟ

ମସ୍କୋ: ଫୁଟ୍‌ବଲ୍‌ ବିଶ୍ୱକପ୍‌ର ଆସନ୍ତା ସଂସ୍କରଣ ରୁଷିଆ ରାଜଧାନୀ ମସ୍କୋରେ ଆୟୋଜିତ ହେବ। ହେଲେ ଏହି ବିଶ୍ୱକପ୍‌ ପାଇଁ ଗୋଲ୍‌ପୋଷ୍ଟ ପୋଲାଣ୍ଡରୁ ଆସିବ। ଲିଓନେଲ ମେସି ଏବଂ କ୍ରିଷ୍ଟିଆନୋ ରୋନାଲଡୋଙ୍କ ଭଳି ଖେଳାଳି ଲକ୍ଷ୍ୟ କରିବାକୁ ଥିବା ଏହି ଗୋଲ୍‌ ପୋଷ୍ଟ ଗୁଡ଼ିକୁ ପୋଲାଣ୍ଡର ଇଣ୍ଟରପ୍ଲାଷ୍ଟିକ୍‌ ଫାର୍ମ ନାମକ ଏକ କଂପାନି ତିଆରି କରୁଛି। ମାସାଧିକ କାଳ ଚାଲିବାକୁ ଥିବା ଏହି ଫୁଟ୍‌ବଲ୍‌ ମହୋତ୍ସବ ଲାଗି ପୋଲାଣ୍ଡର ବେଲଟିକ୍‌ ଉପକୂଳରେ ଥିବା ଦାନିସ୍କ ସହରରେ ରହୁଥିବା ଜାନ୍‌ ଜୋଲୋସ୍କି ନାମକ ଜଣେ ବ୍ୟବସାୟୀଙ୍କ ପରିବାର ଏହି ଆଲୁମିନିୟମ୍‌ ଗୋଲ୍‌ପୋଷ୍ଟ ତିଆରି କରୁଛି। ଏହି କାମରେ ଜୋଲୋସ୍କିଙ୍କ ମାଲିକାନାରେ ଥିବା ଇଣ୍ଟରପ୍ଲାଷ୍ଟିକ୍‌ କଂପାନି ପ୍ରାୟ ୧୦୦ ଜଣ ଶ୍ରମିକଙ୍କୁ କାମରେ ଲଗାଇଛି। ଗୋଟିଏ ଗୋଲ୍‌ପୋଷ୍ଟ ତିଆରି ଲାଗି ୧୯୦ଟି ଉପକରଣର ଉପଯୋଗ ହେଉଥିବାରୁ ଶ୍ରମିକମାନଙ୍କୁ ସେହି ଅନୁସାରେ କାମ ବାଣ୍ଟି ଦିଆଯାଇଛି।
୧୯୭୦ ମସିହାର ଫିଫା ବିଶ୍ୱକପ୍‌ରେ ବ୍ରାଜିଲ୍‌ ପ୍ରଥମ ଦେଶ ଭାବେ ତୃତୀୟ ଥର ବିଜେତା ହୋଇଥିଲା। ଉତ୍ତର ଆମେରିକାରେ ପ୍ରଥମ ଥର ପାଦ ଥାପିଥିବା ଏହି ସଂସ୍କରଣରେ ମେକ୍ସିକୋ ହୋଇଥିଲା ଆୟୋଜକ। ୟୁରୋପ ଏବଂ ଦକ୍ଷିଣ ଆମେରିକା ବାହାରକୁ ଯାଇଥିଲା ପ୍ରଥମ ଥର ଆୟୋଜନ ଅଧିକାର। ୨୨ ଦିନିଆ ଏହି ପ୍ରତିଯୋଗିତା ମେ’ ୩୧ରୁ ଜୁନ ୨୧ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ୫ ସହରର ୫ ପଡ଼ିଆରେ।
ମେକ୍ସିକୋ ସିଟିରେ ଖେଳାଯାଇଥିବା ଫାଇନାଲ୍‌ରେ ବ୍ରାଜିଲ୍‌ ୪-୧ ଗୋଲ୍‌ରେ ଅନ୍ୟତମ ୨ ଥର ବିଜେତା ଇଟାଲିକୁ ହରାଇ ଦେଇଥିଲା। ସମାନ ଲକ୍ଷ୍ୟରେ ଫାଇନାଲ୍‌ ଖେଳିଥିଲେ ମଧ୍ୟ ତୃତୀୟ ଥର ଜୁଲସ୍‌ ରିମେଟ ଟ୍ରଫି ଜିତିବାରେ ବ୍ରାଜିଲ୍‌ ପ୍ରଥମ ଦେଶ ହୋଇଥିଲା। ଏଥି ସହିତ ସ୍ଥାୟୀ ଭାବେ ଜୁଲ୍‌ସ ରିମେଟ ଟ୍ରଫି ରଖିବାର ଅଧିକାର ପାଇଥିଲା। ୧୯୭୪ ମସିହାରେ ନୂଆ ଟ୍ରଫି ପ୍ରଚଳିତ ହୋଇଥିଲା। ବିଜେତା ବ୍ରାଜିଲ୍‌ ଦଳ କାର୍ଲୋସ୍‌ ଆଲବର୍ଟଙ୍କ ନେତୃତ୍ୱରେ ଖେଳିଥିବା ବେଳେ ପେଲେ, ଜର୍ସନ, ଜର୍ଜିନୋ, ରିଭେଲିନୋ ଏବଂ ତୋସ୍ତୋଆଙ୍କ ଭଳି ଖେଳାଳିଙ୍କୁ ନେଇ ସର୍ବଶ୍ରେଷ୍ଠ ବିଶ୍ୱକପ୍‌ ଦଳ ଗଠିତ ହୋଇଥିଲା। ଯୋଗ୍ୟତା ପର୍ଯ୍ୟାୟଠାରୁ ଆରମ୍ଭ କରି ସମ୍ପୂର୍ଣ୍ଣ ପ୍ରତିଯୋଗିତାରେ ବ୍ରାଜିଲ୍‌ ମଧ୍ୟ ୬ରୁ ୬ ଜିତି ଅପରାଜିତ ରହିଥିଲା।
ପ୍ରଥମ ଥର ପାଇଁ ଏହି ସଂସ୍କରଣ ଫିଫା ବିଶ୍ୱକପ୍‌ ରଙ୍ଗିନ୍‌ ଭାବେ ଟେଲିଭିଜନରେ ପ୍ରସାରିତ ହୋଇଥିଲା ଏବଂ ସର୍ବାଧିକ ଦର୍ଶକଙ୍କୁ ଆକର୍ଷିତ କରି ନୂଆ କୀର୍ତିମାନ କରିଥିଲା। ପଶ୍ଚିମ ଜର୍ମାନି ତୃତୀୟ ଏବଂ ଉରୁଗୁଏ ଚତୁର୍ଥ ସ୍ଥାନରେ ରହିଥିଲେ। ୫ ମହାଦେଶରୁ ୧୬ ଦେଶ ଭାଗ ନେଇଥିବା ବେଳେ ୩୨ ମ୍ୟାଚ୍‌ରୁ ମୋଟ ୯୫ ଗୋଲ୍‌ ସ୍କୋର୍‌ ହୋଇଥିଲା। ବ୍ୟକ୍ତିଗତ ଭାବେ ୧୦ ଗୋଲ୍‌ ଦେଇ ଗର୍ଡ ମୁଲାର୍‌ ସ୍ୱର୍ଣ୍ଣ ଜୋତା ପାଇଥିଲେ।
ଗେ୍ଵରେରାଙ୍କ ଖେଳିବା ସପକ୍ଷରେ ଖେଳାଳି ସଂଗଠନ
ବାର୍ସିଲୋନା, ୨୨|୫: ଚା’ରେ କୋକେନ୍‌ ମିଶାଇ ପିଇବା ଏବଂ ଧରାପଡ଼ି ୬ ମାସ ବାସନ୍ଦ ହୋଇଥିବା ପେରୁ ଫୁଟବଲ୍‌ ଦଳର ଅଧିନାୟକ ପାଓଲୋ ଗେ୍ଵରେରାଙ୍କୁ ବିଶ୍ୱ ଫୁଟବଲ୍‌ ମହାସଂଘ (ଫିଫା) ବିଶ୍ୱକପ୍‌ରୁ ମଧ୍ୟ ଦୂରେଇ ରଖିଛି। ସେ ମସ୍କୋ ବିଶ୍ୱକପ୍‌ ଖେଳି ପାରିବେ ନାହିଁ ବୋଲି ସଫା ସଫା କହି ଦେଇଛି। ହେଲେ ଖେଳାଳି ସଂଗଠନ ଏହାକୁ ବିରୋଧ କରିଛି। ଫୁଟବଲ୍‌ ଖେଳାଳିଙ୍କ ସଂଗଠନ ଫିଫ୍ରୋ ଗେ୍ଵରେରାଙ୍କୁ ବିଶ୍ୱକପ୍‌ ଖେଳିବା ଅନୁମତି ଦେବାକୁ ଯୁକ୍ତି ବାଢ଼ିଛି। ଏପରିକି ସଂଗଠନ ଏଥିଲାଗି ଫିଫାକୁ ପତ୍ର ଲେଖିଛି। ଆସନ୍ତା ୨୪ରୁ ୪୮ ଘଣ୍ଟା ମଧ୍ୟରେ ମାମଲାର ସମାଧାନ ହୋଇଯିବ ବୋଲି ଆଶା ରଖିଛି। ପେରୁ ୩୬ ବର୍ଷ ପରେ ବିଶ୍ୱକପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଛି। ହେଲେ ଅଧିନାୟକ ଗେ୍ଵରେରାଙ୍କ ଉପରେ ଲାଗିଥିବା ଅଙ୍କୁଶ ଏହି ଦଳ ପାଇଁ ଶକ୍ତ ଧକ୍କା ହୋଇଛି। ପ୍ରକୃତରେ କିନ୍ତୁ ଗେ୍ଵରେରା ୬ ମାସ ପାଇଁ ବାସନ୍ଦ ହୋଇଥିଲେ। ଯାହାର ଅବଧି ନିକଟରେ ଶେଷ ହୋଇଛି। ହେଲେ ବିଶ୍ୱ ଡୋପିଂ ନିରୋଧୀ ସଂସ୍ଥାନ କାସ୍‌ (କୋର୍ଟ ଅଫ୍‌ ଆର୍ବିଟ୍ରେସନ୍‌ ଫର ସ୍ପୋର୍ଟସ)ରେ ଏହା ବିରୋଧରେ ଆବେଦନ କରିବା ପରେ କାସ୍‌ ତାଙ୍କ ବାସନ୍ଦାଦେଶକୁ ୧୪ ମାସକୁ ବଢ଼ାଇ ଦେଇଛି।
କେନ୍‌ ଇଂଲଣ୍ଡ୍‌ ଅଧିନାୟକ
ଲଣ୍ଡନ, ୨୨|୫: ଟଟେନ୍‌ହାମ୍‌ ଷ୍ଟ୍ରାଇକର୍‌ ହାରି କେନ୍‌ ଆଗାମୀ ରୁଷିଆ ବିଶ୍ୱକପ୍‌ ପାଇଁ ଇଂଣ୍ଡ୍‌ ଦଳର ଅଧିନାୟକ ହେବେ। ମଙ୍ଗଳବାର ଇଂଲଣ୍ଡ୍‌ ଫୁଟ୍‌ବଲ୍‌ ସଂଘ ଏନେଇ ଘୋଷଣା କରିଛି। େଓ୍ଵନ୍‌ ରୁନିଙ୍କ ଅବସର ସାଙ୍ଗକୁ ଜୋଏ ହାର୍ଟ ଓ ଗାରି କାହିଲ୍‌ ବିଶ୍ୱକପ୍‌ ଦଳର ବାଦ୍‌ ପଡ଼ିବା ପରେ କେନ୍‌ଙ୍କ ଉପରେ ନେତୃତ୍ୱ ଭାର ଅର୍ପଣ କରାଯିବ ବୋଲି ସଂଘ କହିଛି। ୨୪ ବର୍ଷ ବୟସ୍କ କାନେ ୨୩ ଆନ୍ତର୍ଜାତିିକ ମ୍ୟାଚ୍‌ ଖେଳି ୧୨ ଗୋଲ୍‌ କରିଛନ୍ତିି। ଦଳର ପ୍ରବନ୍ଧକ ଗାରେଥ୍‌ ସାଉଥ୍‌ଗେଟ୍‌ ମଧ୍ୟ କେନ୍‌ଙ୍କୁ ଜଣେ ଦକ୍ଷ ଖେଳାଳି ଭାବେ ବର୍ଣ୍ଣନା କରିଛନ୍ତି। ଅନ୍ୟପକ୍ଷରେ ବିଶ୍ୱକପ୍‌ ଭଳି ମର୍ଯ୍ୟାଦାଜନକ ପ୍ରତିଯୋଗିତାରେ ଜାତୀୟ ଦଳର ନେତୃତ୍ୱ ପାଇବା ଅତ୍ୟନ୍ତ ଆନନ୍ଦର କଥା ବୋଲି କେନ୍‌ କହିଛନ୍ତି। ଦଳର ଅଧିନାୟକ ଦୌଡ଼ରେ କାନେଙ୍କ ସ୍ପର୍‌ସ ଦଳୀୟ ସାଥୀ ଏରିକ୍‌ ଦିଏର୍‌ ଓ ଲିଭରପୁଲ୍‌ ଅଧିନାୟକ ଜୋର୍ଡନ୍‌ ହେଣ୍ଡରସନ୍‌ ରହିଥିଲା ବେଳେ କେନ୍‌ ବାଗି ମାରିନେଲେ। ସ୍ପର୍‌ସ ତରଫରୁ ୫୨ ମ୍ୟାଚ୍‌ ଖେଳି କାନେ ୪୫ ଗୋଲ୍‌ କରିଛନ୍ତି।

ସମ୍ବନ୍ଧିତ ଖବର