୨୦୧୧ ବିଶ୍ବକପ୍‌ ଫିକ୍ସିଂ ମାମଲା: ଆଇସିସିକୁ ପ୍ରମାଣ ଦେବାକୁ ଚାହିଁଥିଲେ ଶ୍ରୀଲଙ୍କାର ପୂର୍ବ କ୍ରୀଡ଼ାମନ୍ତ୍ରୀ

କଲମ୍ବୋ: ଭାରତରେ ଆୟୋଜିତ ୨୦୧୧ ବିଶ୍ବକପ୍‌ ଫାଇନାଲ୍‌ରେ ଶ୍ରୀଲଙ୍କା ଦଳ ହାରିଯାଇଥିଲା। ଏହି ଦଳ ଜାଣିଶୁଣି ମ୍ୟାଚ୍‌ ହାରିଥିଲା ଏବଂ ସେହି ମ୍ୟାଚ୍‌ ଫିକ୍ସ ହୋଇଥିଲା ବୋଲି ଗୁରୁତର ଅଭିଯୋଗ ବାଢ଼ିଥିଲେ ଶ୍ରୀଲଙ୍କାର ପୂର୍ବତନ କ୍ରୀଡ଼ା ମନ୍ତ୍ରୀ ମହିନ୍ଦାନନ୍ଦ ଆଲୁଥଗାମାଗେ। ତାଙ୍କ ଅଭିଯୋଗ ଉପରେ ଶ୍ରୀଲଙ୍କା ସରକାର ମଧ୍ୟ ତଦନ୍ତ ନିର୍ଦେଶ ଦେଇଥିଲେ। ଶ୍ରୀଲଙ୍କା ପୁଲିସ ପୂର୍ବତନ ମୁଖ୍ୟ ଚୟନକର୍ତା ଅରବିନ୍ଦ ଡି’ ସିଲ୍‌ଭା, ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଉପୁଲ ତରଙ୍ଗା, ସେହି ବିଶ୍ବକପ୍‌ ଦଳର ଅଧିନାୟକ କୁମାର ସାଙ୍ଗାକାରାଙ୍କ ସମେତ ବରିଷ୍ଠ ବ୍ୟାଟ୍‌ସମ୍ୟାନ୍‌ ମାହେଲା ଜୟବର୍ଧନେଙ୍କୁ ଜେରା କରିଥିଲା। ତେବେ ଏ ସମସ୍ତଙ୍କୁ ଜେରା କରିବା ପରେ ବିଶ୍ବକପ୍‌ ଫିକ୍ସ ହୋଇଥିବା ନେଇ କୌଣସି ସନ୍ଦେହ ତଥା ଠୋସ୍‌ ପ୍ରମାଣ ନମିଳିବାରୁ ଶ୍ରୀଲଙ୍କା ପୁଲିସ ଶୁକ୍ରବାର ତଦନ୍ତକୁ ସଂପୂର୍ଣ୍ଣ ବନ୍ଦ କରିଦେଇଥିଲା। ହେଲେ ସେତେବେଳର କ୍ରୀଡ଼ା ମନ୍ତ୍ରୀ ତଥା ଏବର ରାଜ୍ୟ ଶକ୍ତି ମନ୍ତ୍ରୀ ଥିବା ମହିନ୍ଦାନନ୍ଦ କିନ୍ତୁ ତାଙ୍କ ଅଭିଯୋଗ ଉପରେ ସ୍ଥିର ରହିଛନ୍ତି। ମାମଲାର ତଦନ୍ତକୁ ବନ୍ଦ କରିଦେବାର ଦିନକ ପରେ ମହିନ୍ଦାନନ୍ଦ ବିଶ୍ବକପ୍‌ ଫିକ୍ସ ହେବା ନେଇ ଯେଉଁ ଅଭିଯୋଗ ଉଠାଇଥିଲେ ସେ ସଂପର୍କିତ ଅଧିକ ତଥ୍ୟ ପ୍ରମାଣ ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ (ଆଇସିସି)କୁ ଦେବାକୁ ସେ ଚାହିଁଥିଲେ ବୋଲି କହିଛନ୍ତି। ତଥ୍ୟ ପ୍ରମାଣର ଅଭାବ ନୁହେଁ ବରଂ କିଛି ପ୍ରଭାବଶାଳୀ ବ୍ୟକ୍ତି ବିପୁଳ ପରିମାଣର ଅର୍ଥ ବ୍ୟୟ କରି ତଦନ୍ତକୁ ଚାପି ଦେଇଥିବା କହିଛନ୍ତି। ତାଙ୍କ କହିବା କଥା ହେଲା, ଆଇସିସିରେ ଦୁର୍ନୀତି ନିବାରଣ ମୁଖ୍ୟ ଥିବା ଆଲେକ୍ସ ମାର୍ସାଲଙ୍କୁ ସେ ଫିକ୍ସିଂ ସଂପର୍କିତ ତଥ୍ୟ ପ୍ରମାଣ ଯୋଗାଇଦେବାକୁ ପ୍ରସ୍ତୁତ ବୋଲି କହିଥିଲେ। ହେଲେ ଅଭିଯୋଗକୁ ବଳିଷ୍ଠ କରିବା ନିମନ୍ତେ ସେହି ସମୟରେ ଫିକ୍ସ ନେଇ କୌଣସି ତଥ୍ୟ ଆଇସିସି ନିକଟରେ ନଥିବା କଥା ଶୁକ୍ରବାର ମାର୍ସାଲ ଏକ ବିବୃତିରେ କହିଥିଲେ। ପୁଲିସ ମଧ୍ୟ ତାଙ୍କ ଅଭିଯୋଗକୁ ଗୁରୁତ୍ବ ନଦେବା ଏବଂ ଠିକ୍‌ ବାଟରେ ତା’ର ତଦନ୍ତ କରିବାରେ ବିଫଳ ହୋଇଛି। ତେଣୁ ଏହି ମାମଲାରେ ହସ୍ତକ୍ଷେପ କରିବା ସାଙ୍ଗକୁ ମାମଲାକୁ ପୁନର୍ବାର ଖୋଲିବା ପାଇଁ ଆଇସିସି ଉପରେ ଚାପ ପକାଇବାକୁ ସେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ସଙ୍କୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର