ଦୁଇ ଦିନରେ ୩୦ ୱିକେଟ୍‌: ଦକ୍ଷିଣ ଆଫ୍ରିକା ସମ୍ମୁଖରେ ୧୪୯ ରନ୍ ଲକ୍ଷ୍ୟ

ସେଞ୍ଚୁରିଅନ୍‌: ସ୍ଥାନୀୟ ସୁପରସ୍ପୋର୍ଟ ପାର୍କରେ ଚାଲିଥିବା ବକ୍ସିଂ ଡେ’ର ଅନ୍ୟତମ ଟେଷ୍ଟ୍ ମ୍ୟାଚ୍‌ର ପ୍ରଥମ ଦୁଇ ଦିନରେ ୩୦ ୱିକେଟର ପତନ ଘଟିଛି। ଫଳରେ ତୃତୀୟ ଦିନ ଏହି ମ୍ୟାଚ୍ ଶେଷ ହୋଇଯିବା ଏପ୍ରକାର ନିଶ୍ଚିତ ହୋଇଛି। ପାକିସ୍ତାନର ଉଭୟ ପାଳି ଯଥାକ୍ରମେ ୧୮୧ ଏବଂ ୧୯୦ରେ ଶେଷ ହୋଇଯିବାରୁ ଦକ୍ଷିଣ ଆଫ୍ରିକା ସମ୍ମୁଖରେ ୧୪୯ ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ପ୍ରଥମ ଦିନ ଭଳି ଦ୍ବିତୀୟ ଦିବସରେ ମଧ୍ୟ ୧୫ ୱିକେଟ୍‌ ପତନ ଘଟିଛି। ଗୁରୁବାର ସକାଳେ ୧୨୭/୫ରୁ ଖେଳିଥିବା ଦକ୍ଷିଣ ଆଫ୍ରିକା ତେମ୍ଭା ବାଭୁମା (୫୩, ୮୭ ବଲ, ୯ ଚୌକା) ଏବଂ କ୍ୟୁଣ୍ଟନ୍ ଡି’କକ୍‌ (୪୫, ୫୩ ବଲ, ୫ ଚୌକା)ଙ୍କ ବଳରେ ୨୨୩ ରନ୍‌ରେ ସମସ୍ତ ୱିକେଟ୍ ହରାଇଥିଲା। ନାଇଟ ୱାଚ୍‌ମ୍ୟାନ୍ ଡେଲ୍ ଷ୍ଟେନ୍ (୨୩, ୨୩ ବଲ, ୪ ଚୌକା) ମଧ୍ୟ ଉପଯୋଗୀ ପାଳି ଦେଇଥିଲେ। ପାକିସ୍ତାନର ୩ ଦ୍ରୁତ ବୋଲର ମହମ୍ମଦ ଆମିର (୪/୬୨), ସାହିନ୍ ସାହା ଆଫ୍ରିଦି (୪/୬୪) ଏବଂ ହାସନ୍ ଅଲୀ (୨/୭୦) ବାଣ୍ଟି ନେଇଥିଲେ। ଜବାବରେ ଦ୍ବିତୀୟ ପାଳି ଖେଳିଥିବା ପାକିସ୍ତାନ ଗୋଟିଏ ସମୟରେ ୧ ୱିକେଟରେ ୧୦୧ ରନ୍ ସଂଗ୍ରହ କରି‌ ନେଇଥିଲେ ମଧ୍ୟ ଚା’ପାନ ବିରତି ପରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୯ ୱିକେଟ୍ ହରାଇ ଦେଇଥିଲା। ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ଇମାମ୍ ଉଲ୍ ହକ୍‌ (୫୭, ୯୬ ବଲ୍, ୮ ଚୌକା, ୧ ଛକା) ଏବଂ ୩ ନମ୍ବର ସାନ୍ ମାସୁଦ (୬୫, ୧୨୦ ବଲ, ୭ ଚୌକା, ୧ ଛକା)ଙ୍କ ବାଦ୍ ଅନ୍ୟ କେହି ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲିଂ ଆଗରେ ତିଷ୍ଠି ନ ଥିଲେ। ଡୁଆନ ଓଲିଭର (୬/୩୭ ଏବଂ ୫/୫୯) ଉଭୟ ପାଳିରେ ଘାତକ ସାବ୍ୟସ୍ତ ହୋଇଥିଲେ। ଦ୍ବିତୀୟ ପାଳିରେ କାଗିସୋ ରବାଦା (୩/୪୭) ଏବଂ ଡେଲ୍ ଷ୍ଟେନ୍ (୨/୩୪) ମିଳିତ ଭାବେ ଅନ୍ୟ ୫ ୱିକେଟ୍‌ ବାଣ୍ଟି ନେଇଥିଲେ।

ସଂକ୍ଷିପ୍ତ ସ୍କୋର: ପାକିସ୍ତାନ ପ୍ରଥମ ପାଳି: ୧୮୧ (ବାବର ଆଜମ-୭୧, ଡୁଆନ୍ ଓଲିଭର-୬/୩୭, କାଗିସୋ ରାବାଦା-୩/୫୯, ଡେଲ୍ ଷ୍ଟେନ୍‌-୧/୬୬)। ଦକ୍ଷିଣ ଆଫ୍ରିକା ପ୍ରଥମ ପାଳି: ୨୨୩ (ତେମ୍ବା ବାଭୁମା-୫୩, କ୍ୟୁଣ୍ଟନ୍ ଡି’କକ୍‌-୪୫, ମହମ୍ମଦ ଆମିର-୪/୬୨, ସାହିନ୍ ସାହା ଆଫ୍ରିଦି-୪/୬୪, ହାସନ୍ ଅଲୀ-୨/୭୦)। ପାକିସ୍ତାନ ଦ୍ବିତୀୟ ପାଳି: ୧୯୦ (ସାନ୍ ମାସୁଦ-୬୫, ଇମାମ୍ ଉଲ୍ ହକ୍‌-୫୭, ଡୁଆନ୍ ଓଲିଭର-୫/୫୯, କାଗିସ‌ୋ ରବାଦା-୩/୪୭, ଡେଲ୍‌ ଷ୍ଟେନ୍‌-୨/୩୪)।

ସମ୍ବନ୍ଧିତ ଖବର