୨୦୧୩ ଆଇପିଏଲ୍‌ ଅଘଟଣକୁ ମନେ ପକାଇଲେ ଭଜି ‘ଗିଲକ୍ରିଷ୍ଟ୍‌ଙ୍କ ବଲ୍‌ରେ ଆଉଟ୍ ହେବା ସବୁଠାରୁ ଲଜ୍ଜାଜନକ’

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର କିଂବଦନ୍ତି କ୍ରିକେଟର ଆଦାମ ଗିଲକ୍ରିଷ୍ଟ ତାଙ୍କ ବିସ୍ଫୋରକ ବ୍ୟାଟିଂ ସହ ଦକ୍ଷ ୱିକେଟ୍‌ରକ୍ଷଣ ଦକ୍ଷତା ପାଇଁ ପରିଚିତ। ସେ ହେଉଛନ୍ତି ବିଶ୍ବ କ୍ରିକେଟର ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ ୱିକେଟ୍‌ରକ୍ଷକ।। ୨୦୦୭ ମସିହା ବିଶ୍ବକପ୍‌ର ଶ୍ରୀଲଙ୍କା ବିପକ୍ଷ ଫାଇନାଲରେ ସେ ଖେଳିଥିବା ୧୪୯ ରନ୍ (୧୦୪ ବଲ୍) ପାଳିକୁ ବିଶ୍ବକପ୍‌ ଫାଇନାଲର ଅନ୍ୟତମ ଶ୍ରେଷ୍ଠ ପାଳିର ମାନ୍ୟତା ମିଳେ। ଅଷ୍ଟ୍ରେଲିଆ ପକ୍ଷରୁ ସେ ୯୬ ଟେଷ୍ଟ୍ ଖେଳି ୫୫୭୦ ଏବଂ ୨୮୭ ଦିନିକିଆରୁ ୯୬୧୯ ରନ୍ କରିଛନ୍ତି। ତେବେ ସେ ମଧ୍ୟ ଆଉ ଏକ ମଜାଦାର ପରିସଂଖ୍ୟାନର ଅଧିକାରୀ, ଯାହା ବିଷୟରେ କ୍ବଚିତ ଚର୍ଚା ହୁଏ। କିଙ୍ଗ୍ସ ଏକାଦଶ ପଞ୍ଜାବର ପ୍ରତିନିଧିତ୍ବ କଲା ବେଳେ ୨୦୧୩ ମସିହାରେ ସେ ଆଇପିଏଲ୍‌ରେ ଗୋଟିଏ ୱିକେଟ୍ କରାୟତ୍ତ କରିଥିଲେ। ତାହା ପୁଣି ପୁରୁଣା ପ୍ରତିଦ୍ବନ୍ଦ୍ବୀ ହରଭଜନ ସିଂହଙ୍କର। କିଙ୍ଗ୍ସ ଏକାଦଶ ପଞ୍ଜାବ ସେମିଫାଇନାଲ ଦୌଡ଼ରୁ ବାଦ୍ ପଡ଼ି ସାରିଥିଲା ବେଳେ ମୁ୍ମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଏକ ଗୁରୁତ୍ବହୀନ ମ୍ୟାଚ୍ ଖେଳିଥିଲା।

ଏହି ମ୍ୟାଚ୍‌ରେ ହିଁ ଭଜିଙ୍କ ୱିକେଟ୍ ନେଇ ଗିଲକ୍ରିଷ୍ଟ୍ ସମସ୍ତଙ୍କୁ ଚକିତ କରି ଦେଇଥିଲେ। ଏହି ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଶେଷ ଓଭରରୁ ବିଜୟ ପାଇଁ ୫୧ ରନ୍‌ର ଦରକାର ଥିଲା। ଯାହା ଏକ ପ୍ରକାର ଅସମ୍ଭବ ଥିଲା। ଏଣୁ ଗିଲକ୍ରିଷ୍ଟ୍‌ ଏହି ଓଭରଟିକୁ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ସମସ୍ତଙ୍କୁ ଚକିତ କରି ସେ ମଧ୍ୟ ଭଜିଙ୍କୁ ଆଉଟ୍ କରି ଦେଇଥିଲେ। ଶନିବାର ଏକ ଅନଲାଇନ୍ ସାକ୍ଷାତକାର ବେଳେ ହରଭଜନ ସେହି ଘଟଣାକୁ ମନେ ପକାଇ ଅତ୍ୟନ୍ତ ଲଜ୍ଜା ଅନୁଭବ କରିଥିଲେ। ଏହି ଅବସରରେ ସେ କହିଥିଲେ ଗିଲକ୍ରିଷ୍ଟ୍‌ ବୋଲିଂ କରୁଥିବାର ଦେଖି ମୁଁ ଖୁସି ହୋଇ ଯାଇଥିଲି। ତାଙ୍କଠାରୁ କିଛି ରନ୍ ଅମଳ କରିବି ବୋଲି ଲକ୍ଷ୍ୟ ରଖିଥିଲି। ହେଲେ ଏଭଳି କିଛି ଘଟି ନଥିଲା। ଫଳ ଓଲଟା ହୋଇଥିଲା। ପ୍ରଥମ ବଲ୍‌ରେ ହିଁ ମୁଁ ଫାଇନ୍ ଲେଗ୍ ଅଞ୍ଚଳରେ ଧରା ପଡ଼ି ଯାଇଥିଲି। ଏହାଠାରୁ ଲଜ୍ଜାଜନକ ଆଉ କିଛି ନଥିଲା। ନେଟ୍ସରେ ଗୋଟିଏ ହେଲେ ବି ବଲ୍ ପକାଇ ନଥିବା ଜଣେ ବୋଲରଙ୍କ ବଲ୍‌ରେ ମୁଁ ଆଉଟ୍ ହୋଇ ଯାଇଥିଲି। ଅବଶ୍ୟ ଆଉଟ୍ ହୋଇ ମୁଁ ତାଙ୍କୁ ଖୁସି ‌‌ହେବାର ସୁଯୋଗ ଦେଇଥିଲି। ମୁଁ ତାଙ୍କୁ ଟେଷ୍ଟ୍ କ୍ରିକେଟ୍‌ରେ ଅନେକଥର ଆଉଟ୍ କରିଛି। ଥରେ ସେ କଲେ ବୋଲି ମୁଁ ମନକୁ ବୁଝାଇଥିଲି।

ସୂଚନାଯୋଗ୍ୟ ଯେ ଗିଲକ୍ରିଷ୍ଟ୍‌ଙ୍କୁ ଭଜି ଟେଷ୍ଟ୍‌ରେ ୧୧ ଥର ଆଉଟ୍ କରିଛନ୍ତି। ଗିଲକ୍ରିଷ୍ଟ ତାଙ୍କୁ ଥରେ ଆଉଟ୍ କଲା ବେଳେ ଏମିତି ଖୁସି ହୋଇ ଯାଇଥିଲେ ଯେ ପଡ଼ିଆ ଭିତରେ ଗଙ୍ଗନମ ଷ୍ଟାଇଲ୍ ନାଚ ନାଚି ଉତ୍ସବ ପାଳନ କରିଥିଲେ।

ସମ୍ବନ୍ଧିତ ଖବର