୨୦୧୧ ବିଶ୍ବକପ କ୍ରିକେଟ ଫାଇନାଲ ଫିକ୍ସ ହୋଇନଥିଲା : ତଦନ୍ତ ରିପୋର୍ଟ

କଲମ୍ବୋ : ୨୦୧୧ ବିଶ୍ବକପ କ୍ରିକେଟ ଫାଇନାଲକୁ ନେଇ ଶ୍ରୀଲଙ୍କା କ୍ରିକେଟ ବୋର୍ଡରେ ଦେଖାଦେଇଥିବା ବିବାଦର ଆପାତତଃ ଅବସାନ ଘଟିଛି । ଫାଇନାଲ ମ୍ୟାଚ ଫିକ୍ସ ହୋଇଥିବାର କୌଣସି ପ୍ରମାଣ ନାହିଁ ବୋଲି ଏକ ତଦନ୍ତକାରୀ ଦଳ ଘୋଷଣା କରିଛି ।

ଏହି ମାମଲାର ତଦନ୍ତ ପାଇଁ ଗଠିତ ସ୍ବତନ୍ତ୍ର ତଦନ୍ତକାରୀ ଦଳର ପ୍ରମୁଖ ଜଗତ ଫୋନସେକା କହିଛନ୍ତି ଯେ ଏହି ତଦନ୍ତ ପ୍ରକ୍ରିୟା ସମାପ୍ତ ହୋଇଛି ଓ ଖେଳାଳିମାନେ କୌଣସି ଭୁଲକାମ କରିଥିବା ପ୍ରମାଣ ମିଳିନାହିଁ । ଏହି ତଦନ୍ତ ଲାଗି ତଦନ୍ତକାରୀ ଦଳପକ୍ଷରୁ ଶ୍ରୀଲଙ୍କାର ଲୋକପ୍ରିୟ ଖେଳାଳି କୁମାର ସଂଘକାରା, ମାହେଲା ଜୟବର୍ଦ୍ଧନେ, ଉପୁଲ ତରଙ୍ଗା ଓ ଅରବିନ୍ଦ ଡିସିଲଭାଙ୍କୁ ଡକାଯାଇଥିଲା ।

୨୦୧୧ ବିଶ୍ବକପ କ୍ରିକେଟ ଫାଇନାଲରେ ଭାରତ ଶ୍ରୀଲଙ୍କାକୁ ୪ ୱିକେଟରେ ପରାସ୍ତ କରି ୨ୟ ଥର ପାଇଁ ବିଶ୍ବକପ ହାତେଇଥିଲା । କିନ୍ତୁ ଏହି ଫାଇନାଲ ଖେଳାହେବାର ପ୍ରାୟ ୯ ବର୍ଷ ବିତିଯାଇଥିଲେ ମଧ୍ୟ ଶ୍ରୀଲଙ୍କାରେ ତାହାକୁ ନେଇ ଏବେ ବିବାଦ ଦେଖାଦେଇଛି ।

ଗତ ଜୁନ ମାସରେ ଶ୍ରୀଲଙ୍କାର ପୂର୍ବତନ କ୍ରୀଡ଼ାମନ୍ତ୍ରୀ ମହିନ୍ଦାନନ୍ଦ ଆଲୁଗମାଗେ ଅଭିଯୋଗ କରିଥିଲେ ଯେ ୨୦୧୧ ବିଶ୍ବକପ କ୍ରିକେଟ ଫାଇନାଲ ଫିକ୍ସ ହୋଇଥିଲା । ଏହି ଅଭିଯୋଗ ଆସିବା ପରେ ଶ୍ରୀଲଙ୍କା କ୍ରିକେଟରେ କମ୍ପନ ସ୍‌ଷ୍ଟି ହୋଇଥିଲା । ଏହାପରେ ଶ୍ରୀଲଙ୍କା କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ଏକ ସ୍ବତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯାଇଥିଲା । ତେବେ ଆଇସିସି ଏ ସଂପର୍କରେ କୌଣସି ବୟାନ ଦେଇନାହିଁ ।

ସମ୍ବନ୍ଧିତ ଖବର