୨୦୧୧ ବିଶ୍ବକପ ଜିତିବା ମୋ ଜୀବନର ମହାନତମ କ୍ଷଣ : ସଚିନ

ମୁମ୍ବାଇ : ୨୦୧୧ ବିଶ୍ବକପ ଜିତିବା ତାଙ୍କ ଜୀବନର ସବୁଠାରୁ ମହାନତମ କ୍ଷଣ ଥିଲା । ଏହି କ୍ଷଣ ପାଇଁ ସେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ ବୋଲି କହିଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲେକର ।

ଭାରତ ୧,୦୦୦ ତମ ଏକଦିବସୀୟ ମ୍ୟାଚ ଖେଳିବା ଉପଲକ୍ଷେ ଏକ ଜାତୀୟ ସ୍ତରର ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ ଭାରତୀୟ କ୍ରିକେଟ୍ ସଫଳତାର ଶୀର୍ଷରେ ପହଞ୍ଚିପାରିଛି, ଏହାର ଶ୍ରେୟ ବର୍ତ୍ତମାନ ଓ ପୂର୍ବତନ ଖେଳାଳି ଓ ବିସିସିଆଇକୁ ଯିବ ।

ଆସନ୍ତା ରବିବାର ଦିନ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ ଭାରତର ୧,୦୦୦ ତମ ଏକଦିବସୀୟ ମ୍ୟାଚ ହେବ । ଅର୍ଥାତ ଭାରତ ଏପର୍ଯ୍ୟନ୍ତ ମୋଟ ୯୯୯ଟି ଏକଦିବସୀୟ ମ୍ୟାଚ ଖେଳିଛି । ଏହି ୯୯୯ଟି ମ୍ୟାଚ ମଧ୍ୟରେ ତେନ୍ଦୁଲକର ମୋଟ ୪୬୩ଟି ମ୍ୟାଚ ଖେଳିଛନ୍ତି ।

ସଚିନ କହିଛନ୍ତି ଯେ ସେ ଭାରତ ପାଇଁ ଟେଷ୍ଟ କ୍ରିକେଟ ଖେଳିବାକୁ ଲକ୍ଷ୍ୟ ରଖିଥିଲେ । ଟେଷ୍ଟ ଉପରେ ହିଁ ଗୁରୁତ୍ବ ଦେଉଥିଲେ । ଟେଷ୍ଟ ଖେଳିଲେ ଦିନିକିଆରେ ଦକ୍ଷତା ଆସିଯିବ ବୋଲି ସେ ଭାବୁଥିଲେ । ଏଣୁ ଟେଷ୍ଟ ଖେଳିବା ଆରମ୍ଭ କରିବା ପରେ ତାଙ୍କର ଏକଦିବସୀୟ କ୍ୟାରିୟର ବି ଆରମ୍ଭ ହୋଇଥିଲା ।

 

ସମ୍ବନ୍ଧିତ ଖବର