ଓଡ଼ିଶାର ୨୦୨୩ ହକି ବିଶ୍ବକପ୍ ପ୍ରସ୍ତୁତିରେ କରୋନା ପ୍ରଭାବ ପଡ଼ିବନି

ଭୁବନେଶ୍ବର : କରୋନା ମହାମାରୀ ପାଇଁ ସାଧାରଣ ଜନଜୀବନରେ ଘୋର ଅବ୍ୟବସ୍ଥା ପରିଲକ୍ଷିତ ହେଉଛି। ଭାରତ ତଥା ବିଶ୍ବ ଅର୍ଥନୀତି ମଧ୍ୟ ଏଥିଲାଗି ଏକପ୍ରକାର ଭୁଶୁଡ଼ି ଯାଇଛି। ଅନ୍ୟଉପାୟ ନପାଇ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାଗୁଡ଼ିକ ନିଜ ବ୍ୟୟବରାଦର ପୁନଃ ସମୀକ୍ଷା କରୁଛନ୍ତି। ହେଲେ ଅର୍ଥ କିମ୍ବା ଭିତ୍ତିଭୂମି, ଭୁବନେଶ୍ବର ଓ ରାଉରକେଲାରେ ଆୟୋଜିତ ହେବାକୁ ଥିବା ୨୦୨୩ ହକି ବିଶ୍ବକପ୍ ଲାଗି ପ୍ରତିବନ୍ଧକ ହେବ ନାହିଁ। ୨୦୧୮ ଭଳି ୨୦୨୩ ବିଶ୍ବକପ୍ ମଧ୍ୟ ହକି ଦୁନିଆରେ ନୂଆ ଉଦାହରଣ ସୃଷ୍ଟି କରିବ ବୋଲି ଓଡ଼ିଶା ସରକାର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଓଡ଼ିଶାରେ ପ୍ରଥମ ଥର ୨୦୧୮ ମସିହାରେ ହକି ବିଶ୍ବକପ୍ ଆୟୋଜିତ ହୋଇଥିଲା। ଯାହାର ସଫଳତା ଆଧାରରେ ୨୦୨୩ ହକି ବିଶ୍ବକପ୍ ଆୟୋଜନ କରିବାକୁ ଅନ୍ତର୍ଜାତୀୟ ହକି ମହାସଂଘ ପୁନର୍ବାର ଓଡ଼ିଶାକୁ ବାଛିଥିଲା। ୨୦୧୮ରେ ବିଶ୍ବକପ୍ କେବଳ ଭୁବନେଶ୍ବରରେ ଖେଳା ଯାଇଥିଲା ବେଳେ ୨୦୨୩ରେ ଭୁବନେଶ୍ବର ସହ ରାଉରକେଲାକୁ ମଧ୍ୟ ଆୟୋଜକ ସହର ଭାବେ ବଛା ଯାଇଛି। ତେବେ ଉଭୟ ରାଉରକେଲା ଓ ଭୁବନେଶ୍ବର ସ୍ମାର୍ଟ ସିଟି ଯୋଜନାରେ ସାମିଲ ଥିବା ବେଳେ ବିଶ୍ବକପ୍ ପ୍ରସ୍ତୁତି ଲାଗି କୋଟି କୋଟି ଟଙ୍କା ଖର୍ଚ ହେବ। ତେବେ ଏହା ଏକ ସମସ୍ୟା ହେବନି ଏବଂ ବିଶ୍ବକପ୍ ପ୍ରସ୍ତୁତିରେ କରୋନାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଦାବି କରିଛନ୍ତି। ଏକ ସାକ୍ଷାତକାର ଅବସରରେ ଶ୍ରୀ ବେହେରା କହିଛନ୍ତି ଯେ ୨୦୧୮ ହକି ବିଶ୍ବକପ୍ ଭଳି ଭୁବନେଶ୍ବରରେ ଓ ରାଉରକେଲାରେ ଆୟୋଜିତ ହେବାକୁ ଥିବା ୨୦୨୩ ହକି ବିଶ୍ବକପ୍ ଏହି ଅଞ୍ଚଳରେ କ୍ରୀଡ଼ା ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବ। ରାଉରକେଲା ସହରକୁ ସରସ ଓ ସୁନ୍ଦର କରିବା ସହ ସେଠାକାର କ୍ରୀଡ଼ା ଭିତ୍ତିଭୂମିର ବିକାଶ ଓ ଉନ୍ନତୀକରଣ ଲାଗି ଆର୍ଥିକ ଯୋଜନା ହୋଇସାରିଛି। ବିଶ୍ବକପ୍‌ର ଆୟୋଜନ ଲାଗି ଏସବୁ ପୁଞ୍ଜି ବିନିଯୋଗ ଏକାନ୍ତ ଅପରିହାର୍ଯ୍ୟ ହୋଇଥିବାରୁ ଓଡ଼ିଶା ସରକାର ଆୟୋଜନ ବ୍ୟୟବରାଦ କିମ୍ବା ଭିତ୍ତିଭୂମି ବାବଦରେ ବ୍ୟୟ ହେବାକୁ ଥିବା ଅର୍ଥକୁ ହ୍ରାସ କରିବାର ସମ୍ଭାବନା ନାହିଁ। ବିଶ୍ବକପ୍‌ର ଗୌରବମୟ ସଫଳତା ଲାଗି ରାଜ୍ୟ ସରକାର ଆବଶ୍ୟକ ଅର୍ଥ ଯୋଗାଣ ପାଇଁ ପ୍ରତିଶ୍ରୁତିବଦ୍ଧ। ରାଜ୍ୟ ସରକାର ଅତିରିକ୍ତ ହାଇପର୍ଫର୍ମାନ୍ସ କେନ୍ଦ୍ର ସ୍ଥାପନକୁ ସ୍ବୀକୃତି ଦେଇଥିଲା ବେଳେ ସୁନ୍ଦରଗଡ଼ର ୧୭ ବ୍ଲକ୍‌ରେ ସିନ୍ଥେଟିକ୍ ହକି ଟର୍ଫ ବିଛାଇବା କାର୍ଯ୍ୟ ହାତକୁ ନେଇଛନ୍ତି। ଟର୍ଫ ବିଛାଇବା ଲାଗି ସ୍ଥାନ ନିରୂପଣ ସରିଛି। ଆସନ୍ତା କିଛି ବର୍ଷ ମଧ୍ୟରେ ପର୍ଯ୍ୟାୟକ୍ରମେ ଏହି କାର୍ଯ୍ୟ ଶେଷ କରାଯିବ। କିଛି କିଛି ସ୍ଥାନରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇସାରିଥିବା ଶ୍ରୀ ବେହେରା ମଧ୍ୟ ସୂଚନା ଦେଇଛନ୍ତି। ‘‘ସୁନ୍ଦରଗଡ଼ର ଭବାନୀପୁର କ୍ରୀଡ଼ା କଂପ୍ଲେକ୍ସରେ ହକି ପ୍ରଶିକ୍ଷଣ କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇସାରିଛି। ହକି ପଡ଼ିଆର ନିର୍ମାଣ, ଟର୍ଫ ବିଛାଇବା କାର୍ଯ୍ୟ ସହ ଆନୁଷଙ୍ଗିକ ଭିତ୍ତିଭୂମି ଯେମିତି କି ପୁରୁଷ ମହିଳା ଖେଳାଳିଙ୍କ ପାଇଁ ଚେଜିଂ ରୁମ୍, ଗାଧୁଆଘର, ପାଇଖାନା, କାର୍ଯ୍ୟାଳୟ, ଫିଜିଓ ଓ ପ୍ରଶିକ୍ଷକ ରୁମ୍, ୨୦୦ ଦର୍ଶକ ବସିଲା ଭଳି ଗ୍ୟାଲେରି ନିର୍ମାଣ କାର୍ଯ୍ୟ ସଂପ୍ରତି ଚାଲିଛି ବୋଲି ଶ୍ରୀ ବେହେରା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର