୪ ଓଭରରେ ୧ ରନ୍‌ ଦେଲେ ଇର୍ଫାନ୍‌

ବାର୍ବାଡସ୍‌: ପାକିସ୍ତାନୀ ଦ୍ରୁତ ବୋଲର ମହମ୍ମଦ ଇର୍ଫାନ୍‌ ଟେ୍ଵଣ୍ଟି-୨୦ କ୍ରିକେଟ୍‌ରେ ଇତିହାସ ରଚିଛନ୍ତି। କାରିବିଆନ୍‌ ପ୍ରିମିୟର ଲିଗ୍‌ (ସିପିଏଲ୍‌) ଖେଳୁଥିବା ଇର୍ଫାନ୍‌ ଟେ୍ଵଣ୍ଟି-୨୦ କ୍ରିକେଟ୍‌ ଇତିହାସରେ ସବୁଠୁ ମିତବ୍ୟୟୀ ବୋଲିଂ ଚିତ୍ର ପାଇଛନ୍ତି। ବାର୍ବାଡସ୍‌ ଟ୍ରାଇଡେଣ୍ଟ୍‌ ପକ୍ଷରୁ ଖେଳୁଥିବା ଇର୍ଫାନ୍‌ ସେଣ୍ଟ୍‌ କିଟ୍‌ସ ଓ ନେଭିସ୍‌ ପାଟ୍ରିଅଟ୍‌ସ ବିପକ୍ଷ ଏକ ମ୍ୟାଚ୍‌ରେ ଇର୍ଫାନ୍‌ ନିଜର ୪ ଓଭର ବୋଲିଂରେ ୩ ମେଡେନ୍‌ ଓଭର ସାଙ୍ଗକୁ ଗୋଟିଏ ମାତ୍ର ରନ୍‌ ବ୍ୟୟକରି ୨ ଓ୍ଵିକେଟ୍‌ ଦଖଲ କରିଛନ୍ତି। ୪ ଓଭର ତଥା ୨୪ ବଲ୍‌ ମଧ୍ୟରୁ ସେ କ୍ରମାଗତ ୨୩ ବଲ୍‌ରେ କୌଣସି ରନ୍‌ ବ୍ୟୟ କରିନଥିଲେ। କେବଳ ଶେଷ ବଲ୍‌ରେ ହିଁ ଗୋଟିଏ ରନ୍‌ ଦେଇଥିଲେ। ତେବେ ଆଶ୍ଚର୍ଯ୍ୟର କଥା ହେଲା ଏଭଳି ଐତିହାସିକ ବୋଲିଂ ସଫଳତା ସତ୍ତ୍ୱେ ତାଙ୍କ ଦଳ ମ୍ୟାଚ୍‌ ହାରିଯାଇଥିଲା। ଟ୍ରାଇଡେଣ୍ଟ୍‌ ୬ ଓ୍ଵିକେଟ୍‌ରେ କରିଥିଲା ୧୪୭ ରନ୍‌। ଜାସନ୍‌ ହୋଲ୍‌ଡର ୩୫ ବଲ୍‌ରୁ ୫୪ ରନ୍‌ କରିଥିଲେ। ବେନ୍‌ କଟିଙ୍ଗ୍‌ ଓ ଅଣ୍ଟନ୍‌ ଡେଭ୍‌ସିକ୍‌ ୨ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ଜବାବରେ ଇର୍ଫାନ୍‌ଙ୍କ ଘାତକ ବୋଲିଂ ଯୋଗୁଁ ସପ୍ତମ ଓଭର ସୁଦ୍ଧା ସେଣ୍ଟ୍‌ କିଟ୍‌ସ ଦଳ ୨ ଓ୍ଵିକେଟ୍‌ ବିନିମୟରେ ୧୮ ରନ୍‌ କରିଥିଲା। ପ୍ରଥମ ଦଫାରେ ହିଁ ୪ ଓଭର ବୋଲିଂ କରିଥିବା ଇର୍ଫାନ୍‌ ଦୁଇ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ କ୍ରିସ୍‌ ଗେଲ୍‌ (ପ୍ରଥମ ବଲ୍‌) ଏବଂ ଇଭିନ୍‌ ଲୁଇସ୍‌ଙ୍କୁ ପାଭିଲିୟନ୍‌ ପଠାଇ ଦେଇଥିଲେ। ହେଲେ ବ୍ରାଣ୍ଡନ୍‌ କିଙ୍ଗ୍‌ (୪୯ ବଲ୍‌ରୁ ୬୦) ଏବଂ ବେନ୍‌ କଟିଙ୍ଗ୍‌ (୨୧ ବଲ୍‌ରୁ ୨୯) ପାଳିକୁ ଆଗେଇ ନେବା ସହିତ ୧୮.୫ ଓଭରରେ ସେଣ୍ଟ୍‌ କିଟ୍‌ସ ଦଳକୁ ବିଜୟ ଭେଟି ଦେଇଥିଲେ। ବିଜୟୀ ଦଳ ୪ ଓ୍ଵିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା।

ସମ୍ବନ୍ଧିତ ଖବର