ପନ୍ତ୍‌ଙ୍କ ସହ ୨ ପଜିଟିଭ୍‌: ଚିନ୍ତାରେ ଭାରତ

ଋଦ୍ଧିମାନ, ଭରତ ଓ ଈଶ୍ବରନ୍‌ ଏକାନ୍ତବାସରେ, ଏବେ ରାହୁଲ ନା ଋଦ୍ଧିମାନ?

ଲଣ୍ଡନ୍‌: ଇଂଲଣ୍ଡ ବିପକ୍ଷ ଟେଷ୍ଟ୍ ଶୃଙ୍ଖଳା ଆରମ୍ଭ‌ ହେବାକୁ ୩ ସପ୍ତାହରୁ କମ୍‌ ସମୟ ରହିଥିବା ବେଳେ ଭାରତୀୟ ଦଳକୁ ଶକ୍ତ ଝଟ୍‌କା ଲାଗିଛି। ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳା ବିଜୟର ନାୟକ ଯୁବ ୱିକେଟ୍‌ରକ୍ଷକ ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ୍‌ କରୋନା ଭୂତାଣୁରେ ସଂକ୍ରମିତ ହୋଇପଡିଛନ୍ତି। ଋଷଭଙ୍କ ସହିତ ଜଣେ ସପୋର୍ଟ ଷ୍ଟାଫ୍‌ ତଥା ଥ୍ରୋଡାଉନ୍ ଏକ୍ସପର୍ଟ ଦୟାନନ୍ଦ ଗରଣି ମଧ୍ୟ ପଜିଟିଭ୍ ବାହାରିଛନ୍ତି। ଗରଣୀଙ୍କ ସଂସ୍ପର୍ଶରେ ଆସିଥିବାରୁ ବୋଲିଂ ପ୍ରଶିକ୍ଷକ ଭରତ ଅରୁଣ, ସଂରକ୍ଷିତ ୱିକେଟ୍‌ରକ୍ଷକ ଋଦ୍ଧିମାନ ଶାହା ଏବଂ ଷ୍ଟାଣ୍ଡ୍‌ବାଇ ଓପ୍‌ନର ଅଭିମୁନ୍ୟ ଈଶ୍ବରନ୍‌ଙ୍କୁ ମଧ୍ୟ ଏକାନ୍ତବାସରେ ରଖାଯାଇଛି। ପନ୍ତ୍‌ କିନ୍ତୁ ଇଂଲଣ୍ଡରେ ବ୍ୟାପିଥିବା ଡେଲଟା ଭାରିଆଣ୍ଟ୍‌ ଦ୍ବାରା ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି।‌ ତେବେ ସେ କ୍ରମେ ସୁସ୍ଥ ହେଉଥିବା କୁହାଯାଉଛି। ହେଲେ ତାଙ୍କ ପଜିଟିଭ୍‌ ବିରାଟ କୋହଲିଙ୍କ ଦଳ ପାଇଁ ଏହା ଶକ୍ତ ଝଟ୍‌କା ଭଳି ହୋଇଛି। ଆଇସିସି ବିଶ୍ବ ଟେଷ୍ଟ୍ ପ୍ରତିଯୋଗିତା ଫାଇନାଲ୍ ହାରିଯିବା ପରେ ଭାରତୀୟ ଦଳ ୨୦ ଦିନିଆ ଛୁଟିରେ ରହିଥିଲା। ଚଳିତ ସପ୍ତାହରୁ ଭାରତୀୟ ଦଳ ଅଭ୍ୟାସକୁ ଫେରିବା ସହ ଡରହାମରେ ଏକ ୱାର୍ମଅପ୍‌ ମ୍ୟାଚ୍‌ ଏବଂ ଆଉ କିଛି ଅନ୍ତଃଦଳ ମ୍ୟାଚ୍‌ ଖେଳି ନିଜକୁ ପ୍ରସ୍ତୁତ କରିବାକୁ ଯାଉଥିବା ବେଳେ ଏଭଳି ଖବର ଆସିଛି।

ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ ହେଉଛି ପନ୍ତ୍‌ଙ୍କ ଶରୀରରେ କୌଣସି ଲକ୍ଷଣ ଦେଖାଦେଇନାହିଁ। ବିଗତ ୮ ଦିନ ଧରି ସେ ଏକାନ୍ତବାସରେ ରହିଛନ୍ତି। ଗୁରୁବାରଠାରୁ ଭାରତୀୟ ଦଳ ଡରାହାମ୍ ଗସ୍ତ କରିଥିବା ବେଳେ ପନ୍ତଙ୍କୁ ନିଆଯାଇନାହିଁ। ପନ୍ତଙ୍କ ଭଳି ଆହତ ଶୁବମନ ଗିଲ୍‌ଙ୍କୁ ମଧ୍ୟ ଡରହାମ୍ ଯାତ୍ରା କରିବାକୁ ପଡ଼ିନାହିଁ। ଚଳିତ ବର୍ଷ ପ୍ରାରମ୍ଭରେ ଗିଲ୍‌ ଆହତ ହେବା ପରେ ଦଳର ଜୈବ ବଳୟ ବାହାରେ ରହିଥିଲେ ଏବଂ ଗୁରୁବାର ଲଣ୍ଡନ ଗସ୍ତ କରିଛନ୍ତି। ବ୍ରିଟେନ୍‌ରେ କୋଭିଡ୍‌ ସଂକ୍ରମଣ ବଢ଼ିବା କାରଣରୁ ବିସିସିଆଇ ସମ୍ପାଦକ ଜୟ ଶାହା ମଧ୍ୟ ଏକ ଚେତାବନୀ ଭରା ଇମେଲ୍ କରିଥିଲେ। ତେବେ ପନ୍ତ ପଜିଟିଭ୍ ଆସିଥିଲେ ମଧ୍ୟ ଦଳ ପାଇଁ ବିଶେଷ ଚିନ୍ତାର କାରଣ ନାହିଁ ବୋଲି କୁହାଯାଉଛି। କାରଣ ସେ ହୋଟେଲ୍‌ରେ ଦଳ ସହ ରହୁନଥିଲେ। ତେଣୁ ତାଙ୍କ ଦ୍ବାରା ଅନ୍ୟ କୌଣସି‌ ‌ଭାରତୀୟ ଖେଳାଳି ସଂକ୍ରମିତ ହୋଇନଥିବା ଆଶା କରାଯାଉଛି।

କୋଭିଡ୍‌ ନିୟମାବଳିକୁ କଡ଼ାକଡ଼ି କରିବାକୁ ମଧ୍ୟ ଜୟ ସାହା ତାଙ୍କ ମେଲ୍‌ରେ ଦର୍ଶାଇଛନ୍ତି। ସାହା ତାଙ୍କ ପୂର୍ବ ମେଲ୍‌ରେ ସ୍ପଷ୍ଟ ଭାବେ ଜନଗହଳିପୂର୍ଣ୍ଣ ସ୍ଥାନକୁ ନଯିବାକୁ କହିଥିଲେ। ଏପରିକି ୱିମ୍ବଲଡନ୍‌ ଓ ୟୁରୋ କପ୍‌ ଦେଖିବାକୁ ନଯିବାକୁ ଉଲ୍ଲେଖ କରିଥିଲେ। କିଛି ‌‌ଖେଳାଳି କିନ୍ତୁ ବିଗତ ୨୦ ଦିନର ଛୁଟି ଅବସରରେ ୱିମ୍ବଲଡନ୍‌ ଦେଖିବାକୁ ଯାଇଥିଲେ।

ଭାରତ-ଇଂଲଣ୍ଡ ୫ ମ୍ୟାଚ୍‌ ଟେଷ୍ଟ୍‌ ଶୃଙ୍ଖଳା ଅଗଷ୍ଟ ୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି ଅତି ଗମ୍ଭୀର ଶୃଙ୍ଖଳା ପୂର୍ବରୁ ଭାରତ ଜୁଲାଇ ୨୦ ତାରିଖରୁ ଡରହାମରେ କାଉଣ୍ଟି ଦଳ ବିପକ୍ଷରେ ଏକ ଅଭ୍ୟାସ ମ୍ୟାଚ୍‌ ଖେଳିବାର କାର୍ଯ୍ୟକ୍ରମ ରହିଛି। ଭାରତ-ଇଂଲଣ୍ଡ ଶୃଙ୍ଖଳାରୁ ମଧ୍ୟ ଆଇସିସି ବିଶ୍ବ ଟେଷ୍ଟ୍ ପ୍ରତିଯୋଗିତାର ଦ୍ବିତୀୟ ଚକ୍ରର ଶୁଭାରମ୍ଭ ହେବ। ସୂଚନାଯୋଗ୍ୟ, ନିକଟରେ ଇଂଲଣ୍ଡ ଦିନିକିଆ ଦଳ ମଧ୍ୟ ଅନୁରୂପ ଭାବେ‌ କୋଭିଡ୍‌ ସଂକ୍ରମଣର ଶିକାର ହୋଇ ଏକାଧିକ‌ ଖେଳାଳି ସେବାରୁ ବଞ୍ଚିତ ହେବାରୁ ଶ୍ରୀଲଙ୍କା ବିପକ୍ଷରେ ଦ୍ବିତୀୟ ଶ୍ରେଣୀୟ ଦଳକୁ ନେଇ‌ ଖେଳିଥିଲା।

ଏବେ ରାହୁଲ ନା ଋଦ୍ଧିମାନ?
ଭାରତୀୟ ଟେଷ୍ଟ୍ ଦଳର ପ୍ରଥମ ପସନ୍ଦର ୱିକେଟ୍‌ରକ୍ଷକ ଭାବେ ଉଭା ‌ହୋଇଥିବା ଋଷଭ ପନ୍ତ୍ କୋଭିଡ୍‌ ସଂକ୍ରମିତ ହେବା ପରେ ଏବେ ଦଳର ଗୁରୁ ଦାୟିତ୍ବ କିଏ ସମ୍ଭାଳିବେ ପ୍ରଶ୍ନ ଉଠିଛି। ପନ୍ତ୍‌ଙ୍କ ବିକଳ୍ପ ଭାବେ ଋଦ୍ଧିମାନ ସାହା ଦଳ ସହ ଇଂଲଣ୍ଡ ଗସ୍ତରେ ରହିଛନ୍ତି। ସେହିଭଳି କେଏଲ୍ ରାହୁଲ ମଧ୍ୟ ୱିକେଟରକ୍ଷକ ଭାବେ ଜଣାଶୁଣା। ପନ୍ତ୍‌ ଅଗଷ୍ଟ ୪ ତାରିଖରୁ ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟ୍‌ରେ ଖେଳିବା ଆଶଙ୍କା ଥିବାରୁ ଏବେ ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣେ ତାଙ୍କ ଭୂମିକା ତୁଲାଇବେ ବୋଲି ବିଶ୍ବାସ କରାଯାଉଛି।

ତେବେ ଋଦ୍ଧିମାନ ମଧ୍ୟ ସଂକ୍ରମଣର ସନ୍ଦେହ ତାଲିକାରେ ଥିବାରୁ ରାହୁଲଙ୍କୁ ଏହି ଦାୟିତ୍ବ ମିଳିପାରେ ବୋଲି ଏବେଠାରୁ ଆଲୋଚନା ହେଉଛି। ରାହୁଲ ଦିନିକିଆରେ ୱିକେଟରକ୍ଷଣ କରି ଆସିଛନ୍ତି, ସାହା କିନ୍ତୁ ଟେଷ୍ଟ୍‌ ସ୍ପେଶାଲିଷ୍ଟ୍ ୱିକେଟ୍‌ରକ୍ଷକ ଭାବେ ପନ୍ତ୍‌ଙ୍କ ଆବିର୍ଭାବ ପୂର୍ବରୁ ଭାରତ ପାଇଁ ନିୟମିତ ଖେଳି ଆସିଛନ୍ତି। ଶେଷ ଥର ପାଇଁ ୨୦୨୦ରେ ସାହା ଏବଂ ୨୦୧୯ରେ ରାହୁଲ ଟେଷ୍ଟ୍ ଦଳରେ‌ ଖେଳିଥିଲେ। ଋଦ୍ଧିମାନ ସାହ‌ା ଚଳିତ ବର୍ଷର ଅସମାପ୍ତ ଆଇପିଏଲ୍‌ ବେଳେ ମଧ୍ୟ କୋଭିଡ୍‌ ସଂକ୍ରମିତ ହୋଇଥିଲେ।

ସମ୍ବନ୍ଧିତ ଖବର