ହକି ପୁରୁଷ ବିଶ୍ବକପ୍‌ର ପ୍ରଥମ ସଂସ୍କରଣ ୧୯୭୧ରେ ସ୍ପେନ୍‌ର ବା‌ର୍ସିଲୋନାରେ ଅନୁଷ୍ଠିତ ହୋଇଥିଲା। କିନ୍ତୁ ଏହି ସଂସ୍କରଣକୁ ପ୍ରଥମେ ପାକିସ୍ତାନରେ ଆୟୋଜନ ପାଇଁ ଆନ୍ତର୍ଜାତିକ ହକି ମହାସଂଘ (ଏଫ୍ଆଇଏଚ୍‌) ବାଛିଥିଲା। ଏହି ସମୟରେ ବାଂଲାଦେଶ ମୁକ୍ତି ସଂଗ୍ରାମ ଚାଲୁ ରହିଥିଲା ବେଳେ ଭାରତ-ପାକିସ୍ତାନ ଯୁଦ୍ଧକୁ ୬ ବର୍ଷ ବିତିଥିଲା। ତେଣୁ ବିଶ୍ବକପ୍‌ ଖେଳିବାକୁ ଭାରତକୁ ପାକିସ୍ତାନ ନିମନ୍ତ୍ରଣ କରିଥିଲେ ବି ପୁଣି କିଛି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବା ନେଇ ବିଶ୍ବ ମହାସଂଘ ଆଶଙ୍କା କରିଥିଲା। ତେଣୁ ଏଭଳି ସମସ୍ୟାକୁ ଏଡ଼ାଇବା ପାଇଁ ଆୟୋଜନସ୍ଥଳୀ ବଦଳାଯାଇ ବା‌ର୍ସିଲୋନାର ରିଅଲ୍‌ କ୍ଲବ୍‌ ଡି ପୋଲୋରେ ମ୍ୟାଚ୍‌ଗୁଡ଼ିକ ଖେଳାଯାଇଥିଲା।

Advertisment

ବିଶ୍ବକପ୍‌ ଇତିହାସରେ ବିନା କୌଣସି ଯୋଗ୍ୟତା ପର୍ଯ୍ୟାୟରେ ଦଳମାନଙ୍କ ଅଂଶଗ୍ରହଣ କରିବାରେ ଏହା ପ୍ରଥମ ଓ ଶେଷ ଘଟଣା ଥିଲା। ଆନ୍ତର୍ଜାତିକ ମହାସଂଘ ପକ୍ଷରୁ ଏହାକୁ ଏକ ଆମନ୍ତ୍ରଣୀୟ ପ୍ରତିଯୋଗିତା ଭଳି ଆୟୋଜନ କରାଯାଇଥିଲା। ୧୯୬୮ ଅଲିମ୍ପିକ୍ସର ପ୍ରଦର୍ଶନକୁ ଆଧାର କରି ୫ ମହାଦେଶରୁ ଦଳମାନଙ୍କୁ ନିମନ୍ତ୍ରଣ ଦିଆଯାଇଥିଲା। ପ୍ରଥମ ସଂସ୍କରଣରେ ୧୦ ଦଳ ଭାଗ ନେଇଥିଲେ ଓ ସେମାନଙ୍କୁ ଦୁଇଟି ଗ୍ରୁପ୍‌ରେ ବଣ୍ଟାଯାଇଥିଲା। ଗ୍ରୁପ୍‌ ଏ’ରେ ଭାରତ ସହିତ କେନିୟା, ପଶ୍ଚିମ ଜର୍ମାନି, ଫ୍ରାନ୍ସ ଓ ଆର୍ଜେଣ୍ଟିନା ସ୍ଥାନ ପାଇଥିଲେ। ସେହିପରି ଗ୍ରୁପ୍‌ ବି’ରେ ଆୟୋଜକ ସ୍ପେନ୍‌ ସହିତ ପାକିସ୍ତାନ, ନେଦରଲାଣ୍ଡ୍ସ, ଅଷ୍ଟ୍ରେଲିଆ ଓ ଜାପାନ ଅଂଶଗ୍ରହଣ କରିଥିଲେ।

ରାଉଣ୍ଡ ରବିନ୍‌ରେ ଖେଳାଯିବା ପରେ ଗ୍ରୁପ୍‌ ଏ’ରୁ ଭାରତ, କେନିୟା ଓ ଗ୍ରୁପ୍‌ ବି’ରୁ ସ୍ପେନ୍‌, ପାକିସ୍ତାନ ସେମିଫାଇନାଲ୍‌ ଖେଳିଥିଲେ। ଗ୍ରୁପ୍‌ ପର୍ଯ୍ୟାୟରେ ଭାରତ ସବୁଠୁ ଅଧିକ (୧୦) ପଏଣ୍ଟ ପାଇଥିଲା ଓ ଆର୍ଜେଣ୍ଟିନା ବିଜୟଶୂନ୍ୟ ରହିଥିଲା। ପାକିସ୍ତାନ ୨-୧ ଗୋଲ୍‌ରେ ଭାରତକୁ ଏବଂ ସ୍ପେନ୍‌ ୧-୦ ଗୋଲ୍‌ରେ କେନିୟାକୁ ହରାଇ ଫାଇନାଲ୍‌ରେ ପହଞ୍ଚିଥିଲେ। ଫାଇନାଲ୍‌ରେ ପାକିସ୍ତାନ (୧-୦) ବିଜେତା ହୋଇଥିଲା ବେଳେ କେନିୟାକୁ ହରାଇ ଭାରତ (୨-୧) କାଂସ୍ୟ ପଦକ ହାସଲ କରିଥିଲା। ବିଶ୍ବକପ୍‌ ପରେ ପ୍ରଦର୍ଶନକୁ ଆଧାରକରି ଘୋଷଣା ହୋଇଥିବା ବିଶ୍ବ ଏକାଦଶରେ ଭାରତର ମାଇକେ‌ଲ୍‌ କିଣ୍ଡୋ, ଅଜିତ ପାଲ୍‌ ସିଂହ ଓ ‌ଅଶୋକ କୁମାର ସ୍ଥାନ ପାଇଥିଲେ।