୧୯୮୭ ବିଶ୍ୱକପ୍‌: ଉପମହାଦେଶରେ ଅଷ୍ଟ୍ରେଲିଆ

ତୃତୀୟ ବିଶ୍ୱକପ୍‌ରେ ଭାରତ ବିଶ୍ୱବିଜେତା ହେବା ଏବଂ ଏସିଆରେ କ୍ରିକେଟ୍‌ର ବର୍ଦ୍ଧିତ ଲୋକପ୍ରିୟତାକୁ ଆଖି ଆଗରେ ରଖି ଆଇସିସି ଚତୁର୍ଥ ବିଶ୍ୱକପ୍‌କୁ ପ୍ରଥମ ଥର ପାଇଁ ଇଂଲଣ୍ଡ ବାହାରେ ଆୟୋଜନ କରିବାର ନିଷ୍ପତ୍ତି ନେଇଥିଲା। ଏଥିପାଇଁ କ୍ରିକେଟ୍‌ର ସର୍ବୋଚ୍ଚ ସଂସ୍ଥା ଭାରତୀୟ ଉପମହାଦେଶକୁ ବାଛିଥିଲା। ୧୯୮୭ ମସିହା ଅକ୍ଟୋବର ୮ରୁ ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ଏହି କ୍ରିକେଟ୍ ବିଶ୍ୱ ଲଢ଼େଇରେ କେବଳ ଦଳ ସଂଖ୍ୟାକୁ ଛାଡ଼ିଦେଲେ ସବୁ କିଛି ନୂଆ ଥିଲା। ପୁଣି ପାରମ୍ପରିକ ପ୍ରତିନ୍ଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମିଳିତ ଭାବେ ଏଥରର ବିଶ୍ୱକପ୍ ଆୟୋଜନ କରିବାର ଅଧିକାର ପାଇଥିଲେ। ଭାରତ ବିଜେତା ହେବା ପରେ ବିଶ୍ୱକପ୍‌କୁ ଆର୍ଥିକ ସହାୟତା ଦେବା ଲାଗି ଭାରତୀୟ କଂପାନି ରିଲାଏନ୍ସ ବି ଆଗେଇ ଆସିଥିଲା। ଫଳରେ ପ୍ରଥମ ତିନିଟି ସଂସ୍କରଣରେ ପ୍ରୁଡେନ୍ସିଆଲ୍ କପ୍ ଭାବେ ପରିଚିତ ଥିବା ବିଶ୍ୱକପ୍ ଚତୁର୍ଥ ସଂସ୍କରଣରେ ରିଲାଏନ୍ସ କପ୍‌ର ନାଁ ପାଇଥିଲା। ଇଂଲଣ୍ଡ ବାହାରେ ଏବଂ ଭାରତୀୟ ଉପମହାଦେଶରେ ବିଶ୍ୱକପ୍ ପ୍ରଥମ ଥର ପାଇଁ ଆୟୋଜିତ ହେଉଥିବାରୁ ଏହାର ସଫଳତା ନେଇ କିଛିଟା ଆଶଙ୍କା ଥିଲା। ହେଲେ ସୁଦକ୍ଷ ପରିଚାଳନା, ପ୍ରଶଂସକଙ୍କ ଭଲପାଇବା ଓ ରୋମାଞ୍ଚ ଦୃଷ୍ଟିରୁ ଏହି ବିଶ୍ୱକପ୍ ପୂର୍ବର ସବୁ ବିଶ୍ୱକପ୍‌କୁ ବଳି ଯାଇଥିଲା। ଆଇସିସି ଚତୁର୍ଥ ବିଶ୍ୱକପ୍‌ରେ ଅନେକ ପରୀକ୍ଷା ନିରୀକ୍ଷା ମଧ୍ୟ କରିଥିଲା। ପ୍ରଥମ ଥର ପାଇଁ ମ୍ୟାଚ୍ ଅବଧିକୁ ୫୦ ଓଭରକୁ କମାଇ ଦିଆ ଯାଇଥିଲା। ପ୍ରଥମ ଥର ପାଇଁ ନିରପେକ୍ଷ ଅମ୍ପାୟାରଙ୍କ ଉପଯୋଗ ଭଳି ନୂଆ ନିୟମର ବ୍ୟବହାର ମଧ୍ୟ କରାଯାଇଥିଲା। ଅଷ୍ଟ୍ରେଲିଆ ରୂପରେ କ୍ରିକେଟ୍ ନୂଆ ବିଶ୍ୱ ବିଜେତା ମଧ୍ୟ ପାଇଥିଲା। କହିବାକୁ ଗଲେ ଏହିଠାରୁ ହିଁ ଅଷ୍ଟ୍ରେଲିଆ ଯୁଗର ଶୁଭାରମ୍ଭ ହୋଇଥିଲା। କୋଲକାତାର ଐତିହାସିକ ଇଡେନ୍ ଗାର୍ଡେନ୍ସ ଷ୍ଟାଡିୟମ୍‌ରେ ଅଷ୍ଟ୍ରେଲିଆ ପାରମ୍ପରିକ ପ୍ରତିଦ୍ବନ୍ଦ୍ୱୀ ଇଂଲଣ୍ଡକୁ ହରାଇ ବିଶ୍ୱ ବିଜେତା ହୋଇଥିଲା ବେଳେ ଦୁଇ ସହ-ଆୟୋଜକ ଭାରତ ଓ ପାକିସ୍ତାନ ସେମିଫାଇନାଲ୍ ପର୍ଯ୍ୟାୟରୁ ବିଦାୟ ନେଇଥିଲେ। ପୂର୍ବର ତିନିଟି ଯାକ ସଂସ୍କରଣରେ ନିଜ ଚମତ୍କାରିତା ଦେଖାଇଥିବା ୱେଷ୍ଟଇଣ୍ଡିଜ୍ ଏଥର ଆଶା ଜନକ ପ୍ରଦର୍ଶନ କରି ପାରି ନ ଥିଲା। ଏପରିକି ଏହି ଦଳ ସେମିଫାଇନାଲ୍‌କୁ ମଧ୍ୟ ଉନ୍ନୀତ ହୋଇ ପାରି ନ ଥିଲା। ୮ଟି ଦଳକୁ ନେଇ ଖେଳା ଯାଇଥିବା ଚତୁର୍ଥ ବିଶ୍ୱକପ୍‌ରେ ମୋଟ ୨୭ଟି ମ୍ୟାଚ୍ ଖେଳା ଯାଇଥିଲା। ୧୯ଟି ଷ୍ଟାଡିୟମ୍‌ରେ ଆୟୋଜିତ ହୋଇଥିବା ଏହି ବିଶ୍ୱକପ୍‌ର ବିଜେତା ଦଳ ଟ୍ରଫି ସହ ୩୦,୦୦୦ ପାଉଣ୍ଡ ଏବଂ ଉପବିଜେତା ଦଳ ୧୨ ହଜାର ପାଉଣ୍ଡର ଆର୍ଥିକ ପୁରସ୍କାର ପାଇଥିଲା। ସେମିଫାଇନାଲ୍‌ରେ ପରାଜିତ ହୋଇଥିବା ଦଳଗୁଡ଼ିକ ୬,୦୦୦ ପାଉଣ୍ଡ ଲେଖାଏଁ ପାଇଥିଲେ। ଟେଷ୍ଟ ଖେଳୁଥିବା ୭ଟି ଦେଶ ଭାରତ, ପାକିସ୍ତାନ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ୱେଷ୍ଟଇଣ୍ଡିଜ୍, ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡ ସହ ଆଇସିସି ଟ୍ରଫି ଜିତି ଜିମ୍ବାୱେ ଚତୁର୍ଥ ବିଶ୍ୱକପ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲା।

ଘରୋଇ ପରିବେଶରେ ଆୟୋଜିତ ବିଶ୍ୱକପ୍‌ରେ ଭାରତ ‘ଏ’ ଗ୍ରୁପର ଶ୍ରେଷ୍ଠ ଦଳ ଭାବେ ଏବଂ ଅଷ୍ଟ୍ରେଲିଆ ଦ୍ବିତୀୟ ଶ୍ରେଷ୍ଠ ଦଳ ଭାବେ ସେମିଫାଇନାଲ୍ ଖେଳିଥିଲେ। ସେପଟେ ‘ବି’ ଗ୍ରୁପ୍‌ର ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ରହି ପାକିସ୍ତାନ ଓ ଇଂଲଣ୍ଡ ଏହି ପର୍ଯ୍ୟାୟକୁ ଯାଇଥିଲେ। ଲାହୋରର ଗଦ୍ଦାଫି ଷ୍ଟାଡିୟମ୍‌ରେ ଖେଳା ଯାଇଥିବା ପ୍ରଥମ ସେମିଫାଇନାଲ୍‌ରେ ଅଷ୍ଟ୍ରେଲିଆ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ବୁନ୍ (୬୫)ଙ୍କ ଅର୍ଧଶତକ ସହ ପାକିସ୍ତାନର ମାତ୍ରାଧିକ ଅତିରିକ୍ତ ରନ୍ ବ୍ୟୟରୁ ଫାଇଦା ଉଠାଇ ନିର୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୨୬୭ ରନ୍ କରି ନେଇଥିଲା। ଜବାବରେ ଅଧିନାୟକ ଇମ୍ରାନ୍ ଖାନ୍ (୫୮) ଓ ଜାଭେଦ୍ ମିଆଁଦାଦ (୭୦)ଙ୍କ ଅର୍ଧଶତକ ସତ୍ତ୍ବେ ପାକିସ୍ତାନ ମାତ୍ର ୯୯ ରନ୍‌ରେ ୬ ଜଣ ଖେଳାଳିଙ୍କୁ ହରାଇ ୪୯ ଓଭରରେ ସମସ୍ତ ୱିକେଟ୍ ବିନିମୟରେ ୨୪୯ ରନ୍‌ରେ ସୀମିତ ରହି ଯାଇଥିଲା।

ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମ୍‌ରେ ଖେଳା ଯାଇଥିବା ଭାରତ-ଇଂଲଣ୍ଡ ଦ୍ବିତୀୟ ସେମିଫାଇନାଲ୍ ଆହୁରି ନାଟକୀୟ ଢଙ୍ଗରେ ଶେଷ ହୋଇଥିଲା। ଇଂଲଣ୍ଡ ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଗ୍ରାହାମ ଗୁଚ୍ (୧୧୫)ଙ୍କ ଶତକ ସହାୟତାରେ ୨୫୪ ରନ୍ (୫୦ ଓଭର, ୬ ୱିକେଟ୍) କରିଥିଲା। ୨୫୫ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତ ଏକଦା ୫ ୱିକେଟ୍‌ରେ ୨୦୪ ରନ୍ କରି ବିଜୟର ଦ୍ବାର ଦେଶରେ ଥିଲା। ହେଲେ ମଧ୍ୟ ଓ ନିମ୍ନକ୍ରମ ଖେଳାଳିଙ୍କ ବିଫଳତା ପରେ ୨୧୯ ରନ୍‌ରେ ସମସ୍ତ ୱିକେଟ୍ ହରାଇ ସେହିଠାରୁ ବିଦାୟ ନେଇଥିଲା। ମହମ୍ମଦ ଆଝାରୁଦ୍ଦିନ (୬୪)ଙ୍କ ଅର୍ଧଶତକ ବି ବେକାର ଯାଇଥିଲା।

ଇଡେନ୍ ଗାର୍ଡେନ୍ସରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଇଥିବା ମେଗା ଫାଇନାଲ୍‌ରେ ଅଷ୍ଟ୍ରେଲିଆ ୫୦ ଓଭରରେ ୫ ୱିକେଟ୍ ହରାଇ ୨୫୩ ରନ୍ କରିଥିଲା। ଶେଷ ୬ ଓଭରରେ ୬୫ ରନ୍ ଯୋଡ଼ି କଙ୍ଗାରୁ ଦଳ ଏହି ସମ୍ମାନ ଜନକ ସ୍କୋର କରିବାକୁ ସକ୍ଷମ ହୋଇଥିଲା। ମାଇକ୍ ଗ୍ୟାଟିଂ ଓ ଆଲାନ ଲ୍ୟାମ୍ବଙ୍କ ଲଢ଼ୁଆ ବ୍ୟାଟିଂ ବଳରେ ଇଂଲଣ୍ଡ ଏକଦା ଦୃଢ଼ ସ୍ଥିତିରେ ଥିଲା। ତେବେ ଶେଷ ୧୦ ଓଭରରେ ମ୍ୟାଚ୍ ନାଟକୀୟ ମୋଡ଼ ନେଇଥିଲା। ଶେଷ ଓଭର୍‌ଗୁଡ଼ିକରେ ମନ୍ଥର ବ୍ୟାଟିଂ ପାଇଁ ଅନ୍ତିମ ଓଭରର ୬ଟି ବଲ୍‌ରୁ ବିଜୟ ପାଇଁ ଇଂଲଣ୍ଡକୁ ୧୭ ରନ୍‌ର ଦରକାର ଥିଲା। ତେବେ ଇଂଲଣ୍ଡ ଏହାକୁ ହାସଲ କରି ନପାରି ପୁଣି ଥରେ ଉପବିଜେତାରେ ସନ୍ତୁଷ୍ଟ ରହିଥିଲା। ଅଷ୍ଟ୍ରେଲିଆ ପ୍ରଥମ ଥର ବିଜେତା ହେବା ସହ ଏକ ନୂଆ କ୍ରିକେଟ୍ ମହାଶକ୍ତିର ଆର୍ବିଭାବ ହୋଇଥିଲା।

ସମ୍ବନ୍ଧିତ ଖବର