ବିଜୟଠୁ ୨ ୱିକେଟ୍ ଦୂରରେ ଭାରତ

ମେଲ୍‌ବର୍ନ: ଲଗାତାର ଚତୁର୍ଥ ଦିବସ ପାଇଁ ଜଣେ ମାତ୍ର ଖେଳାଳି ଅଷ୍ଟ୍ରେଲିଆ ପାଇଁ ଲଢ଼ିବାରୁ ତୃତୀୟ ଟେଷ୍ଟ୍‌ରେ ଭାରତୀୟ ଦଳର ବିଜୟ ବିଳମ୍ବିତ ହୋଇଛି। ପ୍ୟାଟ୍ କମିନ୍ସ ହେଉଛନ୍ତି ଏହି ଖେଳାଳି ଯିଏ ଉଭୟ ପାଳିରେ ମୋଟ ୯ ୱିକେଟ୍‌ ନେବା ପରେ ଦ୍ବିତୀୟ ପାଳିରେ ଲଢ଼ୁଆ ୬୧* ରନ୍ କରି ମ୍ୟାଚ୍‌କୁ ପଞ୍ଚମ ଦିନକୁ ଟାଣି ନେଇଛନ୍ତି। ଅଷ୍ଟ୍ରେଲିଆ ସମ୍ମୁଖରେ ୩୯୯ ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ରହିଥିଲା ବେଳେ ଚତୁର୍ଥ ଦିନ ଶେଷ ସୁଦ୍ଧା ଦଳ ୨୫୮ ରନ୍‌ରେ ୮ ୱିକେଟ୍ ହରାଇଛି। ପଞ୍ଚମ ଦିନରେ ବର୍ଷା ସମ୍ଭାବନାକୁ ଛାଡ଼ିଦେଲେ ଫଳାଫଳ ବାହାରିବା ନିଶ୍ଚିତ। ବିଜୟଠାରୁ ଭାରତ ମାତ୍ର ୨ ୱିକେଟ୍‌ ଏବଂ ଅଷ୍ଟ୍ରେଲିଆ ୧୪୧ ରନ୍ ଦୂରରେ ରହିଛି। ଶନିବାର ଭାରତ ୫୪/୫ରୁ‌ ଖେଳି ୧୦.୩ ଓଭରରେ ୩ ୱିକେଟ୍ ହରାଇ ଆଉ ୫୨ ରନ୍ ଯୋଡ଼ିଥିବା ବେଳେ ୧୦୬/୮ରେ ଦ୍ବିତୀୟ ପାଳିକୁ ଘୋଷଣା କରି‌ ଦେଇଥିଲା। ମୟଙ୍କ ଅଗ୍ରୱାଲ (୪୨, ୧୦୨ ବଲ୍‌, ୪ ଚୌକା, ୨ ଛକା) ଏବଂ ଋଷବ ପନ୍ତ୍‌ (୩୩, ୪୩ ବଲ୍‌, ୩ ଚୌକା, ୧ ଛକା)ଙ୍କ ପରେ ଭାରତକୁ ଆଉ ଭଲ ସହଯୋଗ ମିଳିନଥିଲା। ମୟଙ୍କ ଅଗ୍ରୱାଲ ଏବଂ ରବୀନ୍ଦ୍ର ଜାଦେଜାଙ୍କ ୱିକେଟ୍‌ ନେଇ ପ୍ୟାଟ୍ କମିନ୍ସ ମଧ୍ୟ ନିଜ ୬ ୱିକେଟ୍‌ ସଫଳତା ପାଇଥିଲେ।

ଏହା ପରେ ଏମ୍‌ସିଜିରେ ପୂର୍ବରୁ କେବେ ଏତେ ବଡ଼ ସ୍କୋର୍‌ର ପିଛା ହୋଇନଥିବା ଭଳି ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଘରୋଇ ଦଳକୁ କିନ୍ତୁ ଭାରତର ପେସ୍‌ ଓ ସ୍ପିନ୍‌ର ଅଥୟ କରି ଦେଇଥିଲେ। ଯଶ୍‌ପ୍ରୀତ୍ ବୁମ୍‌ରା ଫର୍ମରେ ନ ଥିବା ଫିଞ୍ଚ୍‌ଙ୍କୁ ପ୍ରଥମ ଶିକାର କରିବା ପରେ ରବୀନ୍ଦ୍ର ଜାଦେଜା ଅନ୍ୟତମ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍ ମାର୍କସ ହାରିସଙ୍କୁ ପ୍ୟାଭିଲିଅନ୍‌ ଫେରାଇଥିଲେ। ଏହା ପରେ ଅଷ୍ଟ୍ରେଲିଆର ମଧ୍ୟ ଏବଂ ନିମ୍ନକ୍ରମ ଲଢ଼ୁଆ ବ୍ୟାଟିଂ କରିଥିଲେ। କିନ୍ତୁ କମିନ୍ସ (୬୧*, ୧୦୩ ବଲ, ୫‌ ଚୌକା, ୧ ଛକା)ଙ୍କ ଛଡ଼ା ଅନ୍ୟ କେହି ଅର୍ଧଶତକ ହାସଲ କରିପାରିନଥିଲେ। ଭାରତ ମଧ୍ୟାହ୍ନ ଭୋଜନ ଭିତରେ ୨ ଏବଂ ପରେ ୩ ୱିକେଟ୍ ନେବାରୁ ଘରୋଇ ଦଳ ୧୩୮/୫ରେ ଚା’ପାନକୁ ଯାଇଥିଲା। ଉସ୍‌ମାନ ଖୱାଜା (୩୩, ୫୯ ବଲ), ସନ୍ ମାର୍ସ (୪୪, ୭୨ ବଲ), ଟ୍ରାଭିସ୍ ହେଡ୍‌ (୩୪, ୯୨ ବଲ), ଟିମ୍ ପେନ୍‌ (୨୬, ୬୭ ବଲ)ଙ୍କ ପରେ ଶେଷ ଅଧିବେଶନରେ କମିନ୍ସ ଅତୁଟ ନବମ ୱିକେଟ୍‌ରେ ନାଥନ୍ ଲାୟନ (୬*, ୩୮ ବଲ)ଙ୍କୁ ସାଥୀ କରି ୪୩* ରନ୍ ଯୋଡ଼ିବା ଭାରତର ଚିନ୍ତା ବଢ଼ାଇଛି। ଭାରତ ପକ୍ଷରୁ ରବୀନ୍ଦ୍ର ଜାଦେଜା ସର୍ବାଧିକ ୩ ୱିକେଟ୍ ନେଇଥିବା ବେଳେ ଯଶ୍‌ପ୍ରୀତ୍ ବୁମରା, ମହମ୍ମଦ ସାମି ୨-୨ ଏବଂ ଈଶାନ୍ତ ଶର୍ମା ୧ ୱିକେଟ୍ ନେଇଛନ୍ତି।

ବର୍ଷା ବିଗାଡ଼ିପାରେ
ମେଲବର୍ନ: ବକ୍ସିଂ ଡେ’ ଟେଷ୍ଟ୍‌ ଚତୁର୍ଥ ଦିନ ସୁଦ୍ଧା ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଯାଇଛି। ଭାରତକୁ ମାତ୍ର ଦୁଇଟି ଭଲ ବଲ୍ ବୋଲିଂର ଆବଶ୍ୟକତା ଥିବାବେଳେ ଅଷ୍ଟ୍ରେଲିଆ ରହିଛି ୧୪୧ ରନ୍ ଦୂରରେ। ଫଳାଫଳ ନିଶ୍ଚିତ ବାହାରିବାକୁ ଯାଉଥିଲେ ମଧ୍ୟ ରବିବାର ପଞ୍ଚମ ତଥା ଶେଷ ଦିବସରେ ବର୍ଷାର ସମ୍ଭାବନା ୮୦ ପ୍ରତିଶତ ବୋଲି ପୂର୍ବାନୁମାନ କରାଯାଇଛି। ଭାରତ ଏବଂ ଅଷ୍ଟ୍ରେଲିଆକୁ ହରାଇ ବର୍ଷା ବିଜେତା ହୋଇଗଲେ ବିରାଟ କୋହଲି ବାହିନୀଙ୍କୁ ନିଶ୍ଚିତ ବିରାଟ ଝଟ୍‌କା ଲାଗିବ। ଅଷ୍ଟ୍ରେଲିଆ ନିଶ୍ଚିତ ଖୁସୀ ହେବ ଏଭଳି ଫଳାଫଳ ମିଳିଲେ। ଭାରତକୁ ଐତିହାସିକ ଶୃଙ୍ଖଳା ବିଜୟ ସମ୍ଭାବନା ସୃଷ୍ଟି କରିବା ଏବଂ ବର୍ଡର ଗାଭାସ୍କର ଟ୍ରଫି ବଜାୟ ରଖିବା ଲାଗି ସିଡନି ଟେଷ୍ଟ୍‌ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ। ସିଡନି‌ ଟେଷ୍ଟ୍‌ ୨୦୧୯ ଜାନୁଆରି ୩ ତାରିଖରୁ ଆରମ୍ଭ ହେବ।

ଲାୟନ, ପେନ୍‌ଙ୍କ ମଜା ଉଡ଼ାଇଲେ ପନ୍ତ୍‌
ମେଲ୍‌ବର୍ନ: ପ୍ରତିଦ୍ବନ୍ଦ୍ବୀ ଦଳର ଖେଳାଳିଙ୍କ ମଜାକ ଉଡ଼ାଇ ଏକାଗ୍ରତା ଭାଙ୍ଗିବା ଏବେ ସ୍ଲେଜିଂର ନୂଆ ନାମ ପାଲଟିଯାଇଛି। ଅଷ୍ଟ୍ରେଲିଆ ଅଧିନାୟକ ଟିମ୍ ପେନ୍‌ ଏକାଧିକ ଉଦାହରଣ ଛାଡ଼ିବା ପରେ ଭାରତୀୟ ଦଳର ସର୍ବକନିଷ୍ଠ ଖେଳାଳି ତଥା ଯୁବ ୱିକେଟ୍‌ରକ୍ଷକ ଋଷବ ପନ୍ତ୍‌ ଏହାକୁ ଅନୁସରଣ କରିଛନ୍ତି। ଶନିବାର ଏହି ଦିଲ୍ଲୀ ତାରକା ଉଭୟ ଟିମ୍ ପେନ୍‌ ଏବଂ ନାଥନ୍ ଲାୟନଙ୍କ ମଜାକ ଉଡ଼ାଇଥିଲେ। ୱିକେଟ୍‌ରକ୍ଷଣ କରୁଥିବା ବେଳେ ସେ ଉଭୟଙ୍କ ଏକାଗ୍ରତା ଭଙ୍ଗ କରି ନିଜ ଦଳର ବୋଲରଙ୍କୁ ୱିକେଟ୍ ଦଖଲରେ ସହାୟତା କରିବାକୁ ଚେଷ୍ଟା କରିଥିଲେ। ୮୦ ତମ ଓଭରରେ ଲାୟନଙ୍କୁ ଜାଦେଜା‌ ବୋଲିଂ କରୁଥିବା ବ‌େଳେ ପନ୍ତ୍‌ କହିଥିଲେ ‘ଆସି ଯାଅ ଗ୍ୟାରି, କାଲି ସକାଳକୁ ଆଉ ଆସିବାକୁ ଚାହୁଁନାହୁଁ’। ଏହି ସ୍ପିନର୍ କିନ୍ତୁ ସ୍ମିତ ହାସ୍ୟ ଦେଇ କହିଥିଲେ ‘କ’ଣ କହୁଛ ସାଥୀ ବୁଝି ହେଉନାହିଁ’। ‘ମୁଁ ତୁମକୁ ବି ପସନ୍ଦ କରେ ଋଷବ’ ବୋଲି ମଧ୍ୟ ଲାୟନ କହିଥିଲେ। ଲାୟନ କିନ୍ତୁ କମିନ୍ସଙ୍କ ସହ ଅପରାଜିତ ରହି ଖେଳରେ ବିଜେତା ହୋଇଛନ୍ତି। ଚତୁର୍ଥ ଦିବସରେ ପୂର୍ବରୁ ମଧ୍ୟ ପନ୍ତ୍‌ ଅଷ୍ଟ୍ରେଲିଆ ଅଧିନାୟକ ଟିମ୍ ପେନଙ୍କୁ ଏଭଳି ପରୋକ୍ଷ ତାତ୍ସଲ୍ୟ କରିଥିଲେ। ଜାଦେଜାଙ୍କ ସହ କଥା ‌ହେବା ଛଳରେ କହିଥିଲେ ‘ତୁମେ କେବେ ପୂର୍ବରୁ ଅସ୍ଥାୟୀ ଅଧିନାୟକ କଥା ଶୁଣିଛ କି’। ପେନ୍ ବ୍ୟାଟିଂ କରିବାକୁ ଆସିବା ବେଳେ ପନ୍ତ୍‌ ମଧ୍ୟ ସମାନ ପ୍ରଶ୍ନ ମୟଙ୍କ ଅଗ୍ରୱାଲଙ୍କୁ ପଚାରିଥିଲେ। ସୂଚନାଯୋଗ୍ୟ, ୨୧ ବର୍ଷୀୟ ପନ୍ତ୍‌ଙ୍କୁ ପେନ୍‌ ପୂର୍ବଦିନ ଏଭଳି ତାତ୍ସଲ୍ୟ କରିଥିଲେ। ‘ମୁଁ ପତ୍ନୀଙ୍କ ସହ ସିନେମା ଯିବାବେଳେ ତୁମେ ମୋ ପିଲାର ଯତ୍ନ ନେବ’। ପନ୍ତ୍ କଥାରେ କଥାରେ ଏହାର ପ୍ରତିଶୋଧ ନେଇଥିଲେ। ଜାଦେଜାଙ୍କ ସହ କଥା ଛଳରେ ବି ସେ କହିଥିଲେ ‘ତାଙ୍କ (ପେନ୍‌) ୱିକେଟ୍ ପାଇଁ ତୁମକୁ ଅଧିକ କିଛି କରିବାର ନାହିଁ, କେବଳ ଗପିଲେ ଯଥେଷ୍ଟ ହେବ’।

ସମ୍ବନ୍ଧିତ ଖବର