ମମ୍ବାଇ: ଠିକ୍ ୯ ବର୍ଷ ତଳେ ଆଜିର ତାରିଖ (ଏପ୍ରିଲ୍ ୨, ୨୦୧୧)ରେ ଭାରତ ଦ୍ବିତୀୟ ଥର ପାଇଁ ଆଇସିସି ଦିନିକିଆ ବିଶ୍ବକପ୍ ଜିତିଥିଲା। ଦୀର୍ଘ ୨୮ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଥିଲା। ୧୯୮୩ ମସିହାରେ କପିଳ ଦେବଙ୍କ ପରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ବିଶ୍ବ ବିଜେତାର ଗୌରବ ଆଣିବାରୁ ସମଗ୍ର ଭାରତ ବର୍ଷ ଏପ୍ରିଲ୍ ୨ ତାରିଖ ରାତିରେ ଉଲ୍ଲସିତ ହୋଇ ଉଠିଥିଲା। ୨୦୧୧ ଆଇସିସି ବିଶ୍ବକପ୍ ଭାରତୀୟ ଉପମହାଦେଶରେ ଅନୁଷ୍ଠିତ ହୋଇଥିବାରୁ ଭାରତ ସ୍ପଷ୍ଟ ଦାବିଦାର ଥିଲା। ଧୋନିଙ୍କ ନେତୃତ୍ବାଧୀନ ଦଳ ସମ୍ପୂର୍ଣ୍ଣ ପ୍ରତିଯୋଗିତାରେ ଗୋଟିଏ ମାତ୍ର ମ୍ୟାଚ୍ ଦକ୍ଷିଣ ଆଫ୍ରିକା ନିକଟରୁ ହାରିଥିଲା। କ୍ବାର୍ଟର ଫାଇନାଲରେ ବିଜେତା ଅଷ୍ଟ୍ରେଲିଆକୁ ହରାଇଥିବା ଭାରତ ମୋହାଲି ସେମିଫାଇନାଲରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ଧୂଳି ଚଟାଇଥିଲା। ଫାଇନାଲରେ ଭେଟିଥିଲା କୁମାର ସାଙ୍ଗାକାରାଙ୍କ ନେତୃତ୍ବାଧୀନ ଶ୍ରୀଲଙ୍କାକୁ। ଟସ୍ ଜିତି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରିଥିଲା। ମାହେଲା ଜୟବର୍ଧନେଙ୍କ ଶତକ ବଳରେ ସିଂହଳୀ ଦଳ ୬ ୱିକେଟ୍ ହରାଇ ୨୭୪ ରନ୍ କରିନେଇଥିଲା। ଜାହିର୍ ଖାନ୍, ଯୁବରାଜ ସିଂହ ୨-୨ ଏବଂ ହରଭଜନ ସିଂହ ଗୋଟିଏ ୱିକେଟ୍ ନେଇଥିଲେ।
ଜବାବରେ ଭାରତ ଖରାପ ଆରମ୍ଭ କରିଥିଲା। ମୁମ୍ବାଇର ପ୍ରସିଦ୍ଧ ୱାଙ୍ଖ୍ଡେ ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମାଚ୍ରେ ମାତ୍ର ୩୧ ରନ୍ ଭିତରେ ଘରୋଇ ଦଳର ଦୁଇ ତାରକା ଖେଳାଳି ସଚିନ ତେନ୍ଦୁଲକର (୧୮) ଏବଂ ବୀରେନ୍ଦ୍ର ସେହବାଗ (୦) ବିଦାୟ ନେଇଯାଇଥିଲେ। ଏହି ସମୟରେ ପଡିଆକୁ ଆସିଥିବା ଗୌତମ ଗମ୍ଭୀର ଏବଂ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ମଧ୍ୟରେ ୧୦୯ ରନ୍ର ଭାଗୀଦାରି ହୋଇଥିଲା। ଭାରତ ଦୃଢ଼ ସ୍ଥିତିକୁ ଫେରିବାରେ ଏମାନେ ବଡ଼ ଭୂମିକା ନେଇଥିଲା। ମଧ୍ୟକ୍ରମରେ ବିରାଟ କୋହଲି (୩୫) ଉପଯୋଗୀ ପାଳି ଖେଳିଥିଲେ। ବ୍ୟକ୍ତିଗତ ମାଇଲଖୁଣ୍ଟ୍ ନୁହେଁ ଦଳୀୟ ସ୍ବାର୍ଥ ପାଇଁ ଖେଳି ଗୌତମ ଗମ୍ଭୀର (୯୭) ମାତ୍ର ୩ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ। ଏହା ପରେ ଧୋନି (୯୧*) ଏବଂ ଯୁବରାଜ ସିଂହ (୨୧*) ଭାରତକୁ ବିଜୟ ମଣ୍ଡିତ କରିଥିଲେ। ଭାରତ ୪ ୱିକେଟ୍ ବିନିମୟରେ ବିଜୟ ଲକ୍ଷ୍ୟକୁ ଅତିକ୍ରମ କରିଯାଇଥିଲା। ନୁୱାନ କୁଲସେକରାଙ୍କୁ ପ୍ୟାଭିଲିଅନ୍ ଉପରେ ମହେନ୍ଦ୍ର ସିଂହ ଧୋନି ଛକା ମାରିବା ପରେ ସମଗ୍ର ଭାରତ ଝୁମି ଉଠିଥିଲା। ନିଜ ସହରରେ ସଚିନ ତେନ୍ଦୁଲକରଙ୍କ ବହୁ ପ୍ରତୀକ୍ଷିତ ବିଶ୍ବକପ୍ ବିଜୟର ସ୍ବପ୍ନ ବି ସାକାର ହୋଇଯାଇଥିଲା। ଧୋନିଙ୍କ ଏହି ଛକା ଏବେ ବି କ୍ରିକେଟ୍ ଦୁନିଆର ସବୁଠାରୁ ଅଧିକ ଦର୍ଶକ ଦେଖିବାର ମୁହୂର୍ତ୍ତରେ ଆଗରେ ରହିଛି। ଚଳିତ ବର୍ଷ ପ୍ରାରମ୍ଭରେ ମଧ୍ୟ ଲୌରିୟସ୍ କ୍ରୀଡ଼ା ପୁରସ୍କାର ବର୍ଗରେ ସଚିନଙ୍କୁ ସାଥୀ ଖେଳାଳିମାନେ ତୋଳି ଧରିବାର ଦୃଶ୍ୟ ଶ୍ରେଷ୍ଠ କ୍ରୀଡ଼ା ମୁହୂର୍ତ ସମ୍ମାନ ଲାଭ କରିଥିଲା। ନିଜର ଶେଷ ବିଶ୍ବକପ୍ ଖେଳୁଥିବାରୁ ସଚିନଙ୍କ ପାଇଁ ମଧ୍ୟ ୨୦୧୧ରେ ବିଶ୍ବକପ୍ ଛୁଇଁବାର ଶେଷ ସୁଯୋଗ ଥିଲା। ବ୍ୟକ୍ତିଗତ ଭାବେ ଯୁବରାଜ ସିଂହ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ମଧ୍ୟ ସଚିନ ତେନ୍ଦୁଲକର ପ୍ରତିଯୋଗିତା ସାରା ଭଲ ଖେଳିଥିଲେ। ୧୯୯୨, ୧୯୯୬, ୧୯୯୯, ୨୦୦୩, ୨୦୦୭ ସଂସ୍କରଣରେ ସଚିନ ଲଗାତାର ଭାବେ ଖେଳିଥିଲେ ମଧ୍ୟ ପ୍ରତି ଥର ଟ୍ରଫିଠାରୁ ଦୂରେଇ ରହିଥିଲେ। ୨୦୦୩ରେ ଭାରତ ଉପବିଜେତା ହୋଇଥିବା ବେଳେ ସଚିନ ଗୋଲ୍ଡେନ୍ ବ୍ୟାଟ୍ ବିଜେତା ବି ହୋଇଥିଲେ।
ଦଳଗତ ପ୍ରଦର୍ଶନର ବିଜୟ ଥିଲା: ଗମ୍ଭୀର
ନୂଆଦିଲ୍ଲୀ: ଭାରତର ପ୍ରତୀକ୍ଷିତ ବିଶ୍ବକପ୍ ବିଜୟ ଦଳଗତ ପ୍ରଦର୍ଶନର ବିଜୟ ଥିଲା ବୋଲି କହିଛନ୍ତି ଫାଇନାଲ୍ର ସର୍ବୋଚ୍ଚ ବ୍ୟକ୍ତିଗତ ରନ୍ ୯୭ କରିଥିବା ଭାରତୀୟ ଖେଳାଳି ଗୌତମ ଗମ୍ଭୀର। ବିଶ୍ବକପ୍ ବିଜୟର ନବମ ବାର୍ଷିକୀ ପାଳନ ଅବସରରେ ଏହି ବାମହାତୀ ପ୍ରାରମ୍ଭିକ ବ୍ୟାଟ୍ସମ୍ୟନ୍ ଗମ୍ଭୀର କହିଛନ୍ତି, ଦଳଗତ ବିଜୟ ସହିତ ସହାୟକ ଷ୍ଟାଫ୍ଙ୍କୁ ବି ଶ୍ରେୟ ମିଳିବ। ଧୋନିଙ୍କ ଛକା ନିଶ୍ଚିତ ସ୍ମରଣୀୟ ରହିବ ବୋଲି କ୍ରିକେଟ୍ରୁ ଅବସର ନେଇ ସମ୍ପ୍ରତି ଭାଜପା ସାଂସଦ ଥିବା ଗମ୍ଭୀର ଏହା କହିଛନ୍ତି। ‘‘ମନେ ପକାଇଦେଉଛି, ୨୦୧୧ ବିଶ୍ବକପ୍ ସମଗ୍ର ଭାରତବାସୀ ଜିତିଥିଲେ, ପୂରା ଭାରତୀୟ ଦଳ ଜିତିଥିଲା ଏବଂ ସମସ୍ତ ସହକାରୀ ଷ୍ଟାଫ୍ ବି ଜିତିଥିଲେ। ଛକା ପାଗଳାମିକୁ ଛାଡ଼ିବାର ବେଳ ଆସିଯାଇଛି’’ ବୋଲି ଗମ୍ଭୀର ମଧ୍ୟ ପରୋକ୍ଷରେ ଧୋନିଙ୍କୁ ଇଙ୍ଗିତ କରିଥିଲେ। ଗମ୍ଭୀରଙ୍କ ଏହି ଟିପ୍ପଣୀ ପରେ ଜଣେ ପ୍ରଶଂସକ ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି, ‘ଠିକ୍ କଥା, ବ୍ୟକ୍ତିଗତ ଶ୍ରେଷ୍ଠ ଖେଳାଳିଙ୍କ କହିବା ଅନୁସାରେ କେବଳ ଧୋନିଙ୍କ ଛକାକୁ ନୁହେଁ ସମ୍ପୂର୍ଣ୍ଣ ଦଳ ଶ୍ରେୟ ପାଇବାର ହକ୍ଦାର’।
ସ୍ମୃତିରୁ ସାଉଁଟିଲେ ଯୁବି ଓ ରାଇନା
ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ଏବଂ ବାମହାତୀ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା ଗୁରୁବାର ୨୦୧୧ ବିଶ୍ୱକପ୍ ବିଜୟର ସ୍ମୃତିକୁ ମନେ ପକାଇଛନ୍ତି। ଯୁବି ଟ୍ବିଟର୍ରେ କହିଛନ୍ତି ଯେ ‘ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏହା କିଭଳି ମୁହୂର୍ତ୍ତ ଥିଲା, ତାହା ବର୍ଣ୍ଣନା କରିବାକୁ ମୋ ପାଖରେ ଶବ୍ଦ ନାହିଁ।’ ୨୦୧୧ ବିଶ୍ବକପ୍ ଯୁବିଙ୍କ ପାଇଁ ସ୍ମରଣୀୟ ଥିଲା। ସେ ୩୬୨ ରନ୍ କରିବା ସହ ୧୫ ୱିକେଟ୍ ଅକ୍ତିଆର କରିଥିଲେ। ଏହି ଅଲ୍ରାଉଣ୍ଡ୍ ପ୍ରଦର୍ଶନ ପାଇଁ ତାଙ୍କୁ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଠିକ୍ ୯ ବର୍ଷ ତଳେ (୨୦୧୧ ଏପ୍ରିଲ୍ ୨) ଆଜିର ଦିନରେ ମୁମ୍ବାଇର ୱାଙ୍ଖ୍ଡେ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ୍ରେ ଶ୍ରୀଲଙ୍କାକୁ ୬ ୱିକେଟ୍ରେ ହରାଇ ଭାରତ ଦ୍ବିତୀୟ ଥର ଲାଗି ବିଶ୍ବବିଜେତା ହେବାର ଗୌରବ ଅର୍ଜନ କରିଥିଲା। ଏହି ଫାଇନାଲ୍ରେ ଗୌତମ ଗମ୍ଭୀର ୯୭ ଏବଂ ମହେନ୍ଦ୍ର ସିଂହ ଧୋନି ୯୧* ରନ୍ କରି ବିଜୟର ପ୍ରମୁଖ ଭୂମିକା ତୁଲାଇ ଥିଲେ।
ପ୍ରତ୍ୟେକ ବସ୍ତୁର ଅନ୍ତ ଥାଏ, କିନ୍ତୁ ସ୍ମୃତି ସବୁଦିନ ପାଇଁ ରହିଯାଇଥାଏ। ବିଶ୍ବକପ୍ ବିଜୟ ବେଳର ଚମତ୍କାର ମୂହୁର୍ତ୍ତଗୁଡ଼ିକର ଉତ୍ସାହ ଓ ରୋମାଞ୍ଚ ସବୁ ବେଳେ ମନେ ରହିବ। ଅପୂରଣୀୟ, ଅବିସ୍ମରଣୀୟ ଇତିହାସର ମୁଁ ଅଂଶ ହୋଇ ପାରିଥିବାରୁ ନିଜକୁ ଧନ୍ୟ ମନେକରୁଛି ବୋଲି ଦିନିକିଆ ବିଶ୍ବକପ୍ ବିଜୟର ୯ ବର୍ଷ ପୂର୍ତ୍ତି ପାଳନ ଅବସରରେ ରାଇନା ନିଜ ଟ୍ବିଟର୍ ପୃଷ୍ଠାରେ ପ୍ରକାଶ କରିଛନ୍ତି। ଏହି ବିଶ୍ବକପ୍ରେ ରାଇନା କେବଳ ୪ ମ୍ୟାଚ୍ ଖେଳିବାର ସୁଯୋଗ ପାଇଥିଲେ। କ୍ବାର୍ଟର୍ ଫାଇନାଲ୍ରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ୩୪ ରନ୍ କରି ଅପରାଜିତ ରହିଥିଲେ। ଯାହା ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଥିଲା।