ଭାରତରେ ୨୦୨୧ ଟି-୨୦ ବିଶ୍ବକପ୍‌

ଦିନିକିଆ ମହିଳା ବିଶ୍ବକପ୍‌ ଘୁଞ୍ଚିଲା

ଦୁବାଇ : ଭାରତ ୨୦୨୧ ମସିହାର ଆଇସିସି ଟି-୨୦ ବିଶ୍ବକପ୍‌ ଆ‌‌ୟୋଜନ ଅଧିକାରକୁ ବଜାୟ ରଖିଛି। ସେହିଭଳି ୨୦୨୨ ମସିହା ସଂସ୍କରଣ ଅଷ୍ଟ୍ରେଲିଆରେ ଖେଳାଯିବ ବୋଲି ଆଇସିସି ନିଷ୍ପତ୍ତି ନେଇଛି। ଆଇସିସି ମଧ୍ୟ ୨୦୨୧ ମସିହାର ମହିଳା ଦିନିକିଆ ବିଶ୍ବକପ୍‌କୁ ସ୍ଥଗିତ ରଖିଛି। ଏହା ନ୍ୟୁଜିଲାଣ୍ଡ୍‌ରେ ୨୦୨୨ ଫେବ୍ରୁଆରି ୬ରୁ ମାର୍ଚ ୭ ତାରିଖ ମଧ୍ୟରେ ଖେଳାଯିବ। ଶୁକ୍ରବାର ଆହୂତ ଆଇସିସିର ସର୍ବଶକ୍ତିସଂପନ୍ନ ବୋର୍ଡର ଭର୍ଚୁଆଲ‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

କୋଭିଡ୍-୧୯ ମୁକାବିଲା ଓ ନିରାକରଣ ମଧ୍ୟ ଆଲୋଚନାର ଅନ୍ୟତମ ବିଷୟ ବସ୍ତୁ ରହିଥିଲା। ବୋର୍ଡ ସଦସ୍ୟଙ୍କ ସହ ଏହି ବୈଠକରେ ବିସିସିଆଇ ଓ କ୍ରିକେଟ୍ ଅଷ୍ଟ୍ରେଲିଆର ବରିଷ୍ଠ ଅଧିକାରୀ ମଧ୍ୟ ଯୋଗଦେଇଥିଲେ। ଅଷ୍ଟ୍ରେଲିଆ ପ୍ରକୃତରେ ୨୦୨୦ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଆୟୋଜକ ଥିଲା। ତେବେ କୋଭିଡ୍-୧୯ ସଙ୍କଟ ପାଇଁ ଏହାକୁ ୨୦୨୧ ମସିହାକୁ ସ୍ଥଗିତ କରିଦିଆଯାଇଥିଲା। ସେହିଭଳି ଭାରତ ଆୟୋଜକ ଥିବା ୨୦୨୧ ବିଶ୍ବକପ୍‌କୁ ୨୦୨୨କୁ ଘୁଞ୍ଚାଇ ଦିଆଯାଇଥିଲା। ଏବେ କିନ୍ତୁ ଅଷ୍ଟ୍ରେଲିଆ ୨୦୨୨ ବିଶ୍ବକପ୍ ଆୟୋଜନ କରିବ ଏବଂ ଭାରତ ପୂର୍ବଭଳି ୨୦୨୧ ବିଶ୍ବକପ୍ ଆୟୋଜନ କରିବ। ବିସିସିଆଇ ପକ୍ଷରୁ ସଭାପତି ସୌରଭ ଗାଙ୍ଗୁଲି ଓ ସଂପାଦକ ଜୟ ଶାହ ବୈଠକରେ ନିଜ ନିଜ ମତ ରଖିଥିଲେ। ସେହିଭଳି ଏର୍ଲ ଏଡିଙ୍ଗ୍ସ ଓ ନିକ ହକଲି କ୍ରିକେଟ୍ ଅଷ୍ଟ୍ରେଲିଆର ପ୍ରତିନିଧିତ୍ବ କରିଥିଲେ। ଅଷ୍ଟ୍ରେଲିଆ ଆସନ୍ତାବର୍ଷର ଟ୍ବେଣ୍ଟି-୨୦ ବିଶ୍ବକପ୍‌କୁ ଆୟୋଜନ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ ମଧ୍ୟ ସରକାରୀ ଗ୍ୟାରେଣ୍ଟି ଦେଇପାରିନଥିଲା। ଭାରତ ମଧ୍ୟ ରାଜି ହୋଇନଥିଲା। କାରଣ ଭାରତରେ ୨୦୨୩ ଦିନିକିଆ ବିଶ୍ବକପ୍ ଆୟୋଜନ ହେବାକୁ ଥିବାରୁ ଫଳରେ ଲଗାତାର ଦୁଇ ବର୍ଷ ବିଶ୍ବକପ୍‌ ଆୟୋଜନ କଲେ ରାଜସ୍ବ ଦୃଷ୍ଟିରୁ ଦିନିକିଆ ବିଶ୍ବକପ୍ ପ୍ରଭାବିତ ହୋଇପାରେ ବୋଲି ବିସିସିଆଇ ଆଶଙ୍କା କରିଥିଲା।

ଶୁକ୍ରବାରର ବୈଠକ ଅନୁସାରେ ୨୦୨୧ ଆଇସିସି ଟି-୨୦ ବିଶ୍ବକପ୍‌ ଅକ୍ଟୋବର-ନଭେମ୍ବରରେ ଖେଳାଯିବ। ନଭେମ୍ବର ୧୪ ତାରିଖରେ ଫାଇନାଲ୍ ମ୍ୟାଚ୍‌ ଖେଳାଯିବ। ଅଷ୍ଟ୍ରେଲିଆ ମଧ୍ୟ ୨୦୨୨ରେ ସେହି ଅକ୍ଟୋବର-ନଭେମ୍ବରରେ ଏହାକୁ ଆୟୋଜନ କରିବ। ନଭେମ୍ବର ୧୩ ତାରିଖରେ ଫାଇନାଲ୍‌ ଖେଳାଯିବ ବୋଲି ଦିନ ଧାର୍ଯ୍ୟ ହୋଇଛି। ସାଧାରଣତଃ ମାର୍ଚ-ଏପ୍ରିଲରେ ଖେଳାଯାଉଥିବା ଦିନିକିଆ ବିଶ୍ବକପ୍ ମଧ୍ୟ ଅକ୍ଟୋବର-ନଭେମ୍ବରକୁ ଘୁଞ୍ଚାଇ ଦିଆଯାଇଛି। ଭାରତ ୨୦୨୩ରେ ଏହାର ପ୍ରଥମ ଅଭିଜ୍ଞତା ଅର୍ଜନ କରିବ।

ସମ୍ବନ୍ଧିତ ଖବର