୧୯୯୨ ରଙ୍ଗୀନ ବଲ୍ ଓ ଫ୍ଲଡ୍ ଲାଇଟ୍‌ରେ ପାକିସ୍ତାନ ବିଜେତା

ୟୁରୋପରୁ ଏସିଆ ବାଟ ଦେଇ ୧୯୯୨ ମସିହାରେ ଅଷ୍ଟ୍ରେଲିଆ ମହାଦେଶରେ ପହଞ୍ଚିଥିଲା ବିଶ୍ୱକପ୍ । ସେହିବର୍ଷ ଫେବ୍ରୁଆରି ୨୨ରୁ ମାର୍ଚ ୨୫ ତାରିଖ ପର୍ଯ୍ୟନ୍ତ ଉଭୟ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ବିଶ୍ୱକପ୍ କ୍ରିକେଟ୍‌ର ପଞ୍ଚମ ସଂସ୍କରଣ ଖେଳାଯାଇଥିଲା। ବିଶ୍ୱକପ୍ ଇତିହାସରେ ଦ୍ବିତୀୟ ଥର ପାଇଁ ଦୁଇଟି ଦେଶ ମିଳିତ ଭାବେ ବିଶ୍ୱକପ୍ ଆୟୋଜନ କରିଥିଲେ। ଚତୁର୍ଥ ସଂସ୍କରଣକୁ ଭାରତ-ପାକିସ୍ତାନ ମିଳିତ ଭାବେ ଆୟୋଜନ କରିଥିଲା ବେଳେ ପଞ୍ଚମରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଯୁଗ୍ମ ଆୟୋଜକ ଥିଲେ। ବିପର୍ଯ୍ୟୟଭରା ତଥା ଉତ୍କଣ୍ଠାପୂର୍ଣ୍ଣ ଏହି ବିଶ୍ୱକପ୍‌ରେ ପାକିସ୍ତାନ ଫାଇନାଲ୍‌ରେ ଇଂଲଣ୍ଡକୁ ହରାଇ ପ୍ରଥମ ଥର ପାଇଁ ବିଶ୍ୱକପ୍ ଜିତିଥିଲା। ଅନ୍ୟ ପକ୍ଷରେ ହତଭାଗ୍ୟ ଇଂଲଣ୍ଡ ତୃତୀୟ ଥର ପାଇଁ ଉପ-ବିଜେତାରେ ସନ୍ତୁଷ୍ଟ ରହିଥିଲା। ୧୯୯୨ ବିଶ୍ୱକପ୍‌ରେ ମଧ୍ୟ ଗତ ସଂସ୍କରଣ ଭଳି ଆଇସିସି ଏକାଧିକ ପରୀକ୍ଷା ନିରୀକ୍ଷା କରିଥିଲା ପ୍ରଥମ ଥର ପାଇଁ ବିଶ୍ୱକପ୍ ରଙ୍ଗୀନ ପୋଷାକରେ ଖେଳା ଯାଇଥିଲା। ଧଳା କ୍ରିକେଟ୍ ବଲ୍, କଳା ସାଇଡ୍ ସ୍କ୍ରିନ୍ ଏବଂ ରାତିରେ କ୍ରିକେଟ୍‌ର ମଜା ୯୨ ବିଶ୍ୱକପ୍‌ର ଲୋକପ୍ରିୟତାକୁ ନୂଆ ସ୍ତରରେ ପହଞ୍ଚାଇ ଦେଇଥିଲା। କ୍ରିକେଟ୍‌ରେ ରଙ୍ଗୀନ ପୋଷାକର ପ୍ରଚଳନ ୧୯୭୦ରୁ ହୋଇ ଆସୁଥିଲେ ମଧ୍ୟ ୧୯୯୨ରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳାଳିମାନଙ୍କୁ ରଙ୍ଗ ବେରଙ୍ଗ କପଡ଼ା ପରିଧାନରେ ଦେଖିବାକୁ ମିଳିଥିଲା।

ଦକ୍ଷିଣମେରୁରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା ଏହି ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକା ପ୍ରଥମ ଥର ପାଇଁ ଅଂଶ ଗ୍ରହଣ କରିବାର ସୁଯୋଗ ପାଇଥିଲା। ଦକ୍ଷିଣ ଆଫ୍ରିକା ୨୨ ବର୍ଷ ବାସନ୍ଦ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିବା ଯୋଗୁଁ ବିଶ୍ୱକପର ଦଳସଂଖ୍ୟା ୮ରୁ ୯କୁ ବୃଦ୍ଧି ପାଇଥିଲା। ତେବେ ଚତୁର୍ଥ ସଂସ୍କରଣଠାରୁ ଗୋଟିଏ କମ୍ ଅର୍ଥାତ୍ ୧୮ଟି ଷ୍ଟାଡିୟମ୍‌ରେ ବିଶ୍ୱକପ୍ ଆୟୋଜିତ ହୋଇଥିଲା। ପ୍ରଥମେ ରାଉଣ୍ଡ ରବିନ୍ ଓ ପରେ ନକ୍ଆଉଟ୍ ପଦ୍ଧତିରେ ଖେଳା ଯାଇଥିବା ୯୨ ବିଶ୍ୱକପ୍‌ରେ ନ୍ୟୁଜିଲାଣ୍ଡ ତାର ପ୍ରାରମ୍ଭିକ ପ୍ରଦର୍ଶନରେ ସମସ୍ତଙ୍କୁ ଚକିତ କରି ଦେଇଥିଲା। କିୱି ଦଳ ନିଜ ପ୍ରଥମ ୭ଟି ମ୍ୟାଚ୍‌ରେ ଲଗାତାର ବିଜୟ ହାସଲ କରି ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ରହିଥିଲା। ଅଷ୍ଟ୍ରେଲିଆ ତାର ପ୍ରଥମ ଦୁଇଟି ମ୍ୟାଚ୍ ହାରି ଯାଇଥିଲା। ପରବର୍ତୀ ସମୟରେ ଭଲ କରିଥିଲେ ମଧ୍ୟ କଙ୍ଗାରୁ ଦଳ ଅଳ୍ପକେ ସେମିଫାଇନାଲ୍ ଖେଳିବାକୁ ବଞ୍ଚିତ ହୋଇଥିଲା।

ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରି ଦକ୍ଷିଣ ଆଫ୍ରିକା ପୁଣି ଥରେ ତାର ପୁରୁଣା କମାଲ ଦେଖାଇବା ସହ ସେମିଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରି ନେଇଥିଲା। ପଏଣ୍ଟ୍‌ ଟେବୁଲର ଶୀର୍ଷ ଚାରିଟି ସ୍ଥାନରେ ରହି ନ୍ୟୁଜିଲାଣ୍ଡ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନ ସେମିଫାଇନାଲ୍ ଖେଳିଥିଲେ। ଭାରତ ତା’ର ୮ଟି ମ୍ୟାଚ୍‌ରୁ ମାତ୍ର ୫ ପଏଣ୍ଟ ଅର୍ଜନ କରି କେବଳ ଜିମ୍ବାୱେ ଏବଂ ଶ୍ରୀଲଙ୍କା ଉପରକୁ ସପ୍ତମ ସ୍ଥାନରେ ସନ୍ତୁଷ୍ଟ ରହିଥିଲା। ହାଇସ୍କୋରିଂ ପ୍ରଥମ ସେମିଫାଇନାଲ୍‌ରେ ପାକିସ୍ତାନ ୪ ୱିକେଟ୍‌ରେ ନ୍ୟୁଜିଲାଣ୍ଡକୁ ହରାଇ ନିଜ ଚତୁର୍ଥ ସେମିଫାଇନାଲ୍ ପଦାର୍ପଣରେ ପ୍ରଥମ ବିଜୟ ହାସଲ କରିଥିଲା। ତା ସହ ପ୍ରଥମ ଥର ପାଇଁ ମଧ୍ୟ ଫାଇନାଲ୍ ଖେଳିବା ଲାଗି ଯୋଗ୍ୟତା ଅର୍ଜନ କରିଥିଲା। ପାକିସ୍ତାନର ଏହି ବିଜୟରେ ଇଞ୍ଜମାମ-ଉଲ୍-ହକ୍ ନାୟକ ଥିଲେ। ନ୍ୟୁଜିଲାଣ୍ଡ ଦେଇଥିବା ୨୬୩ ରନ୍‌ର ଲକ୍ଷ୍ୟକୁ ହାସଲ କରିବା ଲାଗି ପାକିସ୍ତାନ ସଂଘର୍ଷ କରୁଥିଲା ବେଳେ ସେ ମାତ୍ର ୩୭ ବଲ୍‌ରୁ ୬୦ ରନ୍ କରି ସବୁ କିଛି ଓଲଟ ପାଲଟ କରି ଦେଇଥିଲେ। ସେ ହିଁ ପାକିସ୍ତାନକୁ ଫାଇନାଲ୍‌ରେ ପହଞ୍ଚାଇ ଦେଇଥିଲେ। ବିବାଦୀୟ ଦ୍ବିତୀୟ ସେମିଫାଇନାଲ୍‌ରେ ଇଂଲଣ୍ଡ ଭାଗ୍ୟ ବଳରେ ବିଜୟୀ ହୋଇଥିଲା। ବର୍ଷା ବ୍ୟାଘାତ ପାଇଁ ଖେଳ ବନ୍ଦ ହେଲା ବେଳକୁ ଦକ୍ଷିଣ ଆଫ୍ରିକାକୁ ବିଜୟ ପାଇଁ ୧୩ ବଲ୍‌ରୁ ୨୨ ରନ୍‌ର ଦରକାର ଥିଲା। ହାତରେ ଆହୁରି ୪ଟି ୱିକେଟ୍ ଥିବାରୁ ଦକ୍ଷିଣ ଆଫ୍ରିକା ବିଜୟୀ ହେବାର ଯଥେଷ୍ଟ ସମ୍ଭାବନା ଥିଲା। ହେଲେ ୧୦ ମିନିଟ୍ ପରେ ଖେଳ ଆରମ୍ଭ ହେଲା ବେଳକୁ ସେତେବେଳର ବର୍ଷା ନିୟମ ଅନୁଯାୟୀ ଦକ୍ଷିଣ ଆଫ୍ରିକାକୁ ବିଜୟ ପାଇଁ ମାତ୍ର ଗୋଟିଏ ବଲ୍‌ରୁ ୨୧ ରନ୍‌ର ଲକ୍ଷ୍ୟ ମିଳିଥିଲା। ଦକ୍ଷିଣ ଆଫ୍ରିକାର ସ୍ବପ୍ନିଳ ଅଭିଯାନ ସେହିଠାରେ ଦୁଃଖର ସହ ଶେଷ ହୋଇ ଯାଇଥିଲା। ଏହି ଗୋଟିଏ ଘଟଣା ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଡକୱର୍ଥ/ଲୁଇସ୍ ନିୟମ ଲାଗୁ କରିବାର ବାଟ ଖୋଲି ଦେଇଥିଲା। ସେହି ବିଶ୍ୱକପ୍‌ରେ ଡି/ଏଲ୍ ନିୟମ ଥିଲେ ଦକ୍ଷିଣ ଆଫ୍ରିକା ନିଶ୍ଚିତ ବିଜୟ ସହ ଫାଇନାଲ୍ ଖେଳିଥାନ୍ତା।

ସେମିଫାଇନାଲ୍‌ରେ ଇଂଲଣ୍ଡ ଭାଗ୍ୟବଳରେ ବିଜୟୀ ହୋଇଥିଲେ ମଧ୍ୟ ମେଲବର୍ନ କ୍ରିକେଟ୍ ପଡ଼ିଆରେ ଖେଳା ଯାଇଥିବା ରୋମାଞ୍ଚଭରା ଫାଇନାଲ୍‌ରେ ଭାଗ୍ୟଦେବୀ ପାକିସ୍ତାନକୁ ସହାୟ ହୋଇଥିଲେ। ଏହି ମ୍ୟାଚ୍‌ରେ ପାକିସ୍ତାନ ୨୨ ରନ୍‌ରେ ଇଂଲଣ୍ଡକୁ ହରାଇ ବିଶ୍ୱ ବିଜେତା ହେବାର ଗୌରବ ଅର୍ଜନ କରିଥିଲା। ପାକିସ୍ତାନ ଅଧିନାୟକ ଇମ୍ରାନ୍ ଖାନ୍ ବ୍ୟକ୍ତିଗତ ୯ ରନ୍‌ରେ ଥିଲା ବେଳେ ଇଂଲଣ୍ଡ ତାଙ୍କୁ ଜୀବନ ଦାନ ଦେବା ଅତ୍ୟନ୍ତ ମନ୍ଥର ବ୍ୟାଟିଂ କରୁଥିବା ପାକିସ୍ତାନର ପଲ୍ଲା ଭାରି କରି ଦେଇଥିଲା। ଇମ୍ରାନ୍ ଓ ଜାଭେଦ ମିଆଁଦାଦ ୧୩୯ ରନ୍‌ର ଭାଗୀଦାରି କରିବା ପରେ ଇଞ୍ଜମାମ (୪୨ ରନ୍, ୩୫ ବଲ୍) ଓ ୱ‌ାସିମ ଆକ୍ରମ (୩୩ ରନ୍, ୧୮ ବଲ୍)ଙ୍କ ବିସ୍ଫୋରକ ବ୍ୟାଟିଂ ପାଇଁ ଇଂଲଣ୍ଡକୁ ପାକିସ୍ତାନ ୨୫୦ ରନ୍‌ର ଲକ୍ଷ୍ୟ ଦେଇ ପାରିଥିଲା। ପରେ ମୁସ୍ତାକ ଅହମ୍ମଦଙ୍କ ଗୁଗ୍‌ଲି ସହ ଆକ୍ରମଙ୍କ ସୁଇଂ ବୋଲିଂରେ ଇଂଲଣ୍ଡ ଘାଇଲା ହୋଇ ଯାଇଥିଲା। ଇମ୍ରାନ୍ ନିଜ ଶେଷ ଅନ୍ତର୍ଜାତୀୟ ଦିନିକିଆରେ ଇଂଲଣ୍ଡର ଦଶମ ବ୍ୟାଟ୍ସମ୍ୟାନ୍ ରିଚାର୍ଡ ଇଲିଂୱର୍ଥଙ୍କୁ ଆଉଟ୍ କରିବା ସହ ଅଷ୍ଟ୍ରେଲିଆ ମାଟିରେ ପାକିସ୍ତାନ ନୂଆ ଇତିହାସ ରଚିଥିଲା। ଆକ୍ରମ (୧୮) ସର୍ବାଧିକ ୱିକେଟ୍ ନେଇଥିଲେ। ହେଲେ ସର୍ବାଧିକ ରନ୍ କରିଥିବା ମାର୍ଟିନ୍ କ୍ରୋ (୪୫୬) ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। କ୍ଷେତ୍ର ରକ୍ଷଣ କଟକଣା ଥିଲା ବେଳେ ପିଞ୍ଚ୍ ହିଟରଙ୍କ ଉପଯୋଗ ଏବଂ ସ୍ପିନରଙ୍କ ଦ୍ବାରା ବୋଲିଂ ଆରମ୍ଭ କରିବାର ପରମ୍ପରା ଏହି ବିଶ୍ୱକପରୁ ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର