ବେଙ୍ଗାଲୁରୁ: ପ୍ରଥମ ଦିନ ଗୋଟିଏ ବି ପାଳି ସରିନଥିଲା। କିନ୍ତୁ ଦ୍ୱିତୀୟ ଦିନ ତିନିଟି ପାଳି ଶେଷ ହୋଇଗଲା। ଶୁକ୍ରବାର ଗୋଟିଏ ଦିବସରେ ୨୪ ଓ୍ଵିକେଟ୍ର ପତନ ସହିତ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ଖେଳାଯାଇଥିବା ଆଫଗାନିସ୍ତାନ ବିପକ୍ଷ ଏକମାତ୍ର ଟେଷ୍ଟ୍କୁ ଭାରତ ଏକ ପାଳି ଓ ୨୬୨ ରନ୍ର ବଡ଼ ବ୍ୟବଧାନରେ ଜିତିନେଲା। ଯାହାକି ଭାରତର ସର୍ବବୃହତ୍ ବିଜୟ କୀର୍ତିମାନ। ଏହା ପୂର୍ବରୁ ଭାରତ ୨୦୦୭ରେ ବାଂଲାଦେଶକୁ ପାଳି ଓ ୨୩୯ ରନ୍ରେ ପରାସ୍ତ କରିଥିଲା। ଅନ୍ୟପକ୍ଷରେ ପଦାର୍ପଣ ଟେଷ୍ଟ୍ର ଉଭୟ ପାଳିରେ ଗୋଟିଏ ଦିନରେ ଦୁଇ ଥର ଆଉଟ୍ (୧୦୯ ଏବଂ ୧୦୩) ହୋଇ ଆଫଗାନିସ୍ତାନ ବି ଆତ୍ମସମର୍ପଣ କରିଗଲା। ଭାରତୀୟ ସ୍ପିନରଙ୍କ ତୁଳନାରେ ଆମ ସ୍ପିନର୍ ଉନ୍ନତ ବୋଲି ଟେଷ୍ଟ୍ ପୂର୍ବରୁ ଦମ୍ଭୋକ୍ତି ପ୍ରକାଶ କରିଥିବା ଆଫଗାନିସ୍ତାନ ଅଧିନାୟକ ଅସଗର ଷ୍ଟାନିକଜାଇ ବି ଭୁଲ ପ୍ରମାଣିତ ହେଲେ। ବରଂ ଭାରତୀୟ ସ୍ପିନର ଯୋଡ଼ି ରବିଚନ୍ଦ୍ରନ୍ ଅଶ୍ୱିନ (୫/୫୯) ଏବଂ ରବୀନ୍ଦ୍ର ଜାଦେଜା (୬/୩୫) ମିଳିତ ଭାବେ ୧୧ ଓ୍ଵିକେଟ୍ ନେଇ ପଡ଼ିଆ ଭିତରେ ଏହାର ଜବାବ ଦେଇଥିଲେ। ଶିଖର ଧାଓ୍ଵନ କିନ୍ତୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ଶୁକ୍ରବାର ସକାଳେ ଭାରତ ୩୪୭/୬ରୁ ଖେଳି ହାର୍ଦିକ ପାଣ୍ଡ୍ୟା (୭୧, ୯୪ ବଲ୍, ୧୦ ଚୌକ)ଙ୍କ ଅର୍ଧଶତକ ବଳରେ ୪୭୪ ରନ୍ କରି ନେଇଥିଲା। ରବୀନ୍ଦ୍ର ଜାଦେଜା (୨୦, ୩୧ ବଲ୍), ରବିଚନ୍ଦ୍ରନ୍ ଅଶ୍ୱିନ୍ (୧୮), ଉମେଶ ଯାଦବ (୨୬*, ୨୧ ବଲ୍, ୨ ଚୌକା, ୨ ଛକା) ଉପଯୋଗୀ ଅବଦାନ ରଖିଥିଲେ। ମଧ୍ୟାହ୍ନ ଭୋଜନ ପରେ ବ୍ୟାଟିଂ ପାଇଁ ଆସିଥିବା ଅତିଥି ଦଳ ଦୁଇ ଅଧିବେଶନରେ ହିଁ ଦୁଇ ଥର ଆଉଟ୍ ହୋଇଯାଇଥିଲା। ଉଭୟ ପାଳିରେ ଈଶାନ୍ତ ଶର୍ମା ଏବଂ ଉମେଶ ଯାଦବଙ୍କ ଦ୍ରୁତ ବୋଲିଂ ଯୋଡ଼ି ପ୍ରାରମ୍ଭିକ ବିପର୍ଯ୍ୟୟ ଘଟାଇବା ପରେ ସ୍ପିନ୍ ଯୋଡ଼ି ଅଶ୍ୱିନ-ଜାଦେଜା ଅବିଶିଷ୍ଟ କାର୍ଯ୍ୟ ତୁଲାଇ ନେଇଥିଲେ। ଈଶାନ୍ତ-ଉମେଶ ମିଳିତ ଭାବେ ୮ ଓ୍ଵିକେଟ୍ ଏବଂ ଅଶ୍ୱିନ୍-ଜାଦେଜା ୧୧ ଓ୍ଵିକେଟ୍ ବାଣ୍ଟି ନେଇଥିଲେ। ଗୋଟିଏ ଓ୍ଵିକେଟ୍ ରନ୍ ଆଉଟ୍ ରୂପରେ ଯାଇଥିଲା। ପ୍ରଥମ ପାଳିରେ ୧୦୯ ରନ୍ କରିବା ପରେ ଆଫଗାନିସ୍ତାନ ଚା’ପାନ ବିରତି ପରେ ଖେଳିଥିବା ଦ୍ୱିତୀୟ ପାଳିରେ ୧୦୩ ରନ୍ କରି ସମସ୍ତ ଓ୍ଵିକେଟ୍ ହରାଇଥିଲା। ହସମାତୁଲ୍ଲା ସାହିଦି କରିଥିବା ୩୬* ରନ୍ ଥିଲା ଉଭୟ ପାଳିରେ ଅତିଥି ଦଳର ସର୍ବାଧିକ ବ୍ୟକ୍ତିଗତ ରନ୍। ଅଧିନାୟକ ଅସଗର୍ ଷ୍ଟାନିକଜାଇ (୧୧, ୨୫) ଉଭୟ ପାଳିରେ ଦୁଇ ଅଙ୍କ ଛୁଇଁଥିଲେ ମଧ୍ୟ ଦଳକୁ ବିପର୍ଯ୍ୟୟରୁ ଉଦ୍ଧାର କରିପାରିନଥିଲେ। ଯେଉଁ ସ୍ପିନ୍ ଯୋଡ଼ିଙ୍କ ଉପରେ ଭରସା ରଖି ଆଫ୍ଗାନିସ୍ତାନ ଦମ୍ଭୋକ୍ତି ପ୍ରକାଶ କରିଥିଲା ସେମାନେ ନିରାଶ କରିଥିଲେ। ରସିଦ୍ ଖାନ୍ (୨/୧୫୪) ଏବଂ ମୁଜିବ୍ ଉର୍ ରହମାନ୍ (୧/୭୫) ମିଳିତ ଭାବେ ୩ ଓ୍ଵିକେଟ୍ ଦଖଲ କରିଥିଲେ ୨୨୯ ରନ୍ ବିନିମୟରେ। ଯାହାକି ଦଳର ଉଭୟ ପାଳି ମୋଟ (୨୧୨)ରୁ ଅଧିକ ଥିଲା ଏବଂ ପରାଜୟ ବ୍ୟବଧାନ (ପାଳି ଓ ୨୬୨ ରନ୍)ଠାରୁ ବି ପ୍ରତିଫଳିତ କରିଥିଲା। କେବଳ ସେତିକି ନୁହେଁ, ଏକ ସଯୋଗବଶତଃ ଭାରତୀୟ ପ୍ରାରମ୍ଭିକ ଯୋଡ଼ି ମୁରଲୀ ବିଜୟ (୧୦୫) ଓ ଶିଖର ଧାଓ୍ଵନ୍ (୧୦୭)ଙ୍କ ମୋଟ ପ୍ରଥମ ପାଳି ସ୍କୋର୍ ମିଶି ଯେଉଁ ୨୧୨ ରନ୍ ହୋଇଥିଲା ପୂରା ଆଫ୍ଗାନିସ୍ତାନ ଦଳ ଉଭୟ ପାଳିରେ (୧୦୯ ଓ ୧୦୩) ମଧ୍ୟ ସେତିକି ହିଁ ରନ୍ କରିପାରିଲା। ଏଥି ସହ ପଦାର୍ପଣ ଟେଷ୍ଟ୍ରେ ଲଜ୍ଜାଜନକ ପରାଜୟ ସହିତ ଆଫାଗାନିସ୍ତାନର ଆଶା କ୍ଷଣିକରେ ଉଭେଇଗଲା।
ଚିନ୍ନାସ୍ୱାମୀରେ ସର୍ବନିମ୍ନ ସ୍କୋର୍
ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ଟେଷ୍ଟ ପଦାର୍ପଣ କରିଥିବା ଆଫ୍ଗାନିସ୍ତାନ ଏକ ଅଲୋଡ଼ା କୀର୍ତିମାନ ପାଇଲା। ଏହି ଷ୍ଟାଡିୟମ୍ରେ କୌଣସି ଦଳ ତୁଳନାରେ ଆଫ୍ଗାନିସ୍ତାନ ପ୍ରଥମ ପାଳିରେ ସବୁଠୁ କମ୍ ରନ୍ କଲା। ଏହି ଷ୍ଟାଡିୟମ୍ରେ ପୂର୍ବରୁ ସର୍ବନିମ୍ନ ସ୍କୋର୍ ୧୧୨ ଅଷ୍ଟ୍ରେଲିଆ ନାମରେ ଥିଲା। ଯାହାକୁ କି ଗତବର୍ଷ ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ତା’ର ଦ୍ୱିତୀୟ ପାଳିରେ କରିଥିଲା। ସେହି ମ୍ୟାଚ୍କୁ ଭାରତ ୭୫ ରନ୍ରେ ଜିତି ନେଇଥିଲା। ଭାରତ ପ୍ରଥମ ପାଳିରେ ୧୮୯ ଓ ଦ୍ୱିତୀୟ ପାଳିରେ ୨୭୪ ରନ୍ କରିଥିଲା ବେଳେ ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୨୭୬ ଓ ଦ୍ୱିତୀୟ ପାଳିରେ ୧୧୨ ରନ୍ କରିଥିଲା। ଅବଶ୍ୟ ସେହି ମ୍ୟାଚ୍ ଚତୁର୍ଥ ଦିନରେ ଶେଷ ହୋଇଥିଲା। ହେଲେ ଅଷ୍ଟ୍ରେଲିଆର ୧୧୨ ରନ୍ ତଳେ ଏବେ ଆଫ୍ଗାନିସ୍ତାନ ରହିଗଲା। ଶୁକ୍ରବାର ଭାରତ ବିପକ୍ଷରେ ଆଫ୍ଗାନିସ୍ତାନ ତା’ର ପ୍ରଥମ ପାଳିରେ ୧୦୯ ରନ୍ କରିପାରିଥିଲା। ଏପରିକି ଗୋଟିଏ ଦିନ ଦୁଇଟି ପାଳି ଖେଳିଥିବା ଆଫ୍ଗାନିସ୍ତାନ ଦ୍ୱିତୀୟ ପାଳିରେ ୧୦୩ ରନ୍ କରିପାରିଥିଲା। ତଥାପି ପଦାର୍ପଣ ଟେଷ୍ଟରେ ପ୍ରଥମ ପାଳିରେ ସବୁଠୁ କମ୍ ରନ୍ କରିବାରେ କୌଣସି ବି ଦଳ ତୁଳନାରେ ମୋଟ ଉପରେ ଆଫ୍ଗାନିସ୍ତାନ ଦ୍ୱିତୀୟ ସ୍ଥାନରେ ରହିଲା। ଏକ୍ଷେତ୍ରରେ ସର୍ବନିମ୍ନ ପ୍ରଥମ ପାଳି ସ୍କୋର୍ (୮୪) ଦକ୍ଷିଣ ଆଫ୍ରିକା ନାମରେ ରହିଛି। ଦକ୍ଷିଣ ଆଫ୍ରିକା ୧୮୮୯ରେ ଇଂଲଣ୍ଡ ବିପକ୍ଷ ତା’ର ପଦାର୍ପଣ ଟେଷ୍ଟର ପ୍ରଥମ ପାଳିରେ ଏହି ଅଲୋଡ଼ା କୀର୍ତିମାନ ପାଇଥିଲା। ପଦାର୍ପଣ ଟେଷ୍ଟର ପ୍ରଥମ ପାଳିରେ ସର୍ବାଧିକ ରନ୍ (୪୫୬) କରିବାର କୀର୍ତିମାନ ଜିମ୍ବାେଓ୍ଵ ନାମରେ ରହିଛି। ଯାହାକୁ ଜିମ୍ବାେଓ୍ଵ ୧୯୯୨ରେ ଭାରତ ବିପକ୍ଷରେ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/9-Team-India.jpg)