ବର୍ମିଂହାମରେ ୨ ପାକିସ୍ତାନ ମୁଷ୍ଟିଯୋଦ୍ଧା ନିଖୋଜ

ବର୍ମିଂହାମ୍: ରାଜ୍ୟଗୋଷ୍ଠୀ କ୍ରୀଡ଼ା ଶେଷ ହେବା ମାତ୍ରେ ଏଥିରେ ଅଂଶଗ୍ରହଣ କରିଥିବା ୨ ଜଣ ପାକିସ୍ତାନୀ ମୁଷ୍ଟିଯୋଦ୍ଧା କେଉଁଆଡେ ନିଖୋଜ ହୋଇଯାଇଛନ୍ତି। ପାକିସ୍ତାନ ମୁଷ୍ଟିଯୁଦ୍ଧ ସଂଘ (ପିବିଏଫ୍‌) ଏହା ସ୍ପଷ୍ଟ କରିଛି। ନିଖୋଜ ଦୁଇ ମୁଷ୍ଟିଯୋଦ୍ଧା ହେଲେ ସୁଲେମନ ବାଲୋଚ୍‌ ଓ ନଜିରୁଲ୍ଲା। ପାକିସ୍ତାନ ମୁଷ୍ଟିଯୁଦ୍ଧ ଦଳ ବର୍ମିଂହାମ ପରିତ୍ୟାଗ କରିବାର କିଛି ଘଣ୍ଟା ପୂର୍ବରୁ ଏହି ଦୁଇ ଖେଳାଳି କେଉଁ ଆଡେ ଉଭାନ ହୋଇଯାଇଥିଲେ। ସେମାନଙ୍କ ପାସପୋର୍ଟ ଏବଂ ଅନ୍ୟ କାଗଜପତ୍ର ଏବେ ମଧ୍ୟ ସଂଘ ନିକଟରେ ରହିଛି। ଦଳୀୟ ପରିଚାଳକମାନେ ଏ ସମ୍ପର୍କରେ ବ୍ରିଟେନ୍‌ରେ ଥିବା ପାକିସ୍ତାନ ଉଚ୍ଚାୟୁକ୍ତଙ୍କୁ ଅବଗତ କରିଛନ୍ତି। ଅନ୍ୟପକ୍ଷରେ ପାକିସ୍ତାନ ଅଲିମ୍ପିକ୍ ସଂଘ (ପିଓଏ) ଏହାର ତଦନ୍ତ ପାଇଁ ଏକ ୪ ଜଣିଆ କମିଟି ଗଠନ କରିଛି। ସୋମବାର ଶେଷ ହୋଇଥିବା ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ମୁଷ୍ଟିଯୁଦ୍ଧରୁ ପାକିସ୍ତାନ ପଦକ ଜିତିନଥିଲା। ପାକିସ୍ତାନ ୨ ସ୍ବର୍ଣ୍ଣ ସହ ମୋଟ ୮ ପଦକ ଜିତିଥିଲା। ଭାରୋତ୍ତୋଳନ ଓ ନୀରଜ ଚୋପ୍ରାଙ୍କ ଅନୁପସ୍ଥିତିରୁ ଫାଇଦା ଉଠାଇ ଜାଭଲିନ୍‌ରୁ ଏହି ଦୁଇ ସ୍ବର୍ଣ୍ଣ ପଦକ ଜିତିଥିଲା। ୨ ମାସ ତଳେ ଜଣେ ପାକିସ୍ତାନ ସନ୍ତରଣକାରୀ ‌ଫୈଜାଁ ଆକବର ମଧ୍ୟ ହଙ୍ଗେରିରେ ଅନୁଷ୍ଠିତ ଫିନା ବିଶ୍ବ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିବାକୁ ଯାଇ ନିଖୋଜ ହୋଇଯାଇଥିଲେ। ସେ ପ୍ରତିଯୋଗିତାରେ ଅଂଶଗ୍ରହଣ ମଧ୍ୟ କରିନଥିଲେ।

ସମ୍ବନ୍ଧିତ ଖବର