୨୦୦୬ ଭାରତ-ପାକିସ୍ତାନ ଟେଷ୍ଟ୍ : ଇର୍ଫାନ୍‌ଙ୍କ ହ୍ୟାଟ୍ରିକ୍ ପରେ କରାଚିରେ କଂପନ

ନୂଆଦିଲ୍ଲୀ : ଦୀର୍ଘ ୧୭ ବର୍ଷ ତଳେ ଅର୍ଥାତ୍ ୨୦୦୩ ମସିହାରେ ମାତ୍ର ୧୯ ବର୍ଷ ବୟସରେ ଟେଷ୍ଟ୍ ପଦାର୍ପଣ କରିଥିବା ଇର୍ଫାନ୍ ପଠାନଙ୍କୁ ଭାରତୀୟ କ୍ରିକେଟ୍‌ର ଦ୍ବିତୀୟ କପିଳ ଦେବ କୁହାଯାଉଥିଲା। ସୁଇଂ ବୋଲିଂରେ ସିଦ୍ଧହସ୍ତ ଯୁବ ପଠାନଙ୍କର କିଂବଦନ୍ତି କପିଳଙ୍କ ଭଳି ବିସ୍ଫୋରକ ଓ ଉପଯୋଗୀ ବ୍ୟାଟିଂ କରିବାର ଦକ୍ଷତା ମଧ୍ୟ ଥିଲା। ପଠାନ ଆଡିଲେଡ‌୍‌ରେ ତାଙ୍କ ପ୍ରଥମ ଟେଷ୍ଟ୍ ଖେଳିଥିଲେ। ଦୀର୍ଘ ୨୩ ବର୍ଷ ପରେ ବି ଅଷ୍ଟ୍ରେଲିଆ ମାଟିରେ ଭାରତ ଏହି ମୁକାବିଲାରେ ପ୍ରଥମ ଟେଷ୍ଟ୍ ବିଜୟ ପାଇଥିଲା। ୨୦୦୭ ମସିହାରେ ଭାରତୀୟ ଟ୍ବେଣ୍ଟି-୨୦ ଦଳକୁ ଡାକରା ପାଇ ପଠାନ ଆଉ ଏକ କୀର୍ତ୍ତିମାନ କରିଥିଲେ। ପାକିସ୍ତାନ ବିପକ୍ଷ ହାଇଭୋଲଟେଜ୍ ଫାଇନାଲରେ ସେ ମାତ୍ର ୧୬ ରନ୍ ଦେଇ ୩ ୱି‌କେଟ୍ ନେବା ସହ ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ତେବେ ପଠାନଙ୍କ ଖେଳ ଜୀବନର ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ ଥିଲା ୨୦୦୬ କରାଚି ‌ଟେଷ୍ଟ୍‌ର ପ୍ରଥମ ଓଭରର ଶେଷ ତିନି ବଲ୍‌ରେ ପାକିସ୍ତାନର ତିନି ଜଣ ଦକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରି ଜୀବନର ପ୍ରଥମ ଟେଷ୍ଟ୍ ହ୍ୟାଟ୍ରିକ୍ ଅର୍ଜନ କରିବା। ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ହୋଇଥିବାରୁ ଭାରତର ୨୦୦୬ ପାକିସ୍ତାନ ଗସ୍ତକୁ ନେଇ ଉଭୟ ଦେଶରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଫୈସଲାବାଦ୍ ଓ ଲାହୋରରେ ଖେଳା ଯାଇଥିବା ହାଇସ୍କୋରିଂ ମ୍ୟାଚ୍‌ରେ କୌଣସି ଦଳ ଜିତି ପାରି ନଥିଲେ। ଉଭୟ ‌ଟେଷ୍ଟ୍ ଅମୀମାଂସିତ ଭାବେ ଶେଷ ହୋଇଥିଲା। ସେଥିପାଇଁ କରାଚି ଟେଷ୍ଟ୍‌ର ମହତ୍ବ ବଢ଼ି ଯାଇଥିଲା। କରାଚିର ଶିତୁଆ ସକାଳ କିନ୍ତୁ ପଠାନଙ୍କ ପାଇଁ ଅବିସ୍ମରଣୀୟ କୀର୍ତ୍ତିମାନ ଅପେକ୍ଷା କରି ରହିଥିଲା। ସେ କିନ୍ତୁ ସ୍ବପ୍ନରେ ମଧ୍ୟ ଏଭଳି ଏକ କୀର୍ତ୍ତିମାନର ଅଧିକାରୀ ହେବେ ବୋଲି ଭାବି ନଥିଲେ। ହେଲେ ପାଳି ଆରମ୍ଭରୁ ବଲ୍‌କୁ ସୁଇଂ କରାଇବେ ବୋଲି ଆଗୁଆ ନିଷ୍ପତ୍ତି ନେଇ ଯାଇଥିଲେ। ଭାରତ ଟସ୍ ଜିତି ପାକିସ୍ତାନକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିବା ପରେ ପ୍ରଥମ ଓଭର ବୋଲିଂ କରିବାର ସୌଭାଗ୍ୟ ପଠାନଙ୍କୁ ମିଳିଥିଲା। ପ୍ରଥମ ତିନି ବଲ୍‌କୁ କିନ୍ତୁ ଠିକ୍ ସ୍ଥାନରେ ଅବତରଣ କରାଇ ପାରିନଥିଲେ ସେ। ପରବର୍ତ୍ତୀ ତିନି ବଲ୍‌ରେ କିନ୍ତୁ କୌଣସି ଟେଷ୍ଟ୍‌ର ପ୍ରଥମ ଓଭରରେ ହ୍ୟାଟ୍ରିକ୍ ନେବାର ବିଶ୍ବ କୀର୍ତ୍ତିମାନ ସ୍ଥାପନ କରି ନେଇଥିଲେ ପଠାନ।

ସୁଇଂ‌ରେ ସଲମାନ, ୟୁନିସଙ୍କୁ ଶିକାର
କରାଚି ଟେଷ୍ଟ୍‌ର ପ୍ରଥମ ଓଭରର ଚତୁର୍ଥ ବଲ୍‌କୁ ପଠାନ ସୁଇଂ କରାଇବାକୁ ସକ୍ଷମ ହୋଇଥିଲେ। ସଲମାନ ବଟ୍ ଏହି ବଲ୍‌କୁ ବୁଝି ନପାରି ରକ୍ଷଣାତ୍ମକ ସଟ୍ ଖେଳିଥିଲେ ଏବଂ ଆଶାଜନକ ଭାବେ ସ୍ଲିପ୍‌ରେ ଧରାପଡ଼ି ଯାଇଥିଲେ। ଖାତା ଖୋଲିବା ପୂର୍ବରୁ ପାକିସ୍ତାନ ତା’ର ପ୍ରଥମ ୱିକେଟ୍ ହରାଇ ସାରିଥିଲା। ଦ୍ବିତୀୟ ବଲ୍‌ ଖେଳିଥିବା ୟୁନିସ୍ ଖାନଙ୍କ ପାଇଁ ପଠାନ ଏକ ଆକ୍ରମଣାତ୍ମକ କ୍ଷେତ୍ରରକ୍ଷଣ ଶୈଳୀ ଆପଣାଇଥିଲେ। ସଲମାନ ବାମହାତୀ ହୋଇଥିଲା ବେଳେ ୟୁନିସ୍ ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ଥିଲେ। ଏଣୁ ତାଙ୍କୁ ଲାଇନ୍ ଲେନ୍ଥରେ ପରିବର୍ତ୍ତନ କରିବାକୁ ପଡ଼ିଥିଲା। ହାତରୁ ବଲ୍ ଖସିବା ବେଳକୁ କିନ୍ତୁ ପଠାନ ଜାଣି ସାରିଥିଲେ ଯେ ଏହା ଏକ ୱିକେଟ୍ ନେଲା ଭଳି ବଲ୍ ଥିଲା। ବଲ୍ ସିଧା ଯାଇ ୟୁନିସଙ୍କ ଆଣ୍ଠୁ ତଳେ ବାଜିଥିଲା ଏବଂ ଅମ୍ପାୟାର ସାଇମନ ଟଫେଲ ଅଙ୍ଗୁଲି ଉଠାଇ ଏଲବିଡବ୍ଲ୍ୟୁ ଆଉଟ୍‌ର ସଙ୍କେତ ଦେଇଥିଲେ। ପଠାନ୍‌ଙ୍କୁ ଦୁଇଟି ବଲ୍‌ରେ ଦୁଇଟି ୱିକେଟ୍ ମିଳି ଯାଇଥିଲା।

ୟୁସୁଫଙ୍କ ୱିକେଟ୍‌ରେ ବିଶ୍ବ କୀର୍ତ୍ତିମାନ
ତୃତୀୟ ବଲ୍ ବୋଲିଂ କରିବାକୁ ଗଲା ବେଳେ ପଠାନଙ୍କ ମନରେ ଅନେକ କିଛି କଥା ଘୂରି ବୁଲୁଥିଲା। ଅବଶ୍ୟ କନିଷ୍ଠ କ୍ରିକେଟ୍‌ରେ ହ୍ୟାଟ୍ରିକ୍ ନେଇ ସାରିଥିବାରୁ ଏଭଳି ସ୍ଥିତିରେ ରହିବାର ଅଭିଜ୍ଞତା ତାଙ୍କର ଥିଲା। ଅନ୍ତର୍ଜାତୀୟ କ୍ରିକେଟ୍‌ରେ ମଧ୍ୟ ପୂର୍ବରୁ ଉଭୟ ଟେଷ୍ଟ୍ ଓ ଦିନିକିଆରେ ଦୁଇଟି ବଲ୍‌ରେ ଦୁଇଟି ୱିକେଟ୍ ନେଇ ସାରିଥି‌ଲେ। ପୂର୍ବରୁ କେବେ ବି ହ୍ୟାଟ୍ରିକ୍ ନେବାକୁ ସେ ସକ୍ଷମ ହୋଇ ନଥିଲେ। କରାଚିରେ କିନ୍ତୁ ସେ ଯେମିତି ନିଜ ସର୍ବଶ୍ରେଷ୍ଠ ବଲ୍ ସାଇତି ରଖିଥିଲେ। ସମ୍ମୁଖରେ ଥିଲେ ପାକିସ୍ତାନର ସବୁଠାରୁ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ମହମ୍ମଦ ୟୁସୁଫ। ୟୁସୁଫ ମଧ୍ୟ ପଠାନଙ୍କ ଇନସୁଇଙ୍ଗରକୁ ଅପେକ୍ଷା କରି ରହିଥିଲେ। ୟୁସୁଫଙ୍କ ପ୍ୟାଡ୍‌କୁ ଲକ୍ଷ୍ୟ କରି ପଠାନ ବଲ୍ ପକାଇଥିଲେ। ସୌଭାଗ୍ୟ ବଶତଃ ୟୁସୁଫଙ୍କ ବିଳମ୍ବିତ ପାଦ ଚାଳନା ପାଇଁ ବଲ୍ ତାଙ୍କୁ ଚକ୍‌ମା ଦେଇ ସିଧା ଷ୍ଟମ୍ପରେ ବାଜିଥିଲା। କରାଚିରେ ପଠାନ ନୂଆ ଇତିହାସ ରଚି ସାରିଥିଲେ। ପାକିସ୍ତାନ ସ୍କୋର ବୋର୍ଡରେ ରନ୍ ନଥିଲା ବେଳେ ଏହି ଦଳ କିନ୍ତୁ ତିନିଟି ୱିକେଟ୍ ହରାଇ ସାରିଥିଲା। ତିନିଟି ଯାକ ୱିକେଟ୍ ମଧ୍ୟରୁ ୟୁସୁଫଙ୍କ ୱିକେଟ୍ ତାଙ୍କୁ ସର୍ବାଧିକ ଆତ୍ମସନ୍ତୋଷ ଦେଇଥିଲା ବୋଲି ପଠାନ କହିଛନ୍ତି।

ବିଶ୍ବ କୀର୍ତ୍ତିମାନ ବୋଲି ଜାଣି ନଥିଲେ
ଜୀବନର ପ୍ରଥମ ଅନ୍ତର୍ଜାତୀୟ ହ୍ୟାଟ୍ରିକ୍ ନେବାର ଆନନ୍ଦ ଓ ଉଲ୍ଲାସ ମଧ୍ୟରେ ସେ ଏକ ବିଶ୍ବ କୀର୍ତ୍ତିମାନ କରିସାରିଛନ୍ତି ବୋଲି ପଠାନ ଜାଣି ନଥିଲେ। ପାକିସ୍ତାନ ପାଳି ଶେଷ ହେବା ପରେ ଡ୍ରେସିଂ ରୁମ୍‌ରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ତାଙ୍କୁ ଏହି ସୂଚନା ଦେଇଥି‌ଲେ। ଏହା ଶୁଣି ପଠାନଙ୍କ ଆନନ୍ଦର ସୀମା ରହି ନଥିଲା। ସେତେବେଳେ ସଚିନଙ୍କ ସହ ହୋଇଥିବା କଥୋପକଥନ କଥା ମନେ ପକାଇ ପଠାନ କହିଛନ୍ତି ଯେ ସଚିନ ଭାଇ ଡ୍ରେସିଂ ରୁମ୍ ଫେରିବା ପରେ ମୋତେ କହିଥିଲେ, ‘‘ ତୁମେ ଜାଣିଛ, ଏହା ଏକ ବିଶ୍ବ କୀର୍ତ୍ତିମାନ’’ ମୁଁ ଉତ୍ତର ଦେଇଥିଲି ‘‘ନା ଭାଇ, ଏ ବିଷୟରେ ମୋର କୌଣସି ଜ୍ଞାନ ନାହିଁ’’।

ଭାରତ କିନ୍ତୁ ମ୍ୟାଚ୍ ହାରିଥିଲା
ଇର୍ଫାନ ପଠାନଙ୍କ ଏହି ବିଶ୍ବ କୀର୍ତ୍ତିମାନଭରା ହ୍ୟାଟ୍ରିକ୍ ସତ୍ତ୍ବେ ଭାରତ ଦୁର୍ଭାଗ୍ୟଜନକ ଭାବେ ଏହି ମ୍ୟାଚ୍ ହାରି ଯାଇଥିଲା। ଏହା ତାଙ୍କୁ ଅତ୍ୟନ୍ତ ଦୁଃଖିତ କରିଥିଲା ବୋଲି ପଠାନ କୁହନ୍ତି। ପଠାନ ଏହି ମ୍ୟାଚ୍‌ର ପ୍ରଥମ ପାଳିରେ ୪୦ ରନ୍‌ର ମହତ୍ବପୂର୍ଣ୍ଣ ପାଳି ମଧ୍ୟ ଖେଳିଥିଲେ। ହେଲେ ଦ୍ବିତୀୟ ପାଳିରେ ପାକିସ୍ତାନ ଭଲ କରି ମ୍ୟାଚ୍ ଜିତି ‌ନେଇଥିଲା। ପାକିସ୍ତାନ ଏକଦା ୩୯ ରନ୍‌ରେ ୬ ୱିକେଟ୍ ହରାଇ ଘୋର ସଙ୍କଟରେ ପଡ଼ିଥିଲା। ହେଲେ କମ୍ରନ ଆକମଲଙ୍କ ଶତକ (୧୧୩) ବଳରେ ୨୩୯ ରନ୍ କରି ସମ୍ମାନ ରଖି ପାରିଥିଲା। ‌ସୋଏବ ଅଖତର ମଧ୍ୟ ୪୫ ରନ୍ କରିଥିଲେ। ଏହାର ଜବାବରେ ଭାରତ ତା’ ପ୍ରଥମ ପାଳିରେ ୨୩୮ ରନ୍ କରିଥିଲା। କେହି ବି ଅର୍ଧଶତକ ଛୁଇଁ ପାରି ନଥିଲେ। ପାକିସ୍ତାନ ଦ୍ବିତୀୟ ପାଳିକୁ ୫୯୯/୭ରେ ଘୋଷଣା କରିଥିଲା। ଫଳରେ ଭାରତ ସମ୍ମୁଖରେ ୬୦୭ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ‌ଯୁବରାଜ ସିଂହଙ୍କ ଶତକ ସତ୍ତ୍ବେ ଭାରତ ମାତ୍ର ୨୬୫ ରନ୍ କରି ୩୪୧ ରନ୍‌ରେ ମ୍ୟାଚ୍ ହାରିଥିଲା। ପାକିସ୍ତାନ ମ୍ୟାଚ୍ ଜିତିବା ସହ ତିନି ଟିକିଆ ଶୃଙ୍ଖଳାକୁ ୧-୦ରେ ଜିତି ନେଇଥିଲା।

ପାକିସ୍ତାନ ବିପକ୍ଷ ଲକି ମାସ୍କଟ
ନବେ ଦଶକର ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ପଠାନ ଥିଲେ ଭାରତର ଲକି ମାସ୍କଟ। ପାକିସ୍ତାନ ବିପକ୍ଷରେ ସେ ଖେଳିଥିବା ଅଧିକାଂଶ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଥିଲା। ଏସିଆ କପ୍ ହେଉକି, ୨୦୦୪ର ଶୃଙ୍ଖଳା କିମ୍ବା ୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପ୍ ଫାଇନାଲ୍, ଭାରତ ଏସବୁ ମ୍ୟାଚ୍‌ରେ ବିଜୟୀ ହୋଇଥିଲା। ବ୍ୟକ୍ତିଗତ ଭାବେ ସେ ଏହି ସବୁ ମ୍ୟାଚ୍‌ରେ ବହୁତ ଭଲ ପ୍ରଦର୍ଶନ କରିଥିଲେ।

ସମ୍ବନ୍ଧିତ ଖବର