ଦୌଡ଼କୁଦରୁ ୨ ପଦକ: ପ୍ରିୟଙ୍କା, ଅବିନାଶଙ୍କୁ ରୌପ୍ୟ

ବର୍ମିଂହାମ୍‌: ରାଜ୍ୟଗୋଷ୍ଠୀ କ୍ରୀଡ଼ା ଦୌଡକୁଦ ଇଭେଣ୍ଟରୁ ଭାରତକୁ ଶନିବାର ପ୍ରଥମ ଦୁଇ ପଦକ ମିଳିଛି। ମହିଳା ୧୦,୦୦୦ ମ‌ିଟର୍‌ ରେସ୍‌ ୱାକ୍‌ରେ ପ୍ର୍ରିୟଙ୍କା ଗୋସ୍ବାମୀ ଏବଂ ପୁରୁଷ ୩୦୦୦ ମିଟର୍ ଷ୍ଟିପଲ୍ ଚେଜ୍‌ରେ ଅବିନାଶ ସାବଲେ ରୌପ୍ୟ ପଦକ ଜିତି ଭାରତୀୟ କ୍ରୀଡ଼ାରେ ନୂଆ ଫର୍ଦ ଯୋଡ଼ିଛନ୍ତି। ପ୍ରଥମ ଭାରତୀୟ ଭାବେ ପ୍ରିୟଙ୍କା ରେସ୍‌ ୱାକ୍‌ରୁ ପଦକ ଜିତିବାର ଗୌରବ ଆଣିଛନ୍ତି। ବ୍ୟକ୍ତିଗତ ଶ୍ରେ‌ଷ୍ଠ ସମୟ ୪୩ ମିନିଟ୍‌ ୩୮.୮୩ ସେକେଣ୍ଡ୍‌ ସହିତ ପ୍ରିୟଙ୍କା ଦ୍ବିତୀୟ ସ୍ଥାନରେ ରହିଥିଲେ। ଅଷ୍ଟ୍ରେଲିଆର ଜେମିନା ମଣ୍ଟାଗ୍‌ (୪୨:୩୪.୩୦) ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ କେନିଆର ଏମିଲି ୱାମୁସୁଇ ଏନ୍‌ଗି (୪୩:୫୦.୮୬) କାଂସ୍ୟ ପଦକ ନେଇଥିଲେ। ଏହି ପ୍ରତିଯୋଗିତାରେ ଥିବା ଅନ୍ୟତମ ଭାରତୀୟ ଭାବନା ଜାଟ୍‌ ବ୍ୟକ୍ତିଗତ ଶ୍ରେ‌ଷ୍ଠ ସମୟ (୪୭:୧୪.୧୩) ସମୟ ପାଇଥିଲେ ମଧ୍ୟ ଅଷ୍ଟମ ସ୍ଥାନରେ ରହିଥିଲେ। ଗତବର୍ଷ ଟୋକିଓ ଅଲିମ୍ପିକ୍ସରେ ପ୍ରିୟଙ୍କା ସମାନ ଇଭେଣ୍ଟରେ ୧୭ତମ ସ୍ଥାନରେ ରହିଥିଲେ। ପ୍ରିୟଙ୍କାଙ୍କ ପୂର୍ବରୁ ଭାରତ ପାଇଁ ଏହି ଇଭେଣ୍ଟରୁ କେବଳ ଗୋଟିଏ ପଦକ ୧୨ ବର୍ଷ ତଳେ ମିଳିଥିଲା। ୨୦୧୦ ନୂଆଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୨୦ କିଲୋମିଟର୍‌ ଚାଲିରେ ପ୍ରଥମ ଭାରତୀୟ ଭାବେ ହର୍‌ମିନ୍ଦର ସିଂହ କାଂସ୍ୟ ପଦକ ଜିତିଥିଲେ। ପ୍ରିୟଙ୍କା କେବଳ ପ୍ରଥମ ଭାରତୀୟ ମହିଳା ଭାବେ ନୁହେଁ ନିଜ ଖେଳ ଜୀବନର ପ୍ରଥମ ଅନ୍ତର୍ଜାତୀୟ ପଦକ ମଧ୍ୟ ଅର୍ଜନ କରିଛନ୍ତି।

ଶନିବାର ଦୌଡ଼କୁଦରୁ ଅନ୍ୟ ରୌପ୍ୟ ପଦକଟି ମିଳିଥିଲା ପୁରୁଷ ୩୦୦୦ ମିଟର୍ ଷ୍ଟିପଲ୍ ‌ଚେଜ୍‌ରୁ। ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଏହି ଇଭେଣ୍ଟରୁ ଭାରତ ପ୍ରଥମ ଥର ପଦକ ଜିତିଥିଲା। ନିଜ ନାମରେ ଥିବା ଜାତୀୟ କୀର୍ତ୍ତିମାନ (୮ ମିନିଟ୍‌ ୧୨.୪୮ ସେକେଣ୍ଡ୍‌)କୁ ନବମ ଥର ପାଇଁ ଭାଙ୍ଗି ଅବିନାଶ ନୂଆ ସମୟ (୮:୧୧.୨୦) ସହିତ ରୌପ୍ୟ ପଦକ ଜିତିଥିଲେ। ଗତ ମାତରେ ଅବିନାଶ ବିଶ୍ବ ଦୌଡ଼କୁଦରେ ନିରାଶାଜନକ ଭାବେ ଏକାଦଶ ସ୍ଥାନରେ ରହିଥ‌ିଲେ ମଧ୍ୟ ଏଠାରେ ସେ ଚାପକୁ ଦୂର କରି ସଫଳତା ପାଇଛନ୍ତି। କେନିଆର ଆବ୍ରାହମ କିବିୱଟ୍‌ ମାତ୍ର .୦୫ ସେକେଣ୍ଡ ଆଗୁଆ ପହଞ୍ଚି ସ୍ବର୍ଣ୍ଣ ପଦକ ଜିତି ନେଇଥିଲେ। ୪ ବର୍ଷ ‌ତଳେ ଗୋଲ୍ଡକୋଷ୍ଟରେ ରୌପ୍ୟ ପଦକ ଜିତିବାର ଦୁଃଖକୁ ଦୂର କରିଥିଲେ ଆବ୍ରାହମ। ଅନ୍ୟତମ କେନିଆ ଖେଳାଳି ତଥା ବିଶ୍ବ କନିଷ୍ଠ ବିଜେତା ଆମୋସ୍‌ ସେରମ୍‌ ୮:୧୬.୮୩ ସମୟ ସହିତ କାଂସ୍ୟ ପଦକ ଜିତିଥିଲେ। କେନିଆର ଅଲିମ୍ପିକ୍ ବିଜେତା ତଥା ଦୁଇ ଥର ବିଶ୍ବ ସ୍ବର୍ଣ୍ଣ ବିଜେତା କନସେସଲସ୍‌ କିପ୍ରୁଟୋ ଷଷ୍ଠରେ ଅଭିଯାନ ଶେଷ କରିଥିଲେ।

ରିଲେ ଫାଇନାଲ୍‌ରେ ଦୁତି, ଶ୍ରାବଣୀ
ଦୁଇ ଓଡ଼ିଆ ତାରକା ଦୂତି ଚାନ୍ଦ ଏବଂ ଶ୍ରାବଣୀ ନନ୍ଦଙ୍କ ସହ ହିମା ଦାସ ଓ ଜ୍ୟୋତି ୟାରାଜୀଙ୍କୁ ନେଇ ଗଠିତ ୪ ଗୁଣା ୧୦୦ ମିଟର ମହିଳା ରିଲେ ଦଳ ଚଳିତ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଫାଇନାଲ୍‌ରେ ପ୍ରବେଶ କରିଛି। ଭାରତୀୟ ଦଳ ୪୪.୪୫ ସେକେଣ୍ଡ ସମୟ ସହ ହିଟ-୧ର ଦ୍ବିତୀୟ ସ୍ଥାନରେ ରହି ଫାଇନାଲ୍ ଟିକେଟ ହାସଲ କରିଥିଲା। ଏହି ହିଟ୍‌ରେ ଜାମାଇକା (୪୩.୬୬ ସେକେଣ୍ଡ) ପ୍ରଥମ ସ୍ଥାନ ଅଧିକାର କରିଥିଲା। ଅନ୍ୟପକ୍ଷରେ ସ୍କଟଲାଣ୍ଡ (୪୫.୩୯ ସେକେଣ୍ଡ) ତୃତୀୟ ସ୍ଥାନରେ ରହିଥିଲା। ଏହି ଇଭେଣ୍ଟର ଫାଇନାଲ୍ ରବିବାର ଅନୁଷ୍ଠିତ ହେବ। ଏଥିରେ ଭାରତ, ଜାମାଇକା, ସ୍କଟଲାଣ୍ଡ, ନାଇଜେରିଆ, ଇଂଲଣ୍ଡ, ଅଷ୍ଟ୍ରେଲିଆ, ତ୍ରିନିଦାଦ ଆଣ୍ଡ ଟବାଗୋ ଓ ଘାନା ଅଂଶଗ୍ରହଣ କରିବେ।

ସମ୍ବନ୍ଧିତ ଖବର