୧୯୭୪: ଆୟୋଜକ ପଶ୍ଚିମ ଜର୍ମାନି ବିଜେତା

୧୯୭୪ ମସିହାର ଫିଫା ବିଶ୍ୱକପ୍‌ରେ ଆୟୋଜକ ପଶ୍ଚିମ ଜର୍ମାନି ଦ୍ୱିତୀୟ ଥର ଲାଗି ବିଜେତା ହେବାର ସୌଭାଗ୍ୟ ପାଇଥିଲା। ପୂର୍ବରୁ ୧୯୫୪ରେ ପଶ୍ଚିମ ଜର୍ମାନି ବିଶ୍ୱକପ୍‌ ଟ୍ରଫି ଜିତିଥିଲା। ସେହି ବିଶ୍ୱକପ୍‌ ଜୁନ୍‌ ୧୩ରୁ ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ୨୫ ଦିନ ଧରି ୯ ସହରର ୯ ପଡ଼ିଆରେ ଖେଳା ଯାଇଥିଲା। ସେହି ପ୍ରତିଯୋଗିତାରେ ଅଷ୍ଟ୍ରେଲିଆ, ହାଇତି ଏବଂ ଜାଇରେ ପ୍ରଥମ ଥର ଲାଗି ଫାଇନାଲ୍‌ ପର୍ଯ୍ୟାୟରେ ପହଞ୍ଚିଥିଲେ। ମ୍ୟୁନିକ୍‌ର ଅଲିମ୍ପିଆ ଷ୍ଟାଡିୟମରେ ଖେଳା ଯାଇଥିବା ଫାଇନାଲ୍‌ରେ ଘରୋଇ ପଶ୍ଚିମ ଜର୍ମାନି ୨-୧ ଗୋଲ୍‌ରେ ନେଦରଲାଣ୍ଡ୍‌କୁ ପରାସ୍ତ କରିଥିଲା। ଏହି ମ୍ୟାଚ୍‌ର ଦ୍ୱିତୀୟ ମିନିଟ୍‌ରେ ଜନ୍‌ ନେସ୍‌କେନ୍‌ସ ଗୋଲ୍‌ ଦେଇ ନେଦରଲାଣ୍ଡ୍‌କୁ ଆଗୁଆ କରିଥିଲେ। କିନ୍ତୁ ଏହାପରେ ପଲ୍‌ ବ୍ରିଟ୍‌ନର ଏବଂ ଜର୍ଦ ମୁଲର ଗୋଟିଏ ଲେଖାଏଁ ଗୋଲ୍‌ ଦେଇ ଜର୍ମାନିକୁ ବିଜୟ ଭେଟି ଦେଇଥିଲେ। ୧୯୭୦ ମସିହାକୁ ମିଶାଇ ତିନି ଥର ବିଶ୍ୱକପ୍‌ ଜିତିଥିବା ବ୍ରାଜିଲ୍‌ ସ୍ଥାୟୀ ଭାବେ ଜୁଲ୍‌ସ ରିମେଟ ଟ୍ରଫି ନିଜ ପାଖରେ ରଖିନେଇଥିଲା। ତେଣୁ ୧୯୭୪ରେ ନୂଆ ଟ୍ରଫି ତିଆରି ହୋଇଥିଲା। ଏହାକୁ ଇଟାଲିର କାରୀଗର ସିଲ୍‌ଭିଓ ଗାଜାନିଙ୍ଗା ପ୍ରସ୍ତୁତ କରିଥିଲେ। ୧୯୭୪ ବିଶ୍ୱକପ୍‌ରେ ପୋଲାଣ୍ଡ୍‌ ତୃତୀୟ ଏବଂ ପୂର୍ବଥର ବିଜେତା ବ୍ରାଜିଲ ଚତୁର୍ଥ ସ୍ଥାନରେ ରହିଥିଲେ। ୫ ମହାଦେଶରୁ ୧୬ ଦେଶ ଭାଗ ନେଇଥିବା ବେଳେ ୩୮ ମ୍ୟାଚ୍‌ରୁ ମୋଟ ୯୭ ଗୋଲ୍‌ ସ୍କୋର୍‌ ହୋଇଥିଲା। ବ୍ୟକ୍ତିଗତ ଭାବେ ୭ ଗୋଲ୍‌ ଦେଇ ଗ୍ରେଗୋର ଲାଟୋ ସ୍ୱର୍ଣ୍ଣ ଜୋତା ପାଇଥିଲେ।

ସମ୍ବନ୍ଧିତ ଖବର