ଦୁବାଇ : ଦୁବାଇ ଇଣ୍ଟରନାସନାଲ କ୍ରିକେଟ ଷ୍ଟାଡିୟମଠାରେ ଆଜି ଖେଳାଯାଉଥିବା ଆଇପିଏଲ ଲିଗ ମ୍ୟାଚରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ଆଗରେ ୨୦୨ ରନର ବିଶାଳ ଲକ୍ଷ୍ୟ ରଖିଛି ।

ମୁମ୍ବାଇ ଦଳ ଟସ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ବାଙ୍ଗାଲୋର ପକ୍ଷରୁ ଦେବଦତ୍ତ ପଡ଼ିକଲ୍ଲ ଓ ଆରନ ଫିଞ୍ଚ ଦଳକୁ ଭଲ ପ୍ରାରମ୍ଭ ଦେଇଥିଲେ । ଉଭୟ ଓପନର ଅର୍ଦ୍ଧଶତକ ହାସଲ କରିଥିଲେ । ତେବେ ଅଧିନାୟକ ବିରାଟ କୋହଲି ଶସ୍ତାରେ ପାଭିଲିୟନ ଫେରିବା ପରେ ଏବି ଡିଭିଲିୟର୍ସ କ୍ରିଜକୁ ଓହ୍ଲାଇଥିଲେ । ସେ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୨୪ ବଲରେ ୪ ଛକା, ୪ ଚୌକା ସହ ୫୫ ରନ କରିଥିଲେ । ଏହା ଫଳରେ ବାଙ୍ଗାଲୋର ନିର୍ଦ୍ଧାରିତ ୨୦ ଓଭରରେ ୩ ଓ୍ଵିକେଟ ହରାଇ ୨୦୧ ରନ କରିପାରିଥିଲା ।

ବିରାଟ କୋହଲିଙ୍କ ନେତୃତ୍ୱାଧିନ ବାଙ୍ଗାଲୋର ଦଳ ଏ ପର୍ଯ୍ୟନ୍ତ ୨ଟି ମ୍ୟାଚ ଖେଳି ଗୋଟିଏ ବିଜୟ ଓ ଗୋଟିଏ ପରାଜୟ ସହ ୨ ପଏଣ୍ଟ ପାଇଛି। ସେହିପରି ରୋହିତ ଶର୍ମା ନେତୃତ୍ୱାଧିନ ମୁମ୍ବାଇ ମଧ୍ୟ ୨ଟି ମ୍ୟାଚ ଖେଳି ଗୋଟିଏ ବିଜୟ ଓ ଗୋଟିଏ ପରାଜୟ ସହ ୨ ପଏଣ୍ଟ ପାଇଛି । ତେବେ ବାଙ୍ଗାଲୋର ତୁଳନାରେ ମୁମ୍ବାଇର ରନ୍ ରେଟ ଅଧିକ ଥିବାରୁ ଏହି ଦଳ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ଥିବାବେଳେ ବାଙ୍ଗାଲୋର ୭ମ ସ୍ଥାନରେ ରହିଛି ।