ଟ୍ବେଣ୍ଟି-୨୦ ମୁହାଁମୁହିଁ : ପୂର୍ବରୁ ଦୁଇ ଦେଶ ମୋଟ ୧୩ ମ୍ୟାଚ୍‌ରେ ମୁହାଁମୁହିଁ ‌ ହୋଇଥିଲା ବେଳେ ସେଥିରୁ ଭାରତ ୮, ଦକ୍ଷିଣ ଆଫ୍ରିକା ୫ ଜିତିଛି ଘରେ ୨ରୁ ୨ ହାରିଛି ଭାରତ

ଭୁବନେଶ୍ବର : ଭାରତ ଏବଂ ଦକ୍ଷିଣ ଆଫ୍ରିକା ଦଳ ମଧ୍ୟରେ ଆସନ୍ତା ୧୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ‌ଟ୍ବେଣ୍ଟି-୨୦ ଶୃଙ୍ଖଳା। ପ୍ରଥମ ମ୍ୟାଚ୍‌ ଧର୍ମଶାଳାରେ ଖେଳାଯିବାକୁ ଥିଲା ବେଳେ ୧୮ରେ ଦ୍ବିତୀୟ ମ୍ୟାଚ୍‌ ଚଣ୍ଡୀଗଡ଼ ଏବଂ ୨୨ ତାରିଖରେ ତୃତୀୟ ତଥା ଶେଷ ଟ୍ବେଣ୍ଟି-୨୦ ବେଙ୍ଗାଲୁରୁରେ ଖେଳାଯିବ। ଏହି ଶୃଙ୍ଖଳା ପୂର୍ବରୁ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ପରସ୍ପର ମୋଟ ୧୩ ମ୍ୟାଚ୍‌ରେ ମୁହାଁମୁହିଁ ‌ ହୋଇଥିଲା ବେଳେ ସେଥିରୁ ଭାରତ ୮ ଏବଂ ଦକ୍ଷିଣ ଆଫ୍ରିକା ୫ ଜିତିଛି। ହେଲେ ଭାରତରେ ଭାରତ ବିପକ୍ଷରେ ଖେଳିଥିବା ଦୁଇଟିଯାକ ମ୍ୟାଚ୍‌କୁ ଦକ୍ଷିଣ ଆଫ୍ରିକା ଜିତିଛି। ଫଳରେ ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ବିଜୟ ଶୂନ୍ୟ ରହିଛି। ତେବେ ଭାରତରେ ଦକ୍ଷିଣ ଆଫ୍ରିକା ମୋଟ ୬ ମ୍ୟାଚ୍‌ ଖେଳି ୪ ବିଜୟ ପାଇଛି ଓ ୨ ହାରିଛି।

ଉଭୟ ଦଳର ଗତ ୫ ଶୃଙ୍ଖଳା ଫଳାଫଳ ଦେଖିଲେ ଦକ୍ଷିଣ ଆଫ୍ରିକା ଆଗରେ ରହିଛି। ଏହି ଦଳ ଶ୍ରୀଲଙ୍କାକୁ ୩-୦, ପାକିସ୍ତାନକୁ ୨-୧, ଅଷ୍ଟ୍ରେଲିଆକୁ ୧-୦ ଏବଂ ଜିମ୍ବାୱେକୁ ୨-୦ରେ ପରାସ୍ତ କରିଥିଲା ବେଳେ ଶ୍ରୀଲଙ୍କା ନିକଟରୁ ୦-୧ରେ ହାର୍‌ ମାନିଥିଲା।

ତୁଳନାତ୍ମକ ଭାବେ ଭାରତ ୩-୦ରେ ଦୁଇ ଥର ୱେଷ୍ଟଇଣ୍ଡିଜ୍‌କୁ ପରାସ୍ତ କରିଥିଲା ବେଳେ ଅଷ୍ଟ୍ରେଲିଆ ନିକଟରୁ ୦-୨, ନ୍ୟୁଜିଲାଣ୍ଡଠୁ ୧-୨ରେ ପରାସ୍ତ ହୋଇଛି। ଅଷ୍ଟ୍ରେଲିଆ ବିପକ୍ଷ ଅନ୍ୟ ଏକ ଶୃଙ୍ଖଳାକୁ ୧-୧ରେ ଅମୀମାଂସିତ ରଖିଛି।

ଅଧିନାୟକ ଭାବେ ବିରାଟ କୋହଲି ୨୫ ମ୍ୟାଚ୍‌ରୁ ୧୫ ବିଜୟ ପାଇଥିଲା ବେଳେ ୯ ମ୍ୟାଚ୍‌ ହାରିଛନ୍ତି। ଗୋଟିଏ ଫଳାଫଳ ଶୂନ୍ୟ ରହିଛି।

ବିଜୟ ପ୍ରତିଶତରେ ଭାରତ ଆଗୁଆ
ଅନ୍ୟପକ୍ଷରେ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ଭାରତ ମୋଟ ୧୧୮ ମ୍ୟାଚ୍‌ ଖେଳିଥିଲା ବେଳେ ୭୪ ବିଜୟ ହାସଲ କରିଛି। ୪୧ ମ୍ୟାଚ୍‌ ହାରିଥିଲା ବେଳେ ୩ ମ୍ୟାଚ୍‌ରୁ କୌଣସି ଫଳାଫଳ ମିଳିନାହିଁ। ତେଣୁ ଭାରତର ବିଜୟ ପ୍ରତିଶତ ୬୨.୭୧ ରହିଛି। ଏହି ୧୧୮ ମ୍ୟାଚ୍‌ ମଧ୍ୟରୁ ଘରୋଇ ମାଟିରେ ଭାରତ ୩୬ ଖେଳି ୨୧ ବିଜୟ ପାଇଥିଲା ବେଳେ ୧୫ ହାରିଛି। ବିଜୟ ପ୍ରତିଶତ ୫୮.୩୩ ରହିଛି। ବିଦେଶରେ ଭାରତ ଖେଳିଥିବା ୮୨ ମ୍ୟାଚ୍‌ରୁ ୫୩ ଜିତିଥିଲା ବେଳେ ୨୬ ହାରିଛି। ୩ ମ୍ୟାଚ୍‌ ଫଳାଫଳ ଶୂନ୍ୟ ରହିଛି। ସେଥିରେ ଭାରତର ବିଜୟ ପ୍ରତିଶତ ୬୪.୬୩ ରହିଛି।
ତୁଳନାତ୍ମକ ଭାବେ ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ମୋଟ ୧୧୩ ମ୍ୟାଚ୍‌ ଖେଳିଥିଲା ବେଳେ ୬୮ ବିଜୟ ପାଇଛି। ୪୪ ମ୍ୟାଚ୍‌ ହାରିଥିଲା ବେଳେ ଗୋଟିଏରୁ ଫଳାଫଳ ମିଳିନାହିଁ। ଦଳର ବିଜୟ ପ୍ରତିଶତ ୬୦.୧୮ ରହିଛି। ଏହି ଦଳ ଘରୋଇ ମାଟିରେ ୫୭ ମ୍ୟାଚ୍‌ରୁ ୩୫ ବିଜୟ ପାଇଥିଲା ବେଳେ ୨୨ ହାରିଛି। ବିଜୟ ପ୍ରତିଶତ ୬୧.୪୦ ରହିଛି। ବିଦେଶ ମାଟି‌ରେ ଦଳ ୫୬ ମ୍ୟାଚ୍‌ ଖେଳିଥିଲା ବେଳେ ୩୩ ଜିତିଛି ଏବଂ ୨୨ ହାରିଛି। ଗୋଟିଏରୁ ଫଳାଫଳ ମିଳିନାହିଁ। ବିଜୟ ପ୍ରତିଶତ ୫୮.୯୩ ରହିଛି।

ସର୍ବାଧିକ ‌ଦଳୀୟ ସ୍କୋର୍‌
ଭାରତ: ୨୦୩/୫ (ଜୋହାନ୍‌ସବର୍ଗ, ଫେବ୍ରୁଆରି ୧୮, ୨୦୧୮)।
ଦକ୍ଷିଣ ଆଫ୍ରିକା: ୨୧୯/୪ (ଜୋହାନ୍‌ସବର୍ଗ, ମାର୍ଚ ୩୦, ୨୦୧୨)।

ସର୍ବନିମ୍ନ ‌ଦଳୀୟ ସ୍କୋର୍‌
ଭାରତ: ୯୨ (କଟକ, ଅକ୍ଟୋବର ୫, ୨୦୧୫)।
ଦକ୍ଷିଣ ଆଫ୍ରିକା: ୧୧୬/୯ (ଡର୍ବାନ୍‌, ସେପ୍ଟେମ୍ବର ୨୦, ୨୦୦୭)।

ସର୍ବାଧିକ ‌ବ୍ୟକ୍ତିଗତ ସ୍କୋର୍‌
ଭାରତ: ୧୦୬ (ରୋହିତ ଶର୍ମା, ଧର୍ମଶାଳା, ଅକ୍ଟୋବର ୨, ୨୦୧୫)।
ଦକ୍ଷିଣ ଆଫ୍ରିକା: ୭୮ (କଲିନ୍‌ ଇନ୍‌ଗ୍ରାମ, ଜୋହାନ୍‌ସବର୍ଗ, ମାର୍ଚ ୩୦, ୨୦୧୨)।

ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ
ଭାରତ: ୫/୨୪ (ଭୁବନେଶ୍ବର କୁମାର, ଜୋହାନ୍‌ସବର୍ଗ, ଫେବ୍ରୁଆରି ୧୮, ୨୦୧୮)।
ଦକ୍ଷିଣ ଆଫ୍ରିକା: ୩/୧୨ (ଆବି ମର୍କେଲ, କଟକ, ଅକ୍ଟୋବର ୫, ୨୦୧୫)।

ଭାରତୀୟ ଦଳ
ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ), ଖଲିଲ ଅହମ୍ମଦ, ଦୀପକ ଚହର, ରାହୁଲ ଚହର, ଶିଖର ଧାୱନ୍‌, ଶ୍ରେୟସ ଆୟର, ରବୀନ୍ଦ୍ର ଜାଦେଜା, ମନୀଷ ପାଣ୍ଡେ, ହାର୍ଦିକ୍‌ ପାଣ୍ଡ୍ୟା, କ୍ରୁନାଲ ପାଣ୍ଡ୍ୟା, ଋଷଭ ପନ୍ତ (ୱିକେଟ୍‌ରକ୍ଷକ), କେଏଲ୍‌ ରାହୁଲ, ନଭଦୀପ ସଇନି, ୱାସିଂଟନ୍‌ ସୁନ୍ଦର।

ଦକ୍ଷିଣ ଆଫ୍ରିକା ଦଳ
କ୍ବିଣ୍ଟନ ଡି’କକ୍‌ (ଅଧିନାୟକ), ରାଶି ଭାନ୍‌ ଡେର୍‌ ଦୁସେନ୍‌ (ଉପଅଧିନାୟକ), ଟେମ୍ବା ବଭୂମା‌, ଜୁନିଅର୍‌ ଡାଲା, ଜନ୍‌ ଫୋର୍ତୁନ୍‌, ବିଉରନ୍‌ ହେଣ୍ଡ୍ରିକ୍ସ, ରିଜା ହେଣ୍ଡ୍ରିକ୍ସ, ଜର୍ଜ ଲିନ୍ଦେ, ଡେଭିଡ୍‌ ମିଲର୍‌, ଅନ୍‌ରିକ୍‌ ନୁର୍ଜେ, ଆନ୍ଦିଲେ ଫେଲୁକ୍ବାୟୋ, ଡ୍ବେନ୍‌ ପ୍ରିଟୋରିଅସ୍‌, କାଗିସୋ ରବାଦା ଓ ତାବ୍ରିଜ୍‌ ସାମ୍‌ସି।

ସମ୍ବନ୍ଧିତ ଖବର