ଚଟ୍ଟୋଗ୍ରାମ : ଦିନିକିଆ ଶୃଙ୍ଖଳାକୁ ଜିତିବା ପରେ ଆୟର୍ଲାଣ୍ଡ ବିପକ୍ଷରେ ସୋମବାରଠୁ ଆରମ୍ଭ ହୋଇଥିବା ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ମଧ୍ୟ ବାଂଲାଦେଶ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଚଟ୍ଟୋଗ୍ରାମରେ ଖେଳାଯାଇଥିବା ବର୍ଷା ବାଧାପ୍ରାପ୍ତ ପ୍ରଥମ ମ୍ୟାଚ୍ରେ ଘରୋଇ ଦଳ ୨୨ ରନ୍ରେ ଆୟର୍ଲାଣ୍ଡକୁ ପରାସ୍ତ କରିଛି।
ବାଂଲାଦେଶ ପ୍ରଥମେ ବ୍ୟାଟିଂ କରିଥିଲା ବେଳେ ୫ ୱିକେଟ୍ ବିନିମୟରେ ୨୦୭ ରନ୍ ସଂଗ୍ରହ କରିଥିଲା। ଲିଟନ୍ ଦାସଙ୍କ ସହ ନବାଗତ ରନି ତାଲୁକଦାର ପ୍ରଥମ ୱିକେଟ୍ରେ ୯୧ ରନ୍ ଯୋଗକରି ମଜବୁତ ଆରମ୍ଭ ଦେଇଥିଲେ। ଅର୍ଦ୍ଧଶତକ କରିବା ଆଗରୁ ଲିଟନ୍ (୪୭) ଆଉଟ୍ ହୋଇଥିଲେ ମଧ୍ୟ ରନି (୬୭) ତାଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ କରିନଥିଲେ। ମଧ୍ୟକ୍ରମରେ ସମିମ୍ ହୋସେନ୍ ୩୦, ସାକିବ୍ ଅଲ୍ ହାସନ୍ ୨୦* ରନ୍ ଦଳୀୟ ସ୍କୋରରେ ଯୋଡ଼ିଥିଲେ। ଆଉ ୪ ବଲ୍ ବାକି ଥିଲା ବେଳେ ପ୍ରବଳ ବର୍ଷା ହୋଇଥିଲା। ଫଳରେ ପାଳିକୁ ସେହିଠାରେ ଶେଷ କରିଦିଆଯାଇଥିଲା।
ଆୟର୍ଲାଣ୍ଡ ବ୍ୟାଟିଂ କରିବା ପୂର୍ବରୁ ମଧ୍ୟ ବର୍ଷା ଲାଗି ରହିବାରୁ ଖେଳକୁ ୮ ଓଭରକୁ କମାଇ ଦିଆଯାଇଥିଲା। ଫଳରେ ଆୟର୍ଲାଣ୍ଡ ସମ୍ମୁଖରେ ୧୦୪ ରନ୍ର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଦଳ ଧାର୍ଯ୍ୟ ଓଭର ବେଳକୁ ୮୧/୫ ସ୍କୋର କରିପାରିଥିଲା। ତସ୍କିନ୍ ଅହମ୍ମଦ ସଫଳ ବୋଲର ଭାବେ ୨ ଓଭର ବୋଲିଂ କରି ୪ ୱିକେଟ୍ ଅକ୍ତିଆର କରିଥିଲେ।