ପରାଜୟର ଦୁଇଟି କାରଣ

ଜୋହାନେସବର୍ଗ: ଜୋହାନେସବର୍ଗର ଓ୍ଵାଣ୍ଡରର୍ସ ଷ୍ଟାଡିୟମରେ ଭାରତୀୟ କ୍ରିକେଟ୍‌ ଦଳର ଦିନିକିଆ ବିଜୟ ରଥ ଅଚାନକ ଶନିବାର ଅଟକି ଯାଇଥିଲା। ସଫଳ ପ୍ରତ୍ୟାବର୍ତନ ସହ ଦକ୍ଷିଣ ଆଫ୍ରିକା ଏହି ମ୍ୟାଚ୍‌କୁ ୫ ଓ୍ଵିକେଟ୍‌ରେ ଜିତି ୬ ଟିକିଆ ଶୃଙ୍ଖଳାରେ ପ୍ରଥମ ବିଜୟ ହାସଲ କଲା। ଏକଦା ଭଲ ସ୍ଥିତିରେ ଥିଲେ ମଧ୍ୟ ଶେଷରେ ଭାରତ ହାତରୁ ମ୍ୟାଚ୍‌ ଖସି ଯାଇଥିଲା। ଭାରତ ପରାଜୟ ଅପ୍ରତ୍ୟାଶିତ ଥିଲା ବେଳେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଶିଖର ଧାଓ୍ଵନ ଏହାର ଦୁଇଟି କାରଣ ଉପରେ ଜୋର ଦେଇଛନ୍ତି। ବାରମ୍ବାର ବର୍ଷା ବ୍ୟାଘାତ ସହ ଡେଭିଡ୍‌ ମିଲରଙ୍କୁ ଦୁଇଟି ଜୀବନ ଦାନ ଦେବା ଭାରତ ପରାଜୟର ଦୁଇଟି ମୁଖ୍ୟ କାରଣ ଥିଲା ବୋଲି ସେ କହିଛନ୍ତି। ମିଲର ୬ ରନ୍‌ରେ ଥିଲା ବେଳେ ଶ୍ରେୟସ୍‌ ଆୟର ତାଙ୍କର ଏକ ସହଜ କ୍ୟାଚ୍‌ ଛାଡ଼ି ଦେଇଥିଲେ। ସେହିଭଳି ମିଲର ୭ ରନ୍‌ରେ ଥିଲା ବେଳେ ୟୁଜବେନ୍ଦ୍ର ଚହଲଙ୍କ ବଲ୍‌ରେ ବୋଲ୍ଡ ହୋଇଥିଲେ ମଧ୍ୟ ନୋ’ ବଲ୍‌ ଥିବାରୁ ବର୍ତି ଯାଇଥିଲେ। ନବାଗତ ହେନରିକ କ୍ଲାସେନଙ୍କ ସହ ମିଶି ସେ ଭାରତ ହାତରୁ ମ୍ୟାଚ୍‌ ଛଡ଼ାଇ ନେଇଥିଲେ। ଧାଓ୍ଵନ କହିଥିଲେ ଯେ ଆମ ପାଳି ବେଳେ ଖେଳ ୫୩ ମିନିଟ୍‌ ବନ୍ଦ ରହିଥିଲା। ୨୦୦/୨ ଥିଲେ ମଧ୍ୟ ବର୍ଷା ବ୍ୟାଘାତ ପାଇଁ ଏକାଗ୍ରତା ହରାଇ ଆମେ ୨୮୯/୭ରେ ଅଟକି ଯାଇଥିଲୁ। ପୁଣି ଥରେ ୧୧୩ ମିନିଟ୍‌ ପାଇଁ ଖେଳ ବନ୍ଦ ହୋଇଥିଲା। ଫଳରେ ଦକ୍ଷିଣ ଆଫ୍ରିକା ସମ୍ମୁଖରେ ୨୮ ଓଭରରୁ ୨୦୨ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ସେଥିପାଇଁ ଆମ ହାତରୁ ମ୍ୟାଚ୍‌ ଖସିଗଲା। ଶନିବାର ଦଳର ଦୁଇ ଯୁବ ସ୍ପିନର ୟୁଜବେନ୍ଦ୍ର ଚହଲ ଏବଂ କୁଲଦୀପ ଯାଦବ ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ହେଲେ ଧାଓ୍ଵନ ଉଭୟଙ୍କୁ ଦୃଢ଼ ସମର୍ଥନ କରିଥିଲେ। ଚହଲ ଏବଂ କୁଲଦୀପ ଲଗାତାର ଭଲ କରି ଆସୁଛନ୍ତି। ଶନିବାର ସେମାନଙ୍କର ଦିନ ନଥିଲା। ଆମ ସ୍ପିନରମାନେ କ୍ୱେଚିତ ନୋ’ ବଲ୍‌ ପକାନ୍ତି। ଗତକାଲି ଦୁର୍ଭାଗ୍ୟଜନକ ଭାବେ କେତୋଟି ନୋ’ ବଲ୍‌ ହିଁ ଆମ ପାଇଁ କାଳ ହୋଇଥିଲା ବୋଲି ଜୋହାନେସବର୍ଗରେ ନିଜ ତ୍ରୟୋଦଶ ଶତକ ଅର୍ଜନ କରିଥିବା ଧାଓ୍ଵନ କହିଥିଲେ।

ସଂକ୍ଷିପ୍ତ ସ୍କୋର: ଭାରତ ୫୦ ଓଭରରେ ୨୮୯/୭ (ଶିଖର ଧାଓ୍ଵନ ୧୦୯, ବିରାଟ କୋହଲି ୭୫, ମହେନ୍ଦ୍ର ସିଂହ ଧୋନି ୪୨*, ଲୁଙ୍ଗି ଏନଗିଡ଼ି ୨/୫୨, କିଗାସୋ ୨/୫୮)। ଦକ୍ଷିଣ ଆଫ୍ରିକା ୨୫.୩ ଓଭରରେ ୨୦୭/୫ (ଡି/ଏଲ୍‌ ଲକ୍ଷ୍ୟ ୨୮ ଓଭରରେ ୨୦୨,ହେନରିକ୍‌ କ୍ଲାସେନ ୪୩*, ଡେଭିଡ୍‌ ମିଲର ୩୯, ହାସିମ ଆମଲା ୩୩, ଆନ୍ଦିଲ ଫେଲୁଖୋଓ୍ଵା ୨୩*, କୁଲଦୀପ ଯାଦବ ୨/୫୧, ଯସପ୍ରୀତ ବୁମରା ୧/୨୧, ହାର୍ଦିକ ପାଣ୍ଡ୍ୟା ୧/୩୭)।

କ୍ଲାସେନ୍‌ ଗୋଲାପୀ ଦିନିକିଆର ନୂଆ ନାୟକ
ଜୋହାନେସବର୍ଗ: ଜୋହାନେସବର୍ଗ ମୁକାବିଲା ଜିତିବା ସହ ଗୋଲାପୀ ଦିନିକିଆରେ ନିଜ ଅପରାଜେୟ ଧାରାକୁ ଦକ୍ଷିଣ ଆଫ୍ରିକା ଅତୁଟ ରଖିଛି। ସ୍ତନ କର୍କଟ ଭଳି ମାରାତ୍ମକ ରୋଗର ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ୨୦୧୩ରୁ ମଝିରେ ମଝିରେ ଖେଳି ଆସୁଥିବା ଗୋଲାପୀ ଦିନିକିଆରେ ଏ ପର୍ଯ୍ୟନ୍ତ ଏହି ଦଳକୁ କେହି ହରାଇ ପାରି ନାହାନ୍ତି। ୬ ଗୋଲାପୀ ଦିନିକିଆରୁ ଦକ୍ଷିଣ ଆଫ୍ରିକା ୬ଟି ଯାକ ଜିତି ନେଇଛି। ପୂର୍ବରୁ ଏବି ଡିଭିଲିୟର୍ସ, କ୍ରିସ୍‌ ମୋରିସଙ୍କ ଭଳି ଖେଳାଳି ଗୋଲାପୀ ଦିନିକିଆର ନାୟକ ମାନ୍ୟତା ଲାଭ କରିଥିଲେ। ଏବର୍ଷ ଏହି ମୁକୁଟ ନବାଗତ ଓ୍ଵିକେଟ୍‌ ରକ୍ଷକ ହେନରିକ କ୍ଲାସେନଙ୍କ ଖାତାକୁ ଯାଇଛି। କ୍ୱିଣ୍ଟନ ଡି’ କକ୍‌ ଆହତ ହେବା ପରେ ଦକ୍ଷିଣ ଆଫ୍ରିକା ଦଳରେ ଖେଳିବାର ସୁଯୋଗ ପାଇଥିବା କ୍ଲାସେନ୍‌ ଶନିବାର ମାତ୍ର ୨୭ ବଲ୍‌ରୁ ୫ ଚୌକା ଏବଂ ଗୋଟିଏ ବିଶାଳ ଛକା ସହ ୪୩ ରନ୍‌ର ଅପରାଜିତ ପାଳି ଖେଳି ଭାରତ ହାତରୁ ମ୍ୟାଚ୍‌ ଛଡ଼ାଇ ନେଇଥିଲେ। ଏହା ତାଙ୍କ ଖେଳ ଜୀବନର ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ ଥିଲା।

ମନ୍ଥର ବୋଲିଂ ପାଇଁ ଦକ୍ଷିଣ ଆଫ୍ରିକା ଦଣ୍ଡିତ
ଶନିବାର ଭାରତ ବିପକ୍ଷ ବର୍ଷା ବାଧାପ୍ରାପ୍ତ ଚତୁର୍ଥ ଦିନିକିଆ ମ୍ୟାଚ୍‌କୁ ଜିତି ନେଇଥିବା ଘରୋଇ ଦକ୍ଷିଣ ଆଫ୍ରିକା ଦଳ ମନ୍ଥର ବୋଲିଂ ପାଇଁ ଦଣ୍ଡିତ ହୋଇଛି। ଏଡେନ୍‌ ମର୍କରାମଙ୍କ ନେତୃତ୍ୱାଧୀନ ଦକ୍ଷିଣ ଆଫ୍ରିକା ଦଳ ଧାର୍ଯ୍ୟ ସମୟ ମଧ୍ୟରେ ଗୋଟିଏ ଓଭର କମ୍‌ ବୋଲିଂ କରିଥିବା ବିଚାରକୁ ନିଆଯାଇଥିଲା। ଫଳରେ ମ୍ୟାଚ୍‌ ରେଫରି ଆଣ୍ଡି ପାଇକ୍ରଫ୍ଟ ଦଳ (ସମସ୍ତ ଖେଳାଳି)କୁ ୧୦ ପ୍ରତିଶତ ଜରିମାନା ଦଣ୍ଡ ଦେଇଥିଲା ବେଳେ ପ୍ରଥମ ଥର ଲାଗି ଅଧିନାୟକ ମର୍କରାମ ନିଜ ମ୍ୟାଚ୍‌ ପାଉଣାର ୨୦ ପ୍ରତିଶତ ଜରିମାନା ଦଣ୍ଡ ପାଇଛନ୍ତି। ମନ୍ଥର ବୋଲିଂ ନେଇ ଦୁଇ ପଡ଼ିଆ ଅମ୍ପାୟାର ଅଲିମ୍‌ ଦାର୍‌ ଓ ବୋଙ୍ଗାନି ଜେଲେଙ୍କ ସହିତ ତୃତୀୟ ଓ ଚତୁର୍ଥ ଅମ୍ପାୟାର ଇଆନ୍‌ ଗୁଲ୍‌ଡ ଓ ସନ୍‌ ଜର୍ଜ ଦକ୍ଷିଣ ଆଫ୍ରିକା ଉପରେ ଦୋଷ ଲଦିଥିଲେ। ଏହାର ବିଚାର କରି ମ୍ୟାଚ୍‌ ରେଫରି ଜରିମାନା ଦଣ୍ଡ ଶୁଣାଇଥିଲେ। ମ୍ୟାଚ୍‌ ଶେଷରେ ଅବଶ୍ୟ ମର୍କରାମ ଦୋଷ ସ୍ୱୀକାର କରିନେବା ସହିତ ଦଣ୍ଡକୁ ଗ୍ରହଣ କରିନେଇଥିଲେ। ଫଳରେ ବିଦ୍ଧିବଦ୍ଧ ଶୁଣାଣିର ଆବଶ୍ୟକ ପଡ଼ିନଥିଲା। ଯଦି ୧୨ ମାସ ମଧ୍ୟରେ ମର୍କରାମ ପୁଣି ଥରେ ଏଭଳି ଜରିମାନାର ସମ୍ମୁଖୀନ ହୁଅନ୍ତି, ତେବେ ସେ ନିଲମ୍ବିତ ହେବେ ବୋଲି ଆଇସିସି ନିୟମକୁ ଉଦ୍ଧାର କରି ମ୍ୟାଚ୍‌ ରେଫରି ଚେତାଇ ଦେଇଛନ୍ତି।

ଆଝାରଙ୍କୁ ଟପିଲେ କୋହଲି

ନୂଆଦିଲ୍ଲୀ ଅଧିନାୟକ ବିରାଟ କୋହଲି ଦିନିକିଆ ଆନ୍ତର୍ଜାତିକରେ ସର୍ବାଧିକ ରନ୍‌ ସଂଗ୍ରହ କରିବାରେ ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ୍‌ଙ୍କୁ ଟପି ଯାଇଛନ୍ତି। ଶନିବାର ଜୋହାନ୍‌ସବର୍ଗର ଓ୍ଵାଣ୍ଡରର୍ସ ପଡ଼ିଆରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ମ୍ୟାଚ୍‌ରେ ୭୫ ରନ୍‌ର ପାଳି ଖେଳିଥିବା କୋହଲି ୨୦୬ ଦିନିକିଆରେ ମୋଟ ୯୪୨୩ ରନ୍‌ କରିସାରିଛନ୍ତି। ଫଳରେ ସେ ଆଝାରୁଦ୍ଦିନ୍‌ଙ୍କ ୯୩୭୮ ରନ୍‌କୁ ଟପି ଯାଇଛନ୍ତି। କୋହଲି ମଧ୍ୟ େଓ୍ଵଷ୍ଟଇଣ୍ଡିଜ୍‌ର ବିସ୍ଫୋରକ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ କ୍ରିସ୍‌ ଗେଲ୍‌ (୯୪୨୦ ରନ୍‌, ୨୭୫ ମ୍ୟାଚ୍‌)ଙ୍କୁ ପଛରେ ପକାଇ ଦେଇଛନ୍ତି। ଏଥି ସହିତ କୋହଲି ସର୍ବାଧିକ ଦିନିକିଆ ରନ୍‌ କରିବାରେ ପଞ୍ଚମ ଭାରତୀୟ ହୋଇଥିଲା ବେଳେ ବିଶ୍ୱର ଷୋଡ଼ଶ ଖେଳାଳି ହୋଇଛନ୍ତି। ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର ୧୮,୪୨୬ (୪୬୩ ମ୍ୟାଚ୍‌) ରନ୍‌ କରି ତାଲିକାର ଶୀର୍ଷରେ ରହିଥିଲା ବେଳେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ (୧୩, ୭୦୪) ଦ୍ୱିତୀୟରେ ଅଛନ୍ତି। ଭାରତୀୟ ଭାବେ ସଚିନ୍‌ ବ୍ୟତୀତ ସୌରଭ ଗାଙ୍ଗୁଲି (୧୧, ୩୬୩), ରାହୁଲ୍‌ ଦ୍ରାବିଡ୍‌ (୧୦, ୮୮୯) ଏବଂ ମହେନ୍ଦ୍ର ସିଂହ ଧୋନି (୯୯୫୪) କୋହଲିଙ୍କ ଉପରକୁ ରହିଥିଲା ବେଳେ ଦକ୍ଷିଣ ଆଫ୍ରିକାର ଏବି ଡିଭିଲିୟର୍ସ (୯୫୪୧ ରନ୍‌) ମଧ୍ୟ କୋହଲିଙ୍କ ଉପରେ ରହିଛନ୍ତି।

ସମ୍ବନ୍ଧିତ ଖବର