ପର୍ଥ: ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ୍‌ର ଉଭୟ ପାଳିରୁ ୫ ୱିକେଟ୍ ଦଖଲ କରିବା ସହିତ ଅଷ୍ଟ୍ରେଲୀୟ କିଂବଦନ୍ତି ନାଥନ୍ ଲାୟନ୍‌ ୫୦୦ ୱିକେଟ୍ କ୍ଲବ୍‌ରେ ସାମିଲ ‌ହୋଇଛନ୍ତି। ତାଙ୍କ ମୋଟ ଟେଷ୍ଟ୍ ୱିକେଟ୍‌ ଏବେ ୫୦୧*ରେ ପହଞ୍ଚିଛି। ଏହି ବିରଳ କ୍ଲବ୍‌ରେ ସାମିଲ ହେବାରେ ଲାୟନ୍‌ ବିଶ୍ବର ଅଷ୍ଟମ ବୋଲର, ଚତୁର୍ଥ ସ୍ପିନର୍‌ ଏବଂ ମୁଥୟା ମୁରଲୀଧରନଙ୍କ ପରେ ଦ୍ବିତୀୟ ଅଫସ୍ପିନର୍ ‌ହୋଇଛନ୍ତି। ଗତ ଆସେସ୍‌ ସମୟରେ ଆହତ କାରଣରୁ ଦଳଠାରୁ ଦୂରେଇ ରହିବା ପରେ ପ୍ରତ୍ୟାବର୍ତ୍ତନର ପ୍ରଥମ ଟେଷ୍ଟ୍‌ରେ ନିଜ ଖେଳ ଜୀବନର ସବୁଠାରୁ ବଡ଼ ସ୍ବପ୍ନର ମାଇଲଖୁଣ୍ଟ ଛୁଇଁଛନ୍ତି। ପାକିସ୍ତାନର ଫହିମ ଅସ୍ରଫ ତାଙ୍କ ୫୦୦ତମ ଶିକାର ହୋଇଛନ୍ତି। ଏହା ପରେ ୩୫ ବର୍ଷୀୟ ଲାୟନ୍ କହିଛନ୍ତି ‘ମୁଁ ସେହି କିଂବଦନ୍ତିଙ୍କ ତଳକୁ ମୋ ନାମକୁ ଦେଖିବା ମାତ୍ରେ ମୁଁ ଉଲ୍ଲସିତ ହୋଇଯାଉଛି’। ଏହି ସଫଳତା ପରେ ଲାୟନଙ୍କ ନିକଟରୁ ଶୁଭେଚ୍ଛାର ସୁଅ ଛୁଟିଛି। ଏହି କ୍ଲବ୍‌ରେ ସାମିଲ ହେବାର ସ‌ୁଯୋଗ ରଖିଥିବା ଅନ୍ୟତମ ଭାରତୀୟ ଆର୍‌ ଅଶ୍ବିନ୍ ରବିବାର ଲୟନଙ୍କୁ ଅଭିନନ୍ଦନ ଜଣାଇବା ସହ ଉଚ୍ଚ ପ୍ରଶଂସା କରିଛନ୍ତି।

Advertisment

ପାକିସ୍ତାନ ୩୬୦ ରନ୍‌ରେ ପରାସ୍ତ

ଦ୍ବିତୀୟ ପାଳିରେ ଲଢ଼ିବା ପରିବର୍ତ୍ତେ ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରିବା ଫଳରେ ପାକିସ୍ତାନ ପର୍ଥ ଟେଷ୍ଟ‌୍‌କୁ ୩୬୦ ରନ୍‌ର ବିପୁଳ ବ୍ୟବଧାନରେ ହାରିଯାଇଛି। ଏଥି ସହିତ ୫ ମ୍ୟାଚ୍‌ ଟେଷ୍ଟ୍ ଶୃଙ୍ଖଳାରେ ଅଷ୍ଟ୍ରେଲିଆ ୧-୦ରେ ଆଗୁଆ ହୋଇଛି। ବିଶ୍ବ ଟେଷ୍ଟ୍ ଚାମ୍ପିୟନସିପ୍‌ର ଏହି ବିଜେତା ଦଳ ୧୨ ପଏଣ୍ଟ୍‌ ଅର୍ଜନ କରିଛି। ଅଷ୍ଟ୍ରେଲିଆ ରବିବାର ୮୪/୨ରୁ ଖେଳି ୨୩୩/୫ରେ ଦ୍ବିତୀୟ ପାଳିକୁ ଘୋଷଣା କରି ଦେଇଥିଲା। ଫଳରେ ଅଷ୍ଟ୍ରେଲିଆ ସମ୍ମୁଖରେ ୪୫୦ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ସାନ ମାସୁଦଙ୍କ ଦଳ କିନ୍ତୁ ଦ୍ବିତୀୟ ପାଳିରେ ମାତ୍ର ୮୯ ରନ୍‌ କରି ସମସ୍ତ ୱିକେଟ୍ ହରାଇ ଦେଇଥିଲା। ମିଚେଲ୍ ମାର୍ସ (୯୦ ରନ୍‌, ୧/୩୪, ୬୩*) ମ୍ୟାଚ୍‌ର ଶ୍ରେଷ୍ଠ ‌ଖେଳାଳି ବିବେଚିତ ହୋଇଥିଲେ।

ସଂକ୍ଷିପ୍ତ ସ୍କୋର: ଅଷ୍ଟ୍ରେଲିଆ ପ୍ରଥମ ପାଳି: ୪୮୭ (ଡେଭିଡ୍‌ ୱାର୍ଣ୍ଣର-୧୬୪, ମିଚେଲ୍ ମାର୍ସ-୯୦, ଆମିର ଆଜମଲ୍‌-୬/୧୧୧)। ପାକିସ୍ତାନ ପ୍ରଥମ ପାଳି: ୨୭୧ (ଇମାମ ଉଲ୍ ହକ୍‌-୬୨, ନାଥନ୍ ଲାୟନ-୩/୬୬)। ଅଷ୍ଟ୍ରେଲିଆ ଦ୍ବିତୀୟ ପାଳି: ୨୩୩/୫, ଘୋଷିତ (ଉସମାନ ଖୱାଜା-୯୦, ମିଚେଲ୍‌ ମାର୍ସ-୬୩*, ଖୁରାମ ସେହଜାଦ-୩/୪୫)। ପାକିସ୍ତାନ ଦ୍ବିତୀୟ ପାଳି: ୩୦.୨ ଓଭରରେ ୮୯ (‌ସୌଦ ସକିଲ୍‌-୨୪, ଜୋସ ହାଜେଲଉଡ୍‌-୩/୧୩, ମିଚେଲ ଷ୍ଟାର୍କ-୩/୩୧, ନାଥନ୍ ଲାୟନ୍‌-୨/୧୪, ପ୍ୟାଟ୍ କମିନ୍ସ-୧/୧୧)।