ଭୁବନେଶ୍ବର: ଝାଡ଼ଖଣ୍ଡର ଖୁଣ୍ଟି (ରାଞ୍ଚି)ରେ ଚାଲିଥିବା ହକି ଇଣ୍ଡିଆ ପରିଚାଳିତ କନିଷ୍ଠ ଅନ୍ତଃଜୋନ୍ ହକି ପୂର୍ବାଞ୍ଚଳ ପ୍ରତିଯୋଗିତାର ଫାଇନାଲ୍ରେ ଓଡ଼ିଶା ପୁରୁଷ ଦଳ ପହଞ୍ଚିଯାଇଛି। ଶୁକ୍ରବାର ଶେଷ ଲିଗ୍ ମ୍ୟାଚ୍ରେ ଓଡ଼ିଶା ୧-୩ ଗୋଲ୍ରେ ଆୟୋଜକ ଝାଡ଼ଖଣ୍ଡଠୁ ପରାସ୍ତ ହୋଇଥିଲା। ଫଳରେ ୪ ମ୍ୟାଚ୍ରୁ ୩ ଜିତିଥିବା ଓଡ଼ିଶା ପଏଣ୍ଟ ତାଲିକାରେ ଝାଡ଼ଖଣ୍ଡ ପଛକୁ ଦ୍ବିତୀୟରେ ଏହି ସ୍ଥାନ ପକ୍କା କରିଥିଲା। ସୋମବାର ଫାଇନାଲ୍ରେ ଏହି ଦଳ ଶୀର୍ଷରେ ଥିବା ଝାଡ଼ଖଣ୍ଡ (୪ ମ୍ୟାଚ୍, ୪ ବିଜୟ)କୁ ଭେଟିବ। ଶନିିବାର ମ୍ୟାଚ୍ର ପ୍ରଥମାର୍ଦ୍ଧ ଗୋଲ୍ ଶୂନ୍ୟରେ ଶେଷ ହୋଇଥିଲା ବେଳେ ୩୩ତମ ମିନିଟ୍ରେ ପ୍ରେମଦୟାଲ ଗିରି ଗୋଲ୍ ଦେଇ ଓଡ଼ିଶାକୁ ଆଗୁଆ କରିଥିଲେ। ହେଲେ ଏହାପରେ ଦୀପକ ସୋରେଙ୍ଗ (୩୪, ୫୬ ମିନିଟ୍) ଦୁଇଟି ଏବଂ ରୋଶନ ଏକ୍କା (୪୪ ମିନିଟ୍) ଗୋଟିଏ ଗୋଲ୍ ଦେଇ ଝାଡ଼ଖଣ୍ଡକୁ ବିଜୟ ଦେଇଥିଲେ।
ଅନ୍ୟପକ୍ଷରେ ଶେଷ ଲିଗ୍ ମ୍ୟାଚ୍ରେ ଓଡ଼ିଶା ମହିଳା ଦଳ ୨୦-୦ ଗୋଲ୍ରେ ବେଙ୍ଗଲକୁ ପରାସ୍ତ କରିଥିଲା। ହେଲେ ଓଡ଼ିଶା (୩୬ ଗୋଲ୍) ୫ ମ୍ୟାଚ୍ରୁ ୪ ଜିତି ଝାଡ଼ଖଣ୍ଡ (୩୮ ଗୋଲ୍), ମିଜୋରାମ (୩୭ ଗୋଲ୍) ସହ ସମାନ ୧୨ ପଏଣ୍ଟ୍ରେ ଥିଲେ ମଧ୍ୟ ଗୋଲ୍ ବ୍ୟବଧାନରେ ପଛରେ ପଡ଼ି ଫାଇନାଲ୍ରୁ ବଞ୍ଚିତ ହୋଇଛି। ଝାଡ଼ଖଣ୍ଡ ଓ ମିଜୋରାମ ରବିବାର ଫାଇନାଲ୍ ଖେଳିବାକୁ ଥିଲା ବେଳେ ଏହା ପୂର୍ବରୁ ଓଡ଼ିଶା ତୃତୀୟ ସ୍ଥାନ ପାଇଁ ବିହାର ସହ ଲଢ଼ିବ। ଓଡ଼ିଶା ପକ୍ଷରୁ ସୁପ୍ରିୟା କୁଜୁର (୪, ୨୫, ୩୦, ୪୨, ୫୫ ମିନିଟ୍) ୫, ମୁନମୁନି ଦାସ (୧, ୨୩, ୪୨, ୬୦ ମିନିଟ୍) ଓ ସୁମି ମୁଣ୍ଡରି (୨୦, ୪୧, ୫୬, ୫୭ ମିନିଟ୍) ୪ ଲେଖାଏଁ, ପ୍ରତିଭା କିଣ୍ଡୋ (୮, ୨୮, ୪୪ ମିନିଟ୍) ୩ ଏବଂ ମାରିୟାମ ଧନୱାର (୧୭ ମିନିଟ୍), ରମ୍ଭା କୁଜୁର (୪୩ ମିନିଟ୍), ଅମିଷା ଏକ୍କା (୪୬ ମିନିଟ୍) ଓ ଅଞ୍ଜଳି ବରୱା (୫୯ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ୫ ଗୋଲ୍ ସ୍କୋର୍ କରିଥିବା ସୁପ୍ରିୟା ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।