‘ହକିରେ ଡ୍ରାଗ୍ ଫ୍ଲିକର୍‌ଙ୍କ ମହତ୍ବ ବଢ଼ିଛି’

୧୯୯୮ ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ସ୍ମରଣୀୟ: ଦିଲୀପ

ଯୁଗ ବଦଳିବା ସହ ହକିର ନିୟମ, ନୀତି ଓ ଖେଳ ପରିବେଶରେ ଅନେକ ପରିବର୍ତ୍ତନ ହୋଇଛି। ସମୟ ମଧ୍ୟ କମିଛି। ହେଲେ ପେନାଲ୍ଟି କର୍ନର ଓ ଡ୍ରାଗ୍‌ ଫ୍ଲିକିଂର ମହତ୍ବ ଆଗରୁ ବି ଥିଲା। ଏବେ ବି ରହିଛି। ବରଂ ଆଧୁନିକ ହକିରେ ଯେଉଁ ଦଳ ହକିର ଏହି ଦୁଇ ଦିଗରେ ଯେତେ‌ ଶକ୍ତିଶାଳୀ, ତାହାର ମ୍ୟାଚ୍ ଜତିବା ସମ୍ଭାବନା ସେତେ ଅଧିକ। ମଙ୍ଗଳବାର ନାଭାଲ ଟାଟା ହକି ଏକାଡେମି, ଓଡ଼ିଶା ସହ ମିଶି ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଆୟୋଜନ କରିଥିବା ୱେବିନାରର ଦ୍ବିତୀୟ ଅଧିବେଶନରେ ବିଶେଷଜ୍ଞମାନେ ଏଭଳି ମତ ପ୍ରକାଶ କରିଛନ୍ତି।

‘ଆଧୁନିକ ହକିରେ ପେନାଲ୍ଟି କନର୍ସ ଓ ଡ୍ରାଗ୍ ଫ୍ଲିକ୍ସର ମହତ୍ବ’ ବିଷୟକୁ ନେଇ ଆୟୋଜିତ ହୋଇଥିବା ଏହି ଅନଲାଇନ୍ ଆଲୋଚନା ଚକ୍ରରେ ଭାରତୀୟ ହକି ଦଳର ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ ରିଡ଼୍, ଭାରତୀୟ ହକି କିଂବଦନ୍ତି ତଥା ପଦ୍ମଶ୍ରୀ ଦିଲୀପ ତିର୍କି, ଭାରତୀୟ ହକି ଦଳର ଅଭିଜ୍ଞ ଗୋଲ୍ ରକ୍ଷକ ପିଆର ଶ୍ରୀଜେଶ, ଯୁବ ତାରକା ହରମନପ୍ରୀତ ସିଂହ, ମହିଳା ହକି ଖେଳାଳି ମୋନିକା ମଲ୍ଲିକ ଓ ନେଦରଲାଣ୍ଡ୍ସର ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜୟୀ ହକି କିଂବଦନ୍ତି ଫ୍ଲୋରିସ୍ ବୋଭେଲାଣ୍ଡର ଅଂଶ ଗ୍ରହଣ କରିଥିଲେ। ନିଜ ସମୟରେ ଜଣେ ଦୁର୍ଦ୍ଧର୍ଷ ପେନାଲ୍ଟି କର୍ନର ବିଶେଷଜ୍ଞ ଥିବା ବୋଭେଲାଣ୍ଡର ଏବେକାର ଡ୍ରାଗ ଫ୍ଲିକରମାନଙ୍କୁ ପ୍ରଶଂସା କରିଥି‌ଲେ। ଆଗ ଅପେକ୍ଷା ଏବେକାର ଡ୍ରାକ୍ ଫ୍ଲିକର ଓ ପେନାଲ୍ଟି କର୍ନର ବିଶେଷଜ୍ଞମାନେ ଅଧିକ ଚତୁର ଓ ଶକ୍ତିଶାଳୀ। ସାଂପ୍ରତିକ ଭାରତୀୟ ଦଳରେ ମଧ୍ୟ କିଛି ଭଲ ଖେଳାଳି ଅଛନ୍ତି। ତେବେ ଏହି କଳାକୁ ଶାଣିତ କରିବା ସେତେଟା ସହଜ ନୁହେଁ ବୋଲି ବୋ‌‌ଭେଲାଣ୍ଡର ମତ ରଖିଥିଲେ। ଏହି ଅବସରରେ ନିଜ ଖେଳ ଜୀବନର ସବୁଠାରୁ ସ୍ମରଣୀୟ ମୁହୁର୍ତ୍ତକୁ ମନେ ପକାଇଥିଲେ ଦିଲୀପ। ୧୯୯୮ ମସିହା ବ୍ୟାଂକକ୍ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିବାକୁ ଖେଳ ଜୀବନର ସବୁଠାରୁ ସ୍ମରଣୀୟ ମୁହୁର୍ତ୍ତ ଭାବେ ବର୍ଣ୍ଣନା କରିଥିଲେ ସେ।

‘‘୧୯୯୮ ଏସୀୟ କ୍ରୀଡ଼ାରେ ଆମେ ଧନରାଜ ପିଲ୍ଲେଙ୍କ ନେତୃତ୍ବରେ ଖେଳି ୩୨ ବର୍ଷ ପରେ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଥିଲୁ। ଯାହା ମୋ ଖେଳ ଜୀବନର ଅନ୍ୟତମ ସ୍ମରଣୀୟ ଅଧ୍ୟାୟ’’ ବୋଲି ଦିଲୀପ କହିଥିଲେ। ସେହିଭଳି ୨୦୦୦ ମସିହା ସିଡ୍‌ନି ଅଲିମ୍ପିକ୍ସରେ ପୋଲାଣ୍ଡ ବିପକ୍ଷ ଲିଗ୍ ମ୍ୟାଚ୍‌ରେ ଦେଇଥିବା ଗୋଲ୍ ମଧ୍ୟ ତାଙ୍କୁ ଆତ୍ମସନ୍ତୋଷ ଦେଇଥିଲା ବୋଲି ସେ ମତ ରଖିଥିଲେ। ସେହିବର୍ଷ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଥିବା ଭାରତୀୟ ଦଳରେ ଅନ୍ୟତମ ଓଡ଼ିଆ ହକି କିଂବଦନ୍ତି ଲାଜରୁସ ବାର୍ଲା ମଧ୍ୟ ଅନ୍ୟତମ ସଦସ୍ୟ ଥିଲେ। ଫାଇନାଲରେ ଭାରତ ପେନାଲ୍ଟି ସୁଟଆଉଟରେ ଦକ୍ଷିଣ କୋରିଆକୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଥିଲା।

ଅଧିବଶେନର ଅନ୍ୟତମ ଅତିଥି ଥିବା ଶ୍ରୀଜେଶ କହିଥିଲେ ଯେ ୧୬ ବର୍ଷ ଧରି ଭାରତୀୟ ଦଳରେ ରହିବା ପରେ ଏବେ ମୁଁ ନିଜ ଅଭିଜ୍ଞତାକୁ ଅନ୍ୟମାନଙ୍କ ସହ ବାଣ୍ଟୁଛି। ଯୁବ ଖେଳାଳିଙ୍କଠାରୁ ଅନେକ କିଛି ଶିଖୁଛି ମଧ୍ୟ। ଏବେକାର ଦକ୍ଷ ଡ୍ରାଗ୍ ଫ୍ଲିକରମାନେ ଆତୁର ନ ହୋଇ ‌ଅନ୍ତିମ କ୍ଷଣରେ ସଟ୍ ମାରିବାକୁ ଅଧିକ ପସନ୍ଦ କରୁଛନ୍ତି। ଜଣେ ଗୋଲ୍ ରକ୍ଷକ ଭାବେ ମୋତେ ଏଥିଲାଗି ସବୁବେଳେ ପ୍ରସ୍ତୁତ ରହିବାକୁ ପଡ଼ିଥାଏ। ଶ୍ରୀଜେଶ, ଦିଲୀପ ଓ ହରମନପ୍ରୀତଙ୍କୁ ନେଇ ଭିଡିଓ ଅନୁଶୀଳନ ଜରିଆରେ ପେନାଲ୍ଟି କର୍ନର ଓ ଡ୍ରାଗ୍ ଫ୍ଲିକିଂର ବିଭିନ୍ନ ଦିଗ ଉପରେ ଗ୍ରାହାମ୍ ରିଡ୍ ଆଲୋଚନା କରିଥିଲେ। ଅନ୍ୟପକ୍ଷରେ ୧୯୯୨ ବାର୍ସେଲୋନା ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିବା ତାଙ୍କ ଜୀବନର ସବୁଠାରୁ ସ୍ମରଣୀୟ ହକି ମୁହୁର୍ତ୍ତ ବୋଲି କହିଥିଲେ। ମୋନିକାଙ୍କ ସହ ଅନ୍ୟ ଖେଳାଳିମାନେ ରିଡ୍‌ଙ୍କୁ ଡ୍ରାଗ୍ ଫ୍ଲିକିଂକୁ ନେଇ ବିଭିନ୍ନ ପ୍ରଶ୍ନ କରିଥିଲେ। ଦିଲୀପ ନିଜ ଖେଳ ସମୟରେ କିଭଳି ପେନାଲ୍ଟି କର୍ନରକୁ ସମ୍ମୁଖୀନ ହେଉଥିଲେ, ସଟ୍ ମାରିବା ବେଳେ ଶରୀରକୁ କିଭଳି ସ୍ଥିତିରେ ରଖୁଥିଲେ, ତା ଉପରୁ ପରଦା ଉଠାଇଥିଲେ। ଏହି କାର୍ଯ୍ୟକ୍ରମକୁ ନାଭାଲ ଟାଟା ହକି ଏକାଡେମିର ରାଜୀବ ସେଠ୍ ପରିଚାଳନା କରିଥିଲେ। ଅନ୍ୟପକ୍ଷରେ ଦୀକ୍ଷା ତିୱାରୀ ଅତିଥି ଓ ବି‌ଶେଷଜ୍ଞଙ୍କ ପରିଚୟ ପ୍ରଦାନ କରିଥିଲେ। ଦୀପସାନ୍ ତିର୍କି ଓ ନୀଲମ ସଞ୍ଜୀବ ଖେସଙ୍କୁ ଓଡ଼ିଶା ହକିର ଭବିଷ୍ୟତ ଭାବେ ବର୍ଣ୍ଣନା କରିଥିଲେ ରିଡ୍‌।

ସମ୍ବନ୍ଧିତ ଖବର