ଗୋଲ୍ଡକୋଷ୍ଟ୍: ଚଳିତ ଏକବିଂଶ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଗୁରୁବାର ଭାରତକୁ ୨ ସ୍ୱର୍ଣ୍ଣ ସହ ମୋଟ ୭ ପଦକ ମିଳିଛି। ଏଥି ସହିତ ଭାରତ ୩୧ ପଦକ ପାଇ ତାଲିକାରେ ତୃତୀୟ ସ୍ଥାନ ବଜାୟ ରଖିଛି। ଚଳିତ ସଂସ୍କରଣରେ ଗୋଟିଏ ଦିନରେ ମୋଟ ସଂଖ୍ୟା ଦୃଷ୍ଟିରୁ ମଧ୍ୟ ଭାରତ ସର୍ବାଧିକ ପଦକ ଜିତିଛି। ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି ପ୍ରଥମ ସପ୍ତାହରେ ଭାରତୀୟ ଖେଳାଳି ଭାରୋତ୍ତୋଳନ, ବଂଧୁକଚାଳନା, ଟେବୁଲ୍ ଟେନିସ୍ ଓ ବ୍ୟାଡ୍ମିଣ୍ଟନରୁ ପଦକ ଜିତିଥିବା ବେଳେ ଏବେ କୁସ୍ତି ଆଖଡ଼ା ଓ ଦୌଡ଼କୁଦରୁ ଗୋଟିଏ ଦିନରେ ୬ ପଦକ ଜିତି ସଫଳ ଖେଳ ସଂଖ୍ୟାକୁ ମଧ୍ୟ ୬ରେ ପହଞ୍ଚାଇଛନ୍ତି। କୁସ୍ତି ଆଖଡ଼ାରୁ ଭାରତ ପାଇଁ ପ୍ରଥମ ପଦକ ଆଣିଥିଲେ ରାହୁଲ ଆଓ୍ଵାରେ। ୫୭ କିଲୋଗ୍ରାମ ଫ୍ରିଷ୍ଟାଇଲ୍ ବର୍ଗରେ ରାହୁଲ ଆଓ୍ଵାରେ କାନାଡ଼ାର ଷ୍ଟିଭେନ୍ ତାକାହାସୀଙ୍କୁ ୧୫-୭ ପଏଣ୍ଟ୍ରେ ହରାଇ ସ୍ୱର୍ଣ୍ଣ ପଦକ ସହିତ ତ୍ରିରଙ୍ଗା ଉଡ଼ାଇଥିଲେ। ପ୍ରତିଦ୍ୱନ୍ଦ୍ୱୀର ଗୋଡ଼କୁ ଆକ୍ରମଣ କରି ଅଭିଯାନ ଆରମ୍ଭ କରିଥିଲେ। ଷ୍ଟିଭେନ୍ ମାତ୍ର କିଛି ସେକେଣ୍ଡ୍ ମଧ୍ୟରେ ୪ ପଏଣ୍ଟ୍ ନେଇ ଆଗୁଆ ହୋଇଥିଲେ। ରାହୁଲ କିନ୍ତୁ ପ୍ରତିଆକ୍ରମଣ କରି ଆଉ ପଛକୁ ଫେରିନଥିଲେ। ନିୟମିତ ବ୍ୟବଧାନରେ ପଏଣ୍ଟ୍ ଅର୍ଜନ କରି ୧୫-୭ର ବଡ଼ ବ୍ୟବଧାନରେ ବିଜୟୀ ହୋଇଥିଲେ। ୨୬ ବର୍ଷୀୟ ରାହୁଲ ଆଓ୍ଵାରେଙ୍କ ଏହାର ପ୍ରଥମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ। ଏହା ପୂର୍ବରୁ ୨୦୧୧ ମସିହାରେ ସେ ରାଜ୍ୟଗୋଷ୍ଠୀ ପ୍ରତିଯୋଗିତା ସ୍ୱର୍ଣ୍ଣ ଏବଂ ଏସୀୟ ପ୍ରତିଯୋଗିତା କାଂସ୍ୟ ପଦକ ଜିତିଥିଲେ।
ସୁଶୀଲଙ୍କ ହ୍ୟାଟ୍ରିକ୍ ସ୍ୱର୍ଣ୍ଣ
ଗୁରୁବାର ଦୁଇ ଥର ଅଲିମ୍ପିକ୍ ପଦକ ବିଜେତା ସୁଶୀଲ କୁମାର ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟାକୁ ୧୪ରେ ପହଞ୍ଚାଇଥିଲେ। ୭୪ କିଲୋଗ୍ରାମ ଓଜନ ବର୍ଗରେ ସୁଶୀଲ ଏକତରଫା ଭାବେ ୧୦-୦ରେ ଦକ୍ଷିଣ ଆଫ୍ରିକାର ଜୋହାନେସ୍ ବୋଥାଙ୍କୁ ପରାସ୍ତ କରିଥିଲେ। ଏଥି ସହ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସୁଶୀଲ ନିଜର ତୃତୀୟ ସ୍ୱର୍ଣ୍ଣ ପଦକ ସହ ବିରଳ ହ୍ୟାଟ୍ରିକ୍ ଅର୍ଜନ କରିଥିଲେ। ୨୦୧୦ ନୂଆଦିଲ୍ଲୀ ସଂସ୍କରଣରେ ସେ ୬୬ କିଲୋଗ୍ରାମରେ ଏବଂ ୨୦୧୪ ଗ୍ଲାସ୍ଗୋ ସଂସ୍କରଣରେ ୭୪ କିଲୋଗ୍ରାମରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ଗୁରୁବାର ଫାଇନାଲ୍ ମୁକାବିଲା ପୂର୍ବରୁ ଅଭିଜ୍ଞ ସୁଶୀଲ କାନାଡ଼ା, ଅଷ୍ଟ୍ରେଲୀୟ ଏବଂ ପାକିସ୍ତାନୀ ପ୍ରତିଦ୍ୱନ୍ଦ୍ୱୀଙ୍କୁ ମାତ୍ ଦେଇ ପଦକ ବିଜୟକୁ ନିଶ୍ଚିତ କରିଥିଲେ। ରାହୁଲ ଓ ସୁଶୀଲଙ୍କ ସ୍ୱର୍ଣ୍ଣ ପଦକରେ କେବଳ ଭାରତ ଗୁରୁବାର ସନ୍ତୁଷ୍ଟ ରହିନଥିଲା। କୁସ୍ତିର ମହିଳା ବିଭାଗରୁ ମଧ୍ୟ ୨ ପଦକ ମିଳିଥିଲା। ହରିଆନା ଯୁବତୀ ବବିତା କୁମାରୀ ୫୩ କିଲୋଗ୍ରାମ ବର୍ଗରେ ରୌପ୍ୟ ପଦକ ଏବଂ କିରଣ ୭୬ କିଲୋଗ୍ରାମରେ କାଂସ୍ୟ ପଦକ ହାସଲ କରିଥିଲେ। ଗୁରୁବାର ବବିତା ନାଇଜେରିଆ, ଶ୍ରୀଲଙ୍କା, ଅଷ୍ଟ୍ରେଲିଆ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇବା ପରେ ଫାଇନାଲ୍ରେ କାନାଡ଼ାର ଡାଏନା େଓ୍ଵକରଙ୍କଠାରୁ ୧-୩ରେ ହାରିଯାଇଥିଲେ। ବବିତା ୨୦୧୪ରେ ସ୍ୱର୍ଣ୍ଣ ଏବଂ ୨୦୧୦ରେ ରୌପ୍ୟ ପଦକ ଜିତିଥିିଲେ। ୮ ବର୍ଷ ତଳେ ନୂଆଦିଲ୍ଲୀରେ ୫୧ କିଲୋଗ୍ରାମରେ ରୌପ୍ୟରୁ ଅଭିଯାନ ଆରମ୍ଭ କରି ଏହି ପ୍ରତିଯୋଗିତାରେ ତୃତୀୟ ପଦକ ନେଇଛନ୍ତି। ଅନ୍ୟପକ୍ଷରେ କିରଣ ମରିସସ୍ର କେ ପରିଆଧାଓ୍ଵନଙ୍କଠାରୁ ଜିତିବା ପରେ ସେମିଫାଇନାଲ୍ରେ ନାଇଜେରିଆର ବ୍ଲେସିଂ ଓନେବୁଚିଙ୍କଠାରୁ ହାରିଯାଇଥିଲେ। କିନ୍ତୁ କାମେରୁନ୍ର ଡାନିଏଲ୍ ସିନୋ ଗାମ୍ଦେଙ୍କୁ ହରାଇ କାଂସ୍ୟ ପଦକ ହାସଲ କରିଥିଲେ।
ତେଜସ୍ୱିନୀଙ୍କୁ ରୌପ୍ୟ
ବଂଧୁକଚାଳନାରେ ଭାରତ ପାଇଁ ଗୁରୁବାର ଏକମାତ୍ର ପଦକ ଜିତିଥିଲେ ଅଭିଜ୍ଞ ତେଜସ୍ୱିନୀ ସାଓ୍ଵନ୍ତ। ୫୦ ମିଟର ମହିଳା ରାଇଫଲ୍ ପ୍ରୋନ୍ରେ ୩୭ ବର୍ଷୀୟା ତେଜସ୍ୱିନୀ (୬୧୮.୯ ପଏଣ୍ଟ) ରୌପ୍ୟ ପଦକ ହାସଲ କରିଥିଲେ। ସେ ସ୍ୱର୍ଣ୍ଣ ବିଜୟୀ ସିଙ୍ଗାପୁରର ମାର୍ଟିନା ଲିଣ୍ଡସେ ଭେଲୋସୋ (୬୨୧)ଙ୍କ ପଛରେ ରହିଥିଲେ। ମେଲ୍ବର୍ନ ରାଜ୍ୟଗୋଷ୍ଠୀ କ୍ରୀଡ଼ା (୨୦୦୬)ରୁ ଅଭିଯାନ ଆରମ୍ଭ କରିଥିବା ତେଜସ୍ୱିନୀଙ୍କ ପାଇଁ ଏହା ବ୍ୟକ୍ତିଗତ ଷଷ୍ଠ ପଦକ ଥିଲା। ୨୦୧୦ରେ ମଧ୍ୟ ସେ ବିଶ୍ୱ ପ୍ରତିଯୋଗିତା ସ୍ୱର୍ଣ୍ଣ ପଦକ ସହିତ ଅର୍ଜୁନ ପୁରସ୍କାର ବିଜେତାର ହକ୍ଦାର ହୋଇଥିଲେ। ଅନ୍ୟପକ୍ଷରେ ପୁରୁଷ ୨୫ ମିଟର୍ ର୍ୟାପିଡ୍ ଫାୟାର୍ ପିସ୍ତଲ୍ ବର୍ଗରେ ଭାରତ ଯୋଗ୍ୟତା ଅର୍ଜନ କରିଥିବାରୁ ବେଲ୍ମେଣ୍ଟ୍ ସୁଟିଂ ରେଞ୍ଜ୍ରୁ ମଧ୍ୟ ଭାରତକୁ ଅଧିକ ପଦକ ମିଳିବା ଆଶା କାଏମ ରହିଛି।
ବ୍ୟାଡ୍ମିଣ୍ଟନ୍ରୁ ଏକାଧିକ ଆଶା
ବ୍ୟାଡ୍ମିଣ୍ଟନର ଦଳଗତ ସ୍ୱର୍ଣ୍ଣ ପଦକ ଜିତି ସାରିଥିବା ଭାରତୀୟ ଦଳ ଏବେ ଅଧିକ ପଦକ ଜିତିବା ସମ୍ଭାବନା କାଏମ ରଖିଛି। ପିଭି ସିନ୍ଧୁ, ସାଇନା ନେହ୍ଵାଲ୍ ମହିଳା ଏକକ କ୍ୱାର୍ଟରଫାଇନାଲ୍ରେ ପ୍ରବେଶ କରିଛନ୍ତି। ପ୍ରି-କ୍ୱାର୍ଟରଫାଇନାଲ୍ ଅଧାରୁ ଜେସିକା ଓହରିଯିବାରୁ ସାଇନା ଅନାୟାସରେ ଆଗକୁ ବଢ଼ିଛନ୍ତି। ପିଭି ସିନ୍ଧୁ ଅଷ୍ଟ୍ରେଲିଆର ହୁଆନ୍ ୟୁ େଓ୍ଵଣ୍ଡି ଚେନ୍ଙ୍କୁ ପରାସ୍ତ କରିଥିଲେ। ପୁରୁଷରେ କିଦାମ୍ବି ଶ୍ରୀକାନ୍ତ ଶ୍ରୀଲଙ୍କାର ନିଲୁକା କରୁଣାରତ୍ନେଙ୍କୁ, ଏଚ୍ ଏସ୍ ପ୍ରଣୟ ଅଷ୍ଟ୍ରେଲିଆର ଆନ୍ଥୋନି ଜୋଏଙ୍କୁ ପରାସ୍ତ କରି ମଧ୍ୟ କ୍ୱାର୍ଟରଫାଇନାଲ୍ରେ ପ୍ରବେଶ କରିଛନ୍ତି। ମିଶ୍ରିତ ବର୍ଗରେ ଦୁଇଟି ଯୋଡ଼ି ମଧ୍ୟ କ୍ୱାର୍ଟରଫାଇନାଲ୍ରେ ସ୍ଥାନ ପକ୍କା କରିଛନ୍ତି। ମହିଳା ଯୁଗଳରେ ସିକ୍କ୍କି ରେଡ୍ଡୀ-ଅଶ୍ୱିନୀ ପୋନ୍ନାପ୍ପା ଏବଂ ପୁରୁଷ ଯୁଗଳରେ ସାତ୍ତ୍ୱିକ ରାଙ୍କିରେଡ୍ଡୀ-ଚିରାଗ ସେଟ୍ଟୀ କ୍ୱାର୍ଟରଫାଇନାଲ୍କୁ ଉଠିଥିବାରୁ ଭାରତ ମଧ୍ୟ ଏହି ଆକର୍ଷଣୀୟ ଖେଳରୁ ଅଧିକ ପଦକ ଜିତିବା ସମ୍ଭାବନା ଦେଖାଦେଇଛି।