ଭୁବନେଶ୍ବର: ଆସନ୍ତା ମାସରେ ଅଷ୍ଟ୍ରେଲିଆରେ ଆରମ୍ଭ ହେବାକୁ ଥିବା ଆଇସିସି‌ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଦଳ ଲାଗି ଭାରତୀୟ ଦଳ ଘୋଷିତ ହୋଇଥିବା ବେଳେ ଯୁବ ୱିକେଟରକ୍ଷକ ସଂଜୁ ସାମସନଙ୍କୁ ସୁଯୋଗ ମିଳିନଥିବାରୁ ତାଙ୍କ ପ୍ରଶଂସକମାନେ ଚୟନକର୍ତାଙ୍କୁ ପ୍ରବଳ ଟ୍ରୋଲ୍ କରିଛନ୍ତି। ୧୫ ଜଣିଆ ଏହି ଦଳରେ ଦୁଇଜଣ ୱିକେଟରକ୍ଷକ ବ୍ୟାଟର୍‌ ଋଷଭ ପନ୍ତ୍ ଓ ଦୀନେଶ କାର୍ତ୍ତିକଙ୍କୁ ସୁଯୋଗ ମିଳିଛି। ପ୍ରଶଂସକମାନେ ଏବେ ମଧ୍ୟ ସଂଜୁଙ୍କୁ ସାମିଲ କରିବାକୁ ଦାବି ଉଠାଇଛନ୍ତି। ଇଣ୍ଡିଆନ୍‌ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌)ରେ ପ୍ରଭାବୀ ପ୍ରଦର୍ଶନ କରି ସଂଜୁ ସମସ୍ତଙ୍କ ନଜରକୁ ଆସିବା ସହ ବିଗତ କିଛି ବର୍ଷ ହେବ ଶ୍ରେଷ୍ଠ ଯୁବ ଖେଳାଳିଙ୍କ ମଧ୍ୟରେ ସାମିଲ ରହିଛନ୍ତି। ଚଳିତ ବର୍ଷ ମଧ୍ୟ ସେ ରାଜସ୍ଥାନ ରୟାଲ୍ସକୁ ୧୪ ବର୍ଷ ପରେ ଫାଇନାଲ୍‌ରେ ପହଞ୍ଚାଇଥିଲେ। ଟ୍ବେଣ୍ଟି-୨୦ ଫର୍ମାଟରେ ସୀମିତ ସୁଯୋଗ ଥିବାବେଳେ ଦିନିକିଆ କ୍ରିକେଟ୍‌ରେ ସଂଜୁ ଗତ ୱେଷ୍ଟଇଣ୍ଡିଜ୍ ଓ ଜିମ୍ବାୱେ ଗସ୍ତରେ ଭଲ ଖେଳିଥିଲେ। ଆୟର୍ଲାଣ୍ଡ୍ ବିପକ୍ଷରେ ଚଳିତ ବର୍ଷ ସେ ମଧ୍ୟ ପ୍ରଥମ ଟ୍ବେଣ୍ଟି-୨୦ ଅର୍ଦ୍ଧଶତକ ହାସଲ କରିଥିଲେ। କେବଳ ବିଶ୍ବକପ୍‌ ଦଳ ନୁହେଁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳା ଲାଗି ମଧ୍ୟ ତାଙ୍କୁ ଦଳରେ ସ୍ଥାନ ମିଳିନଥିବାରୁ ପ୍ରଶଂସକମାନେ ଖପ୍ପା ହୋଇଛନ୍ତି। ଦିନିକିଆରେ ସଂଜୁଙ୍କ ହାରାହାରି ୫୭.୫୦ ରହିଥିବା ବେଳେ ଟ୍ବେଣ୍ଟି-୨୦ରେ ୪୪.୭୫। ଭାରତୀୟ ଦଳର ପୂବର୍ତନ ଅଧିନାୟକ ତଥା ବିଦାୟୀ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ ମତ ସବୁଠାରୁ ପ୍ରଣିଧାନଯୋଗ୍ୟ। ଶାସ୍ତ୍ରୀ କହିଛନ୍ତି, ‘ଅଷ୍ଟ୍ରେଲିଆ ପରିବେଶରେ ଅନ୍ୟ କୌଣସି ଖେଳାଳିଙ୍କଠାରୁ ସଂଜୁ ସାମ୍‌ସନ୍‌ ଢେର ଉନ୍ନତ’। ତାଙ୍କ ନିକଟରେ ବହୁ ସଟ୍‌ ରହିଛି। ପେସ୍‌ ହେଉ କି ବାଉଁସ, କଟ୍‌ ପୁଲ୍‌ ମାରି ସେ ଅଷ୍ଟ୍ରେଲିଆରେ ମ୍ୟାଚ୍‌ ଜିତାଇବାର ଦକ୍ଷତା ରଖିଛନ୍ତି ବୋଲି ଶାସ୍ତ୍ରୀ କହିଥିଲେ।

Advertisment

ସଂଜୁଙ୍କ ବ୍ୟାକ୍‌ଫୁଟ୍‌ ଖେଳକୁ ପ୍ରଶଂସା କରି ଜଣେ ପ୍ରଶଂସକ ଲେଖିଛନ୍ତି, ‘ସଂଜୁ ଚଳିତ ବର୍ଷ ଭାରତ ଖେଳିଥିବା ୨୬ ଟ୍ବେଣ୍ଟି-୨୦ରୁ ମାତ୍ର ୬ଟି ଖେଳିଛନ୍ତି, ୫ଟିରେ ବ୍ୟାଟିଂ କରି ୪୪.୭୫ ହାରରେ ୧୭୯ ରନ୍‌ ସଂଗ୍ରହ କରିଛନ୍ତି। ଅତି କମ୍‌ରେ ସେ ଷ୍ଟାଣ୍ଡବାଇରେ ବି ରହିବାର ଥିଲା’। ଆଉ ଜଣେ ପ୍ରଶଂସକ ଲେଖିଛନ୍ତି, ‘୨୦୨୨ ଆଇପିଏଲ୍‌ରେ ଦୀନେଶ କାର୍ତ୍ତିକ ୧୦, ଋଷଭ ପନ୍ତ ୮, ସଂଜୁ ସାମସନ୍‌ ୩ କ୍ୟାଚ୍‌ ଡ୍ରପ୍ କରିଥିଲେ’।

ସଂଜୁ ସାମସନଙ୍କ ଖେଳ ଜୀବନକୁ ବିସିସିଆଇ ହତ୍ୟା କରୁଛି ବୋଲି ମଧ୍ୟ କେତେକ ଅଭିଯୋଗ କରିଛନ୍ତି। ବିସିସିଆଇ ରାଜନୀତି ପାଇଁ ସଂଜୁଙ୍କ ଖେଳ ଜୀବନ ନଷ୍ଟ ହେଉଛି ବୋଲି ଜଣେ ଉଲ୍ଲେଖ କରିଛନ୍ତି। କେଏଲ୍ ରାହୁଲ ଫର୍ମରେ ନଥିବା ବେଳେ ଦଳରେ ସ୍ଥାନ ପାଉଛନ୍ତି। ହେଲେ ସଂଜୁ ସାମସନ୍‌ ଓ ରାହୁଲ ତ୍ରିପାଠୀ ଭଲ ଫର୍ମରେ ଥାଇ ବାହାରେ ବସୁଛନ୍ତି ବୋଲି ସେ ଯୁକ୍ତି ବାଢ଼ିଛନ୍ତି। ବିଶ୍ବକପ୍‌ ଦଳରେ ସ୍ଥାନ ନ ପାଇ ସଂଜୁ କାନ୍ଦି ପକାଉଥିବାର ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି। ସଂଜୁଙ୍କ ଦକ୍ଷତା ବିଶ୍ବ ଜାଣିଛି ବୋଲି ମଧ୍ୟ ମତ ଦେଇଛନ୍ତି କ୍ରିକେଟ୍‌ ବିଶାରଦ ହର୍ଷ ଭୋଗଲେ। ୨୦୨୨ ଆଇପିଏଲ୍‌ରେ ବ୍ୟାଟିଂରେ କିନ୍ତୁ ସଂଜୁ (ହାରାହାରି ୨୮.୬୩ ଓ ଷ୍ଟ୍ରାଇକରେଟ୍‌ ୧୪୬.୭୯)ଙ୍କଠାରୁ ପନ୍ତ୍‌ (ହାରାହାରି ୩୦.୯୧ ଓ ଷ୍ଟ୍ରାଇକରେଟ୍‌ ୧୫୧.୭୮) ଆଗରେ ରହିଛନ୍ତି। ସଂଜୁଙ୍କୁ ଭାରତୀୟ ଦଳରେ ନିଆ ନଯିବାରୁ ପାକିସ୍ତାନୀ ସ୍ପିନର୍ ଡାନିସ କାନେରିଆ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଏପରିକି ତାଙ୍କୁ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳାରେ ସୁଯୋଗ ନ ମିଳିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି।