ଦୁଇଟି ହକି ଇଣ୍ଡିଆ ପୁରସ୍କାର ଦୌଡ଼ରେ ଦୀପଗ୍ରେସ୍

ଭୁବନେଶ୍ବର: ହକି ଇଣ୍ଡିଆର ବହୁ ପ୍ରତୀକ୍ଷିତ ତୃତୀୟ ବାର୍ଷିକ ପୁରସ୍କାର ଲାଗି ମନୋନୟନ ତାଲିକା ମଙ୍ଗଳବାର ଘୋଷିତ ହୋଇଛି। ୨୦୧୯ କ୍ୟାଲେଣ୍ଡର ବର୍ଷର ପ୍ରଦର୍ଶନକୁ ବିଚାରକୁ ନିଆଯାଇ ପ୍ରସ୍ତୁତ ହୋଇଥିବା ଏହି ତାଲିକାର ଦୁଇଟି ବର୍ଗରେ ଓଡ଼ିଆ ଝିଅ ଦୀପଗ୍ରେସ୍ ଏକ୍କା ସାମିଲ ଅଛନ୍ତି। ୨୫ ଲକ୍ଷ ଟଙ୍କା ଆର୍ଥିକ ପୁରସ୍କାର ବିଶିଷ୍ଟ ବର୍ଷର ଶ୍ରେଷ୍ଠ ମହିଳା ଖେଳାଳି ଟ୍ରଫି ଲାଗି ତାଙ୍କୁ ଗୁରଜିତ କୌର, ରାଣୀ ଓ ସବିତାଙ୍କ ସହ ମୁକାବିଲା କରିବାକୁ ପଡ଼ିବ। ‌ଦୀପଗ୍ରେସ୍ ମଧ୍ୟ ବର୍ଷର ଶ୍ରେଷ୍ଠ ରକ୍ଷଣଭାଗ ଖେଳାଳିଙ୍କୁ ପ୍ରଦାନ କରାଯାଉଥିବା ପର୍ଗତ ସିଂହ ପୁରସ୍କାର ସମ୍ଭାବ୍ୟ ତାଲିକାରେ ରହିଛନ୍ତି। ୫ ଲକ୍ଷ ଟଙ୍କା ଓ ଟ୍ରଫି ମିଳୁଥିବା ଏହି ପୁରସ୍କାର ଦୌଡ଼ରେ ତାଙ୍କ ଛଡ଼ା ଭାରତୀୟ ପୁରୁଷ ହକି ଦଳର ଯୁବ ତାରକା ହରମନପ୍ରୀତ ସିଂହ, ସୁରେନ୍ଦ୍ର କୁମାର ଓ ବରୁଣ କୁମାର ରହିଛନ୍ତି। ଚଳିତ ବର୍ଷ ହକି ଇଣ୍ଡିଆ ମୋଟ ପୁରସ୍କାର ରାଶିକୁ ୧.୩୦ କୋଟି ଟଙ୍କାକୁ ବଢ଼ାଇଥିଲା ବେଳେ ପ୍ରତ୍ୟେକ ବର୍ଗର ବିଜେତାଙ୍କ ଲାଗି ସ୍ବତନ୍ତ୍ର ଟ୍ରଫିର ବ୍ୟବସ୍ଥା କରିଛି। ପୁରସ୍କାର ବିତରଣୀ ଉତ୍ସବ ଆସନ୍ତା ୮ ତାରିଖରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେବ।

ସାତଟି ମୁଖ୍ୟ ବର୍ଗ ସହ ଭାରତୀୟ ହକି ପ୍ରତି ଜୀବନ ବ୍ୟାପି ସେବା ଲାଗି ହକି ଇଣ୍ଡିଆ ‘ମେଜର ଧ୍ୟାନ ଚାନ୍ଦ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ’ ପୁରସ୍କାର ପ୍ରଦାନ କରିବ। ଏହି ପୁରସ୍କାର ବିଜେତା ୩୦ ଲକ୍ଷ ଟଙ୍କା ସହ ଆକର୍ଷଣୀୟ ଟ୍ରଫି ପାଇବେ। ହକି ଇଣ୍ଡିଆ ଆଜି ପ୍ରକାଶ କରିଥିବା ପ୍ରେସ୍ ବିଜ୍ଞପ୍ତିରେ କିନ୍ତୁ ସେହି ସୌଭାଗ୍ୟଶାଳୀ ବିଜେତାଙ୍କ ନାଁ ଘୋଷଣା କରିନାହିଁ। ଅନ୍ୟାନ୍ୟ ପୁରସ୍କାର ମଧ୍ୟରେ ଧୃବ ବାତ୍ରା ଶ୍ରେଷ୍ଠ ଖେଳାଳି ପୁରସ୍କାର ଅନ୍ତର୍ଗତ ଉଭୟ ମହିଳା ଓ ପୁରୁଷ ବିଜେତାଙ୍କୁ ୨୫ ଲକ୍ଷ ଏବଂ ଯୁଗରାଜ ସିଂହ ଶ୍ରେଷ୍ଠ ଉଦୀୟମାନ ପୁରୁଷ ଖେଳାଳି, ଅସୁନ୍ତା ଲାକ୍ରା ଶ୍ରେଷ୍ଠ ମହିଳା ଉଦୀୟମାନ ଖେଳାଳିଙ୍କୁ ୧୦ ଲକ୍ଷ, ବଲଜିତ ସିଂହ ଶ୍ରେଷ୍ଠ ଗୋଲ୍ ରକ୍ଷକ, ପର୍ଗତ ସିଂହ ‌ଶ୍ରେଷ୍ଠ ରକ୍ଷଣଭାଗ, ଅଜିତ ପାଲ ସିଂହ ଶ୍ରେଷ୍ଠ ମଧ୍ୟଭାଗ ଓ ଧନରାଜ ପି‌ଲ୍ଲେ ଶ୍ରେଷ୍ଠ ଅଗ୍ରଭାଗ ଖେଳାଳି ପୁରସ୍କାର ଲାଗି ୫ ଲକ୍ଷ ଟଙ୍କା ଲେଖାଏଁ ମିଳିବ। ହକି ଇଣ୍ଡିଆ ସଭାପତି ଅନନ୍ୟ ସଫଳତା ଓ ହକି ଇଣ୍ଡିଆ ଜମନ ଲାଲ ଶର୍ମା ମୂଲ୍ୟବାନ ଅବଦାନ ପୁରସ୍କାର ମଧ୍ୟ ଏହି ଅବସରରେ ପ୍ରଦାନ କରାଯିବ। ଏହି ଦୁଇ ବର୍ଗର ବିଜେତା ସେହି ୫ ଲକ୍ଷ ଟଙ୍କା ଲେଖାଏଁର ଆର୍ଥିକ ପୁରସ୍କାର ସହ ଟ୍ରଫି ପାଇବେ।

ବିଭିନ୍ନ ବର୍ଗର ମନୋନୟନ ତାଲିକାରେ ସ୍ଥାନ ପାଇଥିବା ଖେଳାଳିମାନେ ହେଲେ: ହକି ଇଣ୍ଡିଆ ଧୃବ ବାତ୍ରା ଶ୍ରେଷ୍ଠ ‌ପୁରୁଷ ଖେଳାଳି: ହରମନପ୍ରୀତ ସିଂହ, ମନଦୀପ ସିଂହ, ମନପ୍ରୀତ ସିଂହ ଓ ସୁରେନ୍ଦ୍ର କୁମାର। ହକି ଇଣ୍ଡିଆ ଧୃବ ବାତ୍ରା ଶ୍ରେଷ୍ଠ ମହିଳା ଖେଳାଳି: ଦୀପଗ୍ରେସ୍ ଏକ୍କା, ଗୁରଜିତ ସିଂହ, ରାଣୀ, ସବିତା। ହକି ଇଣ୍ଡିଆ ଯୁଗରାଜ ସିଂହ ‌ଶ୍ରେଷ୍ଠ ଉଦୀୟମାନ ଖେଳାଳି (୨୧ ବର୍ଷରୁ କମ୍): ଦିଲପ୍ରୀତ ସିଂହ, ଗୁରସାହିବଜିତ ସିଂହ, ମନଦୀପ ମୋର, ବିବେକ ସାଗର ପ୍ରସାଦ। ହକି ଇଣ୍ଡିଆ ଅସୁନ୍ତା ଲାକ୍ରା ‌ଶ୍ରେଷ୍ଠ ଉଦୀୟମାନ ମହିଳା ଖେଳାଳି (୨୧ ବର୍ଷରୁ କମ୍): ଲାଲରେମ୍‌ସିଆମି, ସାଲିମା ଟେଟେ, ସର୍ମିଳା ଦେବୀ। ହକି ଇଣ୍ଡିଆ ଧନରାଜ ପିଲ୍ଲେ ଶ୍ରେଷ୍ଠ ଅଗ୍ରଭାଗ ଖେଳାଳି: ଲଳିତ କୁମାର ଉପାଧ୍ୟାୟ, ମନଦୀପ ସିଂହ, ନଭନୀତ କୌର, ରାଣୀ। ହକି ଇଣ୍ଡିଆ ଅଜିତ ପାଲ ସିଂହ ଶ୍ରେଷ୍ଠ ମଧ୍ୟଭାଗ ଖେଳାଳି: ମନପ୍ରୀତ ସିଂହ, ମୋନିକା, ନେହା ‌ଗୋୟଲ, ବିବେକ ସାଗର ପ୍ରସାଦ। ହକି ଇଣ୍ଡିଆ ପର୍ଗତ ସିଂହ ଶ୍ରେଷ୍ଠ ରକ୍ଷଣଭାଗ ଖେଳାଳି: ଦୀପଗ୍ରେସ୍ ଏକ୍କା, ହରମନପ୍ରୀତ ସିଂହ, ସୁରେନ୍ଦ୍ର କୁମାର, ବରୁଣ କୁମାର।

ସମ୍ବନ୍ଧିତ ଖବର