ମାସକ ପରେ ଫିଫା ବିଶ୍ୱକପ୍‌

ଭୁବନେଶ୍ୱର : ବିଶ୍ୱର ସବୁଠାରୁ ସୁନ୍ଦର, ଆକର୍ଷଣୀୟ, ମନୋରଂଜନଭରା, ଅହେତୁକ ରୋମାଞ୍ଚ ରଖୁଥିବା ଖେଳ ‘ଫୁଟ୍‌ବଲ୍‌’। ମହାକୁମ୍ଭ, ମହାମେଳା, ମହାସମର ନାମରେ ପରିଚିତ ଏହାର ଆଉ ଏକ ସଂସ୍କରଣ ଖେଳାଯିବ ଆଜକୁ ଠିକ୍‌ ୩୦ ଦିନ ପରେ। ରୁଷିଆରେ ଜୁନ୍‌ ୧୪ରୁ ଜୁଲାଇ ୧୫ ତାରିଖ ପର୍ଯ୍ୟନ୍ତ ଲାଗିବ ଏହି ଫୁଟ୍‌ବଲ୍‌ ପର୍ବ। ଏବେଠାରୁ ରୁଷିଆ ଉତ୍ସବମୁଖର ହୋଇଉଠିଥିବାବେଳେ ବିଶ୍ୱବ୍ୟାପୀ ଫୁଟ୍‌ବଲ୍‌ ପ୍ରେମୀଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ଦେଖାଦେଲାଣି।

ପାଞ୍ଚଟି ମହାଦେଶରୁ ମୋଟ ୩୨ ଦେଶ ଏହି ବିଶ୍ୱ କପ୍‌ରେ ଅବତୀର୍ଣ୍ଣ ହେବେ। ଶେଷ ଥର ପାଇଁ ୨୦୧୪ ମସିହାରେ ବ୍ରାଜିଲ୍‌ରେ ଫିଫା ବିଶ୍ୱକପ୍‌ ଆୟୋଜିତ ହୋଇଥିବାବେଳେ ଜର୍ମାନି ଚତୁର୍ଥ ଥର ବିଜେତା ହୋଇଥିଲା। ସର୍ବାଧିକ ୫ ଥର ବିଜେତା ବ୍ରାଜିଲ୍‌ର ସମକକ୍ଷ ହେବାକୁ ଏଥର ଜର୍ମାନି ନିଶ୍ଚିତ ପ୍ରୟାସ କରିବ। ଫୁଟ୍‌ବଲ୍‌ର ସର୍ବୋଚ୍ଚ ପରିଚାଳନା ସଂସ୍ଥା ଫେଡେରେସନ୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଡି ଫୁଟ୍‌ବଲ୍‌ ଆସୋସିଏସନ୍‌ (ଫିଫା) ଫିଫା ବିଶ୍ୱକପ୍‌ରର ଆୟୋଜନ କରି ଆସୁଛି। ଏହା ପ୍ରତି ୪ ବର୍ଷରେ ଆୟୋଜିତ ହୋଇଥାଏ। ୧୯୩୦ ମସିହାରୁ ଏହା ଆରମ୍ଭ ହୋଇଥିବାରୁ ଫିଫା ବିଶ୍ୱକପ୍‌ ୮୮ ବର୍ଷରୁ ପୁରୁଣା ଇତିହାସ ରଖିଛି। କେବଳ ଦ୍ୱିତୀୟ ବିଶ୍ୱଯୁଦ୍ଧ କାରଣରୁ ୧୯୪୨ ଏବଂ ୧୯୪୬ ମସିହାରେ ଏହା ଆୟୋଜିତ ହୋଇନଥିଲା।

ଏକବିଂଶ ସଂସ୍କରଣରେ ଭାଗ ନେଉଥିବା ୩୨ ଦେଶ ବିଗତ ୩ ବର୍ଷ ଧରି ନିଜ ମହାଦେଶର ଯୋଗ୍ୟତା ପର୍ଯ୍ୟାୟ ଦେଇ ଆସିଛନ୍ତି। ଆୟୋଜକ ଦେଶକୁ ସିଧାସଳଖ ଯୋଗ୍ୟତା ମିଳିଥାଏ। ଏ ପର୍ଯ୍ୟନ୍ତ ଆୟୋଜିତ ୨୦ ବିଶ୍ୱକପ୍‌କୁ ଜିତିଛନ୍ତି ୮ ଦେଶ। ବ୍ରାଜିଲ୍‌ ସର୍ବାଧିକ ୫ ଥର ବିଜେତା ହୋଇଛି। ବ୍ରାଜିଲ୍‌ ମଧ୍ୟ ଏକମାତ୍ର ଦେଶ ଭାବେ ପ୍ରତି ସଂସ୍କରଣରେ ଭାଗ ନେଇଛି। ଅନ୍ୟ ବିଜେତାମାନେ ହେଲେ ଜର୍ମାନି ଓ ଇଟାଲି ଯେଉଁ ଦୁଇ ଦେଶ ୪ ଥର ଲେଖାଏଁ ବିଜେତା ରହି ସାରିଛନ୍ତି। ପ୍ରଥମ ବିଜେତା ଉରୁଗୁଏ ଏବଂ ଆର୍ଜେଣ୍ଟିନା ୨ ଥର ଲେଖାଏଁ, ଇଂଲଣ୍ଡ, ଫ୍ରାନ୍‌ସ, ସ୍ପେନ୍‌ ଥରେ ଲେଖାଏଁ ଏହି ବିଶ୍ୱ ମୁକୁଟ ନିଜ ଦେଶକୁ ନେବାରେ ସକ୍ଷମ ହୋଇଛନ୍ତି।

ବିଶ୍ୱକପ୍‌କୁ ଫୁଟ୍‌ବଲ୍‌ର ସବୁଠାରୁ ମର୍ଯ୍ୟଦାଜନକ ତଥା ସମ୍ମାନଜନକ ପ୍ରତିଯୋଗିତାର ସମ୍ମାନ ମିଳିଥାଏ, ଏପିରିକି ଅଲିମ୍ପିକ୍ସ କୃତିତ୍ୱଠାରୁ ଏହାର ବିଜେତାକୁ ଅଧିକ ସମ୍ମାନ ମିଳେ। ଫିଫା ବିଶ୍ୱକପ୍‌କୁ ବିଶ୍ୱବ୍ୟାପୀ ଅଧିକ ଦର୍ଶକ ଦେଖିବାର ଗୌରବ ମଧ୍ୟ ମିଳିଛି। ୨୦୦୬ ମସିହାରେ ମୋଟ ୨୬.୨୯ ବିଲିୟନ୍‌ ଦର୍ଶକ ଦେଖିଥିଲେ ଏବଂ ଫାଇନାଲ୍‌ ମ୍ୟାଚ୍‌କୁ ୭୧୫.୧ ମିଲିଅନ୍‌ ଦର୍ଶକ ଉପଭୋଗ କରିବା ଏବେ ମଧ୍ୟ କୀର୍ତିମାନ ହୋଇ ରହିଛି। ଭୂପୃଷ୍ଠର ୯ ଭାଗ ଲୋକ ଫାଇନାଲ୍‌ ମ୍ୟାଚ୍‌ ଦେଖିବା ସବୁଠାରୁ ଉଲ୍ଲେଖନୀୟ ବିଷୟ ଥିଲା।
ଏଥର ଏସୀୟ ଫୁଟ୍‌ବଲ୍‌ ମହାସଂଘରୁ ୫ ଦେଶ ଅଷ୍ଟ୍ରେଲିଆ, ଇରାନ୍‌, ଜାପାନ, ସାଉଦି ଆରବ, ଦକ୍ଷିଣ କୋରିଆ ଯୋଗ୍ୟତା ଅର୍ଜନ କରିଛନ୍ତି। ୫ ଆଫ୍ରିକୀୟ ଦେଶ ଇଜିପ୍ଟ, ମରୋକ୍କୋ, ନାଇଜେରିଆ, ସେନେଗାଲ୍‌, ଟ୍ୟୁନିସିଆ ଏବଂ ଉତ୍ତର, କେନ୍ଦ୍ରୀୟ ଆମେରିକା ଓ କାରବୀୟ ଅଞ୍ଚଳରୁ ୩ ଦେଶ କୋଷ୍ଟାରିକା, ମେକ୍ସିକୋ, ପାନାମା ଆସିଛନ୍ତି। ସମୃଦ୍ଧ ଦକ୍ଷିଣ ଆମେରିକୀୟ ଅଞ୍ଚଳରୁ ୫ ଦେଶ ଆର୍ଜେଣ୍ଟିନା, ବ୍ରାଜିଲ୍‌, କଲମ୍ବିଆ, ପେରୁ, ଉରୁଗୁଏ ଯୋଗ୍ୟତା ଅର୍ଜନ କରିଥିବାବେଳେ ୟୁରୋପୀୟ ସଂଘରୁ ସର୍ବାଧିକ ୧୪ ଦେଶ ବେଲ୍‌ଜିୟମ୍‌, କ୍ରୋଏସିଆ, ଡେନମାର୍କ, ଇଂଲଣ୍ଡ, ଫ୍ରାନ୍‌ସ, ଜର୍ମାନି, ଆଇସ୍‌ଲାଣ୍ଡ୍‌, ପୋଲାଣ୍ଡ୍‌, ପର୍ତୁଗାଲ୍‌, ରୁଷିଆ, ସର୍ବିୟା, ସ୍ପେନ୍‌, ସ୍ୱିଡେନ୍‌, ସ୍ୱିଜରଲାଣ୍ଡ୍‌ ରହିଛନ୍ତି।

ସ୍ୱତନ୍ତ୍ର ହେବ: ବୋବନ୍‌

ମସ୍କୋ : ଆଉ ମାତ୍ର ମାସକ ପଳେ ଫିଫା ବିଶ୍ୱକପ୍‌ର ୨୧ତମ ସଂସ୍କରଣ ଆୟୋଜିତ ହେବାକୁ ଯାଉଥିବାବେଳେ ଫିଫାର ଉପ ମହାସଚିବ ଭୋନିମିର୍‌ ବୋବନ୍‌ ଏହାକୁ ସ୍ମରଣୀୟ ଓ ସ୍ୱତନ୍ତ୍ର କରିଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ପୂର୍ବତନ ବିଶ୍ୱକପ୍‌ ଖେଳାଳିଭାବେ ଅନେକ ସ୍ମ୍‌ୃତି ରଖିଥିବା ବୋବନ ଏହି ଅବସରରେ ଦେଇଥିବା ଏକ ବିଶେଷ ସାକ୍ଷାତକାର୍‌ରୁ କିୟଂଦଶ ଏଠାରେ ଉପସ୍ଥାପିତ କରୁଛୁ।

୧୯୯୮ ବିଶ୍ୱକପ୍‌ରେ କ୍ରୋଏସିଆ ଇତିହାସ ରଚିଥିବାବେଳେ ବୋବନ ଥିଲେ ଦଳର ଅନ୍ୟତମ ସଦସ୍ୟ। ପ୍ରସ୍ତୁତିଠାରୁ ପ୍ରଦର୍ଶନ ପର୍ଯନ୍ତ ସବୁକିଛି ଭାବପୂର୍ଣ୍ଣ ଥିଲା। ବିଜୟ ହେଉ କି ପରାଜୟ, ବିଶ୍ୱକପ୍‌ରେ ସାମିଲ ହେବା ଐତିହାସିକ ମୁହୂର୍ତ ଥିଲା। ଏହି ଐତିହାସିକ ମୁହୂର୍ତରୁ ଏବେ ରୁଷିଆ ବିଶ୍ୱକପ୍‌ ପର୍ଯ୍ୟନ୍ତ ଲମ୍ବା ଯାତ୍ରା ରହିଛି। ଏଥର ଏହାକୁ ସ୍ମରଣୀୟ ଓ ସ୍ୱତନ୍ତ୍ର କରିଦେବାକୁ ରୁଷିଆ ସଙ୍କଳ୍ପବଦ୍ଧ। ବିଶ୍ୱକପ୍‌ ସବୁବେଳେ ସ୍ୱତନ୍ତ୍ର। ଅନେକ ଦେଶକୁ ଏକାଧିକ ରଙ୍ଗରେ ଏକାଠି ଦେଖିବାର ମୁହୂର୍ତ ଅଭୂଲା। ବିଶ୍ୱକପ୍‌କୁ ଏବଂ ଏହାର ଅଭିଜ୍ଞତା ବର୍ଣ୍ଣନା କରିବା ମଧ୍ୟ ଏତେ ସହଜ ନୁହେଁ। ମୁଁ ଏଥର ଆଶା କରିବି ୨୦ ବର୍ଷ ତଳ ଭଳି ମୋ ଦେଶ କ୍ରୋଏସିଆ ଏଥର କିଛି କରିସ୍ମା କରିବ।

ପ୍ରଥମ ଥର ଭାର୍‌ (ଭିଡିଓ ଆସିଷ୍ଟାଣ୍ଡ୍‌ ରେଫରି) ବ୍ୟବହୃତ ହେବାକୁ ଯାଉଛି ବିଶ୍ୱକପ୍‌ରେ। ଖେଳରେ ସ୍ୱଚ୍ଛତା ଆଣିବା ଏହାର ମୂଳ ଲକ୍ଷ୍ୟ। ଫୁଟ୍‌ବଲ୍‌ରେ ଅଧିକରୁ ଅଧିକ ସଚ୍ଚୋଟତା ଏବଂ ସଠିକତା ପାଇଁ ଏଭଳି ପ୍ରୟାସ କରାଯାଇଛି। ଅଧିକ ସଠିକ୍‌ ଫଳାଫଳ, ଫୁଟ୍‌ବଲ୍‌ ପ୍ରତିଷ୍ଠାନ ଓ ରେଫରିଙ୍କ ସୁରକ୍ଷା ଦୃଷ୍ଟିରୁ ଏହା ସହାୟକ ହେବ। ସ୍ୱଳ୍ପ ସମ୍ପୃକ୍ତିରେ ଅଧିକ ଫାଇଦା ହିଁ ଏହାର ଦର୍ଶନ। ପ୍ରଶଂସକଙ୍କ ପାଇଁ ଯୋଗାଯୋଗ ବ୍ୟବସ୍ଥାରେ ମଧ୍ୟ ବିକଶିତ କରାଯାଇଛି। ବିଶ୍ୱକପ୍‌ର ପ୍ରତିଟି ମୁହୂର୍ତକୁ ଟିଭି ଓ ପଡ଼ିଆରେ ବଡ଼ ସ୍କ୍ରିନ୍‌ରେ ପ୍ରଦର୍ଶିତ କରାଯିବ। ଏହା ଖେଳର ଗତିଶୀଳତାକୁ କୌଣସିି ଭାବେ ବିଗାଡ଼ିପାରିବ ନାହିଁ। ଆମେ ୧୦୦ ମ୍ୟାଚ୍‌ରେ ଏହାର ପରୀକ୍ଷା ନିରୀକ୍ଷା କରି ସାରିଛୁ ଏବଂ ମାତ୍ର ଏକ ପ୍ରତିଶତ ଏହା ପ୍ରଭାବିତ ହେଉଛି, ଯାହାକି କିଛି ନୁହେଁ। ସମସ୍ତଙ୍କ ଧାରଣା ଫୁଟ୍‌ବଲ୍‌ ଏକ ତରଳ ଖେଳ। କିନ୍ତୁ ଶେଷ ବିଶ୍ୱକପ୍‌ରେ ବଲ୍‌ ହାରହାରି ୫୭.୫ ମିନିଟ୍‌ ଖେଳରେ ରହୁଥିଲା, ଅର୍ଥାତ୍‌ ୩୫ରୁ ଊର୍ଧ୍ୱ ସମୟ ବିିଭିନ୍ନ କାରଣରୁ ଯାଉଛି। ଏହା ମଧ୍ୟ ସାଧାରଣ କଥା ଫ୍ରି କିକ, ଥ୍ରୋ ଇନ୍‌, ଗୋଲ୍‌ କିକ୍ସ, କର୍ନର କିକ୍‌ ଆଦିରେ ସମୟ ଯାଇଥାଏ। ଏହି କାରଣରୁ ଯଦି ଖେଳକୁ ପରିବର୍ତନ କରିଦେବା ଭଳି କୌଣସି ଭୁଲ ହେଉଛି ତେବେ ଅତିରିକ୍ତ ୪୦/୫୦ ସେକେଣ୍ଡ୍‌ ନଷ୍ଠ କରିବାକୁ ପ୍ରସ୍ତୁତ। ମୋର ଦୃଢ଼ ବିଶ୍ୱାସ ଦର୍ଶକମାନେ ଭାର୍‌କୁ ଭଲରେ ବୁଝିପାରିବେ। କିନ୍ତୁ ପ୍ରଶଂସକମାନଙ୍କୁ ମୁଁ ଗୋଟିଏ ସାଧାରଣ କଥା କହିବି। ଫୁଟ୍‌ବଲ୍‌କୁ ଉପଭୋଗ କରନ୍ତୁ, ରୁଷିଆକୁ ଉପଭୋଗ କରନ୍ତୁ ଏବଂ ବିଶ୍ୱକପ୍‌କୁ ମଧ୍ୟ। ଏହା ନିଶ୍ଚିତ ଜୀବନର ସ୍ୱତନ୍ତ୍ର ମୁହୂର୍ତ ହୋଇଯିବ।

ଅଷ୍ଟ୍ରେଲିଆ ଚୟନ ସମିତିରୁ ଇସ୍ତଫା ଦେବେ ଓ୍ଵ

ସିଡନି : ଅଷ୍ଟ୍ରେଲିଆ ଜାତୀୟ କ୍ରିକେଟ୍‌ ଦଳର ଚୟନ ସମିତିରୁ ମାର୍କ ଓ୍ଵ ଇସ୍ତଫା ଦେବେ। ୫୨ ବର୍ଷୀୟ ଓ୍ଵ’ଙ୍କ କାର୍ଯ୍ୟକାଳ ଅଗଷ୍ଟ ମାସରେ ଶେଷ ହେବାର ଅଛି। ହେଲେ ଏହା ଆଗରୁ ସେ ତାଙ୍କ ପଦ ଛାଡ଼ିବାକୁ ଚିନ୍ତା କରୁଥିବା ଜଣା ପଡ଼ିଛି। ଓ୍ଵ’ ନିକଟରେ ଫକ୍ସ ସ୍ପୋର୍ଟସ ଚ୍ୟାନେଲର ଭାଷ୍ୟକାର ମଣ୍ଡଳିରେ ଯୋଗ ଦେଇଥିବାରୁ ଅଷ୍ଟ୍ରେଲିଆ ଚୟନ ସମିତିରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି। ଜୁଲାଇ ଅଗଷ୍ଟରେ ହେବାକୁ ଥିବା ଅଷ୍ଟ୍ରେଲିଆର ଇଂଲଣ୍ଡ ଏବଂ ଜିମ୍ବାେଓ୍ଵ ଗସ୍ତ ଲାଗି ଦଳ ବାଛିବା ଚୟନକର୍ତା ଭାବେ ତାଙ୍କର ଶେଷ ଦାୟିତ୍ୱ ହେବ।

ହାନୋଭରରେ ହୀନାଙ୍କୁ ସ୍ୱର୍ଣ୍ଣ

ହାନୋଭର୍‌ : ହାନୋଭର ଅନ୍ତର୍ଜାତୀୟ ବନ୍ଧୁକଚାଳନା ପ୍ରତିଯୋଗିତାରେ ହୀନା ସିନ୍ଧୁ ଏବଂ ପି ଶ୍ରୀ ନୀବିତା ଭାରତ ପାଇଁ ଦୁଇଟି ପଦକ ଜିତିଛନ୍ତି। ମହିଳା ୧୦ ମିଟର ଏୟାର ପିସ୍ତଲରେ ହୀନା ସ୍ୱର୍ଣ୍ଣ ଏବଂ ନୀବିତା କାଂସ୍ୟ ପଦକ କରାୟତ କରି ଭାରତକୁ ଯୁଗଳ ପଦକ ଭେଟି ଦେଇଥିଲେ। ସୋମବାର ଫାଇନାଲ୍‌ରେ ହୀନା ଏବଂ ଫ୍ରାନ୍ସର ମାଥିଲ୍‌ଡେ ଲାମୋଲି ସମାନ ୨୩୯.୮ ପଏଣ୍ଟ୍‌ ହାତେଇଥିଲେ। ତେବେ ସିନ୍ଧୁ ଦଶମିକ ପଏଣ୍ଟ୍‌ ବ୍ୟବଧାନରେ ସ୍ୱର୍ଣ୍ଣ ଜିତିନେଇଥିଲା ବେଳେ ଲାମୋଲିଙ୍କୁ ରୌପ୍ୟ ମିଳିଥିଲା। ନୀବିତା (୨୧୯.୨ ପଏଣ୍ଟ୍‌) ତୃତୀୟରେ ରହିଥିଲେ।

ସମ୍ବନ୍ଧିତ ଖବର