ପର୍ଥ : ଆଗାମୀ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପୂର୍ବରୁ ଆୟୋଜକ ଅଷ୍ଟ୍ରେଲିଆକୁ ଝଟ୍‌କା ଲାଗିଛି। ଇଂଲଣ୍ଡ ସହ ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳା ଖେଳି ପ୍ରସ୍ତୁତି ଲକ୍ଷ୍ୟରେ ରହିଥିବା ଅଷ୍ଟ୍ରେଲିଆ ରବିବାର ପ୍ରଥମ ମୁକାବିଲା ହାରିଯାଇଛି। ଫଳରେ ଅଷ୍ଟ୍ରେଲିଆ ଗସ୍ତରେ ଜୋସ୍‌ ବଟଲର୍‌ଙ୍କ ଇଂଲଣ୍ଡ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛି। ରବିବାରର ପ୍ରଥମ ଟ୍ବେଣ୍ଟି-୨୦ରେ ଭ୍ରମଣକାରୀ ଦଳ ୮ ରନ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଇଂଲଣ୍ଡର ୨୦୮/୬ ଜବାବରେ ଅଷ୍ଟ୍ରେଲିଆ ୨୦୦/୯ରେ ଅଟକି ଯାଇଥିଲା। ଦ୍ରୁତ ଅର୍ଦ୍ଧଶତକ ପରେ ୨ଟି ଚମତ୍କାର କ୍ୟାଚ୍‌ ଧରିଥିବା ଆଲେକ୍ସ ହେଲ୍‌ସ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

Advertisment

ଟସ୍‌ ଜିତି ଘରୋଇ ଦଳ ପ୍ରଥମେ ବ୍ୟାଟିଂ ପାଇଁ ଇଂଲଣ୍ଡକୁ ଆମନ୍ତ୍ରଣ କରିଥିଲା। ହେଲେ ଅଧିନାୟକ ଆରୋନ୍‌ ଫିଞ୍ଚ୍‌ଙ୍କ ଏହି ନିଷ୍ପତ୍ତିର ଦୃଢ଼ ଜବାବ ଦେଇଥିଲା ଇଂଲଣ୍ଡ। ଏହାର ଦୁଇ ଓପ୍‌ନର ଜୋସ୍‌ ବଟଲର୍‌ (୬୮ ରନ୍‌, ୩୨ ବଲ୍‌, ୮ ଚୌକା, ୪ ଛକା) ଏବଂ ଆଲେକ୍ସ ହେଲ୍‌ସ (୮୪ ରନ୍‌, ୫୧ ବଲ୍‌, ୧୨ ଚୌକା, ୩ ଛକା) ବିସ୍ଫୋରକ ବ୍ୟାଟିଂ କରି ପ୍ରଥମ ୱିକେଟ୍‌ରେ ୧୧.୨ ଓଭରରେ ୧୩୨ ରନ୍‌ର ଭାଗୀଦାରି ଗଢ଼ିଥିଲେ। ଏହାପରେ କ୍ରିସ୍‌ ୱକ୍ସ (୧୩*), ହାରି ବ୍ରୁକ୍ସ (୧୨) ଓ ମୋଇନ୍‌ ଅଲୀ (୧୦) ସ୍ବଳ୍ପ ତଥା ଉପଯୋଗୀ ପାଳି ଖେଳି ଦଳୀୟ ସ୍କୋର୍‌ ୨୦୦ ଟପାଇ ଦେଇଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ନାଥନ୍‌ ଏଲିସ୍‌ (୪-୦-୨୦-୩) କଞ୍ଜୁସ୍‌ ବୋଲିଂ କରିଥିଲା ବେଳେ କାମେରନ ଗ୍ରିନ୍‌, ଡାନିଏଲ୍‌ ସାମ୍‌ସ ଓ ମାର୍କସ ଷ୍ଟୋଇନିସ୍‌ ଗୋଟିଏ ଲେଖାଏଁ ୱିକେଟ୍‌ ପାଇଥିଲେ।

ଜବାବ‌ରେ ଓପ୍‌ନର ଡେଭିଡ୍‌ ୱର୍ଣ୍ଣର (୭୩ ରନ୍‌, ୪୪ ବଲ୍‌, ୮ ଚୌକା, ୨ ଛକା)ଙ୍କ ଦ୍ରୁତ ଅର୍ଦ୍ଧଶତକ ସାଙ୍ଗକୁ ମିଚେଲ ମାର୍ଶ (୩୬), ମାର୍କସ ଷ୍ଟୋଇନିସ୍‌ (୩୫), ମାଥ୍ୟୁ ୱେଦ୍‌ (୨୧) ଓ ଆରୋନ୍‌ ଫିଞ୍ଚ୍‌ (୧୨)ଙ୍କ ଲଢ଼ୁଆ ପାଳି ସତ୍ତ୍ବେ ଅଷ୍ଟ୍ରେଲିଆ ୨୦୦/୯ରେ ସୀମିତ ରହିଯାଇଥିଲା। ଶେଷ ଓଭରରୁ ବିଜୟ ପାଇଁ ୧୬ ରନ୍‌ ଦରକାର ଥିଲା ବେଳେ ସାମ୍‌ କରନ୍‌ ବଢ଼ିଆ ବୋଲିଂ କରିଥିଲେ। ସେ ମାତ୍ର ୭ ରନ୍ ବ୍ୟୟ କରି ୨ଟି ୱିକେଟ୍‌ ଦଖଲ କରିବାରୁ ଅଷ୍ଟ୍ରେଲିଆ ପରାଜୟ ପାଇଁ ବାଧ୍ୟ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ମାର୍କ ଉଡ୍‌ (୪-୦-୩୪-୩), ରିସି ଟପ୍‌ଲେ (୪-୦-୩୬-୨) ଓ ଆଦିଲ ରସିଦ୍‌ (୩-୦-୪୧-୧) ଅବଶିଷ୍ଟ ୬ ୱିକେଟ୍‌ ବାଣ୍ଟି ନେଇଥିଲେ। ଫିଞ୍ଚ୍‌ ରନ୍‌ ଆଉଟ୍‌ ହୋଇଥିଲେ।