୨୦୨୦ ସଫଳତାର ବର୍ଷ ହେବ, ଓଡ଼ିଶାରୁ ବହୁ ଚାମ୍ପିଅନ୍‌ ଖେଳାଳି ବାହାରିବେ : ଅନୀଲ କୁମ୍ବଲେ

ଭୁବନେଶ୍ୱର: ଓଡ଼ିଶା ସରକାର କ୍ରୀଡ଼ାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। କ୍ରୀଡ଼ା ଓ କ୍ରୀଡ଼ାବିତଙ୍କ ବିକାଶ ପାଇଁ କାମ କରୁଛନ୍ତି ସରକାର । ବର୍ତ୍ତମାନ ସମୟରେ କ୍ରୀଡ଼ା ପାଇଁ ଅଧିକ ସୁଯୋଗ ଓ ସମ୍ଭାବନା ରହିଛି। ତେଣୁ ଓଡ଼ିଶାରୁ ବହୁ ସଂଖ୍ୟାରେ ପ୍ରତିଭା ଚମ୍ପିଅନ୍‌ ହେବାର ଆଶା ଦେଖାଯାଉଛି। ଭାରତର ପୂର୍ବତନ କ୍ରିକେଟ କୋଚ୍‌ ଓ ଅଧିନାୟକ ଅନୀଲ କୁମ୍ବଲେ ଆଜି ଏହା କହିଛନ୍ତି। ଲୋକସେବା ଭବନରେ ଅନୁଷ୍ଠିତ ‘ଓଡ଼ିଶା ନଲେଜ୍‌ ହବ୍‌ ବକୃତାମାଳା’ରେ ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଖେଳାଳି ଶ୍ରୀ କୁମ୍ବଲେ କହିଛନ୍ତି, କ୍ରୀଡ଼ା କ୍ଷେତ୍ରରେ ୨୦୨୦ ସଫଳତାର ବର୍ଷ ହେବ।

ଅନୀଲ କୁମ୍ବଲେ କହିଛନ୍ତି, କ୍ରୀଡ଼ାର ବିକାଶ ପାଇଁ ତୃଣମୂଳସ୍ତରରେ ଭିତ୍ତିଭୂମିକୁ ଦୃଢ଼ କରାଯିବାର ଆବଶ୍ୟକତା ରହିଛି। ଖେଳାଳି ଯେତେ ଅଧିକ ଖେଳିବେ ସେତିକି ଭଲ ପ୍ରଦର୍ଶନ କରିପାରିବେ। କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ପୂର୍ବାପେକ୍ଷା ଆଜିକାଲି ଭଲ କରୁଛି ବୋଲି ସେ କହିଛନ୍ତି। ଆଗାମୀ ଦିନରେ ଏହି ରାଜ୍ୟରୁ ଅଧିକ ଖେଳାଳି ବିଭିନ୍ନ ଖେଳକୁ ଆସି ନିଜ ପ୍ରତିଭାର ପରିଚୟ ଦେବାର ସମ୍ଭାବନା ରହିଛି। ତେଣୁ ଅଲିମ୍ପିକ୍ସ ଉପରେ ଆମର ଫୋକସ ଅଧିକ ରହିବା ଜରୁରୀ ବୋଲି କୁମ୍ବଲେ କହିଛନ୍ତି।

କ୍ରିକେଟର ପୁରୁଣା ଦିନକୁ ମନେ ପକାଇ କୁମ୍ବଲେ କହିଛନ୍ତି ଯେ, ଇଂଲଣ୍ଡ ଓ ପାକିସ୍ତାନ ବିପକ୍ଷ ଟେଷ୍ଟ ଶୃଙ୍ଖଳା ମୋ ପାଇଁ ସବୁଦିନ ପାଇଁ ମନେ ରହିବ। ସେହିପରି ଭାରତ ପାଇଁ ଖେଳିବା ଓ ପ୍ରତିନଧିତ୍ୱ କରିବା ମୋ ପାଇଁ ଗର୍ବର ବିଷୟ । ଇଂଲଣ୍ଡ ବିପକ୍ଷରେ ଭାରତର ବିଜୟ ମୋ ପାଇଁ ଏକ ସ୍ୱର୍ଣ୍ଣିମ ମୂହୁର୍ତ୍ତ ଥିଲା।

ଏଥିସହ କ୍ରିକେଟ୍ ସଂପର୍କିତ ପ୍ରଶ୍ନରେ ଅନୀଲ କୁମ୍ବଲେ କହିଛନ୍ତି, ମହେନ୍ଦ୍ର ସିଂହ ଧୋନୀ କେବେ ଅବସର ନେବେ ତାହା ସେ ହିଁ କହିପାରିବେ। ସେହିପରି ସେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଓ ଉପଅଧିନାୟକ ରୋହିତ ଶର୍ମାଙ୍କ ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର