ନୂଆଦିଲ୍ଲୀ: ଦୀର୍ଘ ୨୮ ବର୍ଷ ପରେ ଭାରତ ୨୦୧୧ ମସିହାରେ ଦିନିକିଆ ବିଶ୍ବକପ୍ ଟ୍ରଫି ଜିତିଥିଲା। ମୁମ୍ବାଇର ୱାଙ୍ଖ୍ଡେ ଷ୍ଟାଡିୟମ୍ରେ ଶ୍ରୀଲଙ୍କାକୁ ୬ ୱିକେଟ୍ରେ ପରାସ୍ତ କରିଥିଲା। ମହେନ୍ଦ୍ର ସିଂହ ଧୋନି (୯୧*) ଏବଂ ଗୌତମ ଗମ୍ଭୀର (୯୭) ଦଳର ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ। କିନ୍ତୁ ପଶ୍ଚାତଧାବନ ବେଳେ ୬.୧ ଓଭର ବେଳକୁ ୩୧/୨ରେ ଥିବାବେଳେ ୨୨ ବର୍ଷୀୟ ବିରାଟ କୋହଲି ଖେଳିଥିବା ୩୫ ରନ୍ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିଲା। ଭାରତ ଶନିବାର ଦ୍ବିତୀୟ ଥର ଦିନିକିଆ ବିଶ୍ବକପ୍ ବିଜୟର ୧୧ ବର୍ଷ ପୂର୍ତ୍ତୀ ପାଳନ କରୁଥିବା ବେଳେ ଅନେକ ଖେଳାଳି ସ୍ମୃତି ଚାରଣ କରିଛନ୍ତି। ସେତେବେଳେ ଯୁବ ଖେଳାଳି ଭାବେ ବିଶ୍ବକପ୍ ଜିତିଥିବା ବିରାଟ କୋହଲି ଏହା ମଧ୍ୟରେ ଭାରତର ଅନ୍ୟତମ ସଫଳ ଅଧିନାୟକ ହୋଇ ବିଦାୟ ନେଇଛନ୍ତି। କୋହଲି ସେହି ୩୫ ରନ୍ ପାଳିକୁ ମନେ ପକାଇ କହିଥିଲେ ‘ସଚିନ ପାଜି ଆଉଟ୍ ହୋଇ ଫେରୁଥିବା ବେଳେ ମୁଁ ପଡ଼ିଆକୁ ପ୍ରବେଶ କରୁଥିଲି। ଏହି ଅବସରରେ ସଚିନ ମୋତେ ମାତ୍ର ୩ଟି ଶବ୍ଦ କହିଥିଲେ। ‘ବିଲ୍ଡ ଏ ପାର୍ଟନରସିପ୍ (ଭାଗୀଦାରି ଗଢ଼ିବ)’। ଗୌତମ ଗମ୍ଭୀର ଓ ମୁଁ ମିଶି ସେଇଆ ହିଁ କରିଥିଲୁ। ୧୧ ବର୍ଷ ପରେ ମୋ ମନରେ ଏବେ ଏହା ସତେଜ ଅଛି। ମୁଁ ମାତ୍ର ୩୫ ରନ୍ କରିଥିଲି, ସମ୍ଭବତଃ ଏହା ମୋ ଖେଳ ଜୀବନର ଗୁରୁତ୍ବପୂର୍ଣ୍ଣ ପାଳି ଥିଲା। ଦଳକୁ ପ୍ରତ୍ୟାବର୍ତନ କରାଇବାରେ ଅବଦାନ ରଖିଥିବାରୁ ମୁଁ ଖୁସି ଅନୁଭବ କରିଥିଲି। ବିଶ୍ବକପ୍ ବିଜୟର ଅନୁଭବ ମୋ ପାଇଁ ଅବିଶ୍ବସନୀୟ ଥିଲା। ଦର୍ଶକମାନେ ‘ବନ୍ଦେ ମାତରଂ’ ଓ ‘ଜୋ ଜିତା ୱହି ସିକନ୍ଦର’ ଗାଉଥିବାର ମୁହୂର୍ତ ଏବେ ବି ଅଭୁଲା ରହିଛି ବୋଲି କୋହଲି କହିଥିଲେ।
ବିଶ୍ବକପ୍ ବିଜୟୀ ଦଳର ପ୍ରମୁଖ ସଦସ୍ୟ ସଚିନ ତେନ୍ଦୁଲକର ଏବଂ ସୁରେଶ ରାଇନା ମଧ୍ୟ ଶନିବାର ୧୧ ବର୍ଷ ତଳର ସେହି ସ୍ମୃତିକୁ ମନେ ପକାଇଥିଲେ। ସଚିନ ତାଙ୍କ ଟ୍ବିଟ୍ରେ ଲେଖିଥିଲେ, ‘ସ୍ବପ୍ନ କିଭଳି ଆରମ୍ଭ ହୋଇଥିଲା ଏବଂ ବାସ୍ତବରେ କିଭଳି ଅର୍ଜନ ହୋଇଥିଲା’। ସୁରେଶ ରାଇନା ତାଙ୍କ ଟ୍ବିଟ୍ରେ ଉଲ୍ଲେଖ କରିଛନ୍ତି ‘୨୦୧୧ ବିଶ୍ବକପ୍ ଭାରତୀୟ କ୍ରିକେଟ୍ରେ ସବୁକିଛି ବଦଳାଇ ଦେଇଥିଲା। ସ୍ବପ୍ନ ସାକାର ହେବା ମାତ୍ରେ ଏହା ସବୁବେଳେ ହୃଦୟର ନିକଟତର ହୋଇ ରହିଗଲା’। ସୂଚନାଯୋଗ୍ୟ, ଦୀର୍ଘ ୨୨ ବର୍ଷ ଅପେକ୍ଷା କରିବା ପରେ ସଚିନ ତେନ୍ଦୁଲକର ତାଙ୍କ ଖେଳ ଜୀବନର ଶେଷ ଭାଗରେ ବିଶ୍ବକପ୍ ଜିତିବାର ସ୍ବପ୍ନ ସାକାର କରିଥିଲେ। ୧୯୮୩ରେ କପିଳ ଦେବ ବିଶ୍ବକପ୍ ଜିତିବାର ୨୮ ବର୍ଷ ପରେ ମାହି ସେନା ଏହାକୁ ଦ୍ବିତୀୟ ଥର ଏବଂ ଘରୋଇ ମାଟିରେ ଜିତିବାର ଗୌରବ ଅର୍ଜନ କରିଥିଲା। ଭାରତ ଏହି ସଂସ୍କରଣରେ ମାତ୍ର ଗୋଟିଏ ମ୍ୟାଚ୍ ଦକ୍ଷିଣ ଆଫ୍ରିକାଠାରୁ ହାରିଥିଲା। ସେମିଫାଇନାଲ୍ରେ ପାକିସ୍ତାନକୁ ପରାସ୍ତ କରିଥିଲା।